ଟିଟିଲାଗଡ଼ ନାଗରିକ ମଞ୍ଚର ସାମ୍ୱାଦିକ ସମ୍ମିଳନୀ : ଏଫ୍‌ସିଆଇ ଅଫିସ ବଲାଙ୍ଗିରକୁ ସ୍ଥାନାନ୍ତର ନକରିବାକୁ ଦାବି

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହରର ଅଗ୍ରଣୀ ସାମାଜିକ ସଙ୍ଗଠନ ତଥା ଲୋକଙ୍କ ସ୍ୱର ଭାବେ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରି ସହରର ବିଭିନ୍ନ ସମସ୍ୟା ଉପରେ ଦୃଷ୍ଟି ଆକର୍ଷଣ କରିଥାଏ ଟିଟିଲାଗଡ଼ ନାଗରିକ ମଞ୍ଚ । ଏହି ମଞ୍ଚର ସଭାପତି ରାଧାକାନ୍ତ ପାଢ଼ୀ ୨ଟି ଗୁରୁତ୍ୱପୂର୍ଣ୍ଣ ବିଷୟରେ ତଥ୍ୟ ପ୍ରଦାନ କରିଥିଲେ । ପ୍ରଥମଟି ହେଲା ଭୂତଳ ପୋଲର ଅବ୍ୟବସ୍ଥା ନେଇ ୨୦୨୧ ମସିହାରେ ଏକ ଜନସ୍ୱାର୍ଥ ମାମଲା ଦାୟର କରିଥିଲେ । ୫-୬ ଥରର ଶୁଣାଣି ପରେ ଜୁଲାଇ ମାସରେ ସେହି ମାମଲାର ଶୁଣାଣି କରି ୬ ମାସ ଭିତରେ ଥିବା ଅଧୁରା କାମ, ମରାମତି ସହିତ ୭ଟି କାର୍ଯ୍ୟ ପାଇଁ ଅର୍ଡର ଦିଆଯାଇଛି । ଯାହାକି ଟିଟିଲାଗଡ଼ ଜନସାଧାରଣଙ୍କ ପାଇଁ ଏକ ବଡ ଉପଲବ୍ଧି କହିଲେ ଅତ୍ୟୁକ୍ତି ହେବନାହିଁ । ୬ ମାସ ଭିତରେ କାର୍ଯ୍ୟ ସମ୍ପନ୍ନ ନକଲେ କୋର୍ଟର ଦ୍ୱାରସ୍ଥ ହେବେ ବୋଲି ସଭାପତି ଶ୍ରୀ ପାଢ଼ୀ କହିଥିଲେ । ସେହିପରି ଦ୍ୱିତୀୟ ବିଷୟ ଯେ, ଟିଟିଲାଗଡ଼ରେ ଦୀର୍ଘ ୫୦ ବର୍ଷରୁ ଅଧିକ ସମୟ ଧରି ଥିବା ଭାରତୀୟ ଖାଦ୍ୟ ବୀମା ନିଗମ କାର୍ଯ୍ୟାଳୟ ବଲାଙ୍ଗିରକୁ ସ୍ଥାନାନ୍ତରଣକୁ ବିରୋଧ କରିବା ସହ ଏହାର ଆଉ ଥରେ ବିଚାର କରାଯାଉ ବୋଲି ଦାବି କରିଥିଲେ । ଯେଉଁ ସମସ୍ୟା ଉପସ୍ଥାପନ କରି ସ୍ଥାନାନ୍ତର କରିବା ପାଇଁ ଚେଷ୍ଟା କରୁଛନ୍ତି ତାହା ହାସ୍ୟାସ୍ପଦ ବୋଲି କହିବା ସହ ସ୍ଥାନାନ୍ତରଣ ରୋକିବାକୁ ସ୍ଥ।ନୀୟ ବିଧାୟକ ଓ ସାଂସଦଙ୍କୁ ହସ୍ତକ୍ଷେପ କରନ୍ତୁ ବୋଲି କହିଥିଲେ । ଏହି ସାମ୍ୱାଦିକ ସମ୍ମିଳନୀରେ ନାଗରିକ ମଞ୍ଚର ସାଂଗଠାନିକ ସମ୍ପାଦକ ମନୋଜ ହାତୀ, ସଂପାଦକ ଦୀପକ ସମାଦ୍ଦାର, ନାଗରିକ ମଞ୍ଚର ବରିଷ୍ଠ ସଦସ୍ୟ ଲକ୍ଷ୍ମୀକାନ୍ତ ମହାପାତ୍ର ଉପସ୍ଥିତ ଥିଲେ ।

Leave A Reply

Your email address will not be published.