
ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ଼ ଅଟୋ ୱର୍କରସ୍ ଆସୋସିଏସନ୍, ରାଉରକେଲା ନିଖିଳ ଓଡ଼ିଶା ଅଟୋ ଚାଳକ ମହାସଂଘ ଭୁବନେଶ୍ୱର ସହବନ୍ଧିତର ଜିଲ୍ଲା ସମ୍ମିଳନୀ ସେକ୍ଟର ୯ ଲାଗୁନ ପାର୍କ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ସଂଗଠନର ସଭାପତି ବୈଦ୍ୟନାଥ ଦାସ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟଅତିଥି ଭାବେ ଶ୍ରମମନ୍ତ୍ରୀ ସାରଦା ପ୍ରସାଦ ନାୟକ, ସମ୍ମାନିତ ଅତିଥି ରଘୁନାଥପାଲ୍ଲୀ ବିଧାୟକ ସୁବ୍ରତ ତରାଇ, ରାଜ୍ୟ ଅଟୋ ଚାଳକ ମହାସଂଘର ସାଧାରଣ ସମ୍ପାଦକ ପଦ୍ମମନ ସାମଲ, ରାଜ୍ୟ ହିନ୍ଦ୍ ମଜ୍ଦୁର୍ ସଭା ସମ୍ପାଦକ ପ୍ରମୋଦ କୁମାର ଦାସ, ସନ୍ତୋଷ କୁମାର ସାହୁ, ଆତିସ କୁମାର ମାର୍ଥା ସଂଗଠନର ସାଧାରଣ ସମ୍ପାଦକ ଭୂବନ ବେହେରା ମଞ୍ଚାସୀନ ହୋଇଥିଲେ । ସାଧାରଣ ସମ୍ପାଦକ ଶ୍ରୀ ବେହେରା ବାର୍ଷିକ ବିବରଣୀ ଉପସ୍ଥାପନା କରିଥିଲେ ଏବଂ ସମସ୍ତଙ୍କୁ ଅନୁରୋଧ କରିଥିଲେ ଆଗାମୀ ଦିନରେ ସଂଗଠନକୁ ମଜ୍ବୁତ୍ କରିବା ପାଇଁ ଅଧିକରୁ ଅଧିକ ସଭ୍ୟ ସଂଗ୍ରହ କରି ନିଜର ପେଟପାଟଣା ପାଇଁ ସଂଗଠିତ ହୋଇ ରାଜ୍ୟ ସଂଘ ସହ ସୁସମ୍ପର୍କ ରଖି ନିଜ ନିଜର ହକ୍ ହାସଲ କରିବା । ମୁଖ୍ୟ ଅତିଥି ଶ୍ରୀ ନାୟକ ତାଙ୍କ ଭାଷଣରେ କହିଥିଲେ ଯେ, ଓଡ଼ିଶା ସରକାର ପରିବହନ କ୍ଷେତ୍ରରେ କାମ କରୁଥିବା ସମସ୍ତ ଅଟୋ ଚାଳକ ବନ୍ଧୁମାନଙ୍କ ପାଇଁ ପରିବହନ ଚାଳକ କଲ୍ୟାଣ ବୋର୍ଡ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଚାଳକ ଭାଇ ଏବଂ ସେମାନଙ୍କ ପରିବାରର ସାମାଜିକ ସୁରକ୍ଷା କିପରି ପୁରଣ ହୋଇପାରିବ ସେଥିପାଇଁ ସେ କାର୍ଯ୍ୟ କରିବେ । ସମ୍ମାନୀତ ଅତିଥି ଶ୍ରୀ ତରାଇ ତାଙ୍କ ଭାଷଣରେ କହିଥିଲେ ଯେ, ଅଟୋ ଚାଳକ ଭାଇମାନଙ୍କର ବହୁବିଧ ଅସୁବିଧା ବିଷୟରେ ସେ ହୃଦୟଙ୍ଗମ କରିଛନ୍ତି । ଆଜି କାଲି ମହଙ୍ଗା ଜମାନାରେ ଅଟୋ ଚାଳକ ଭାଇମାନେ ତାଙ୍କ ପରିବାର ପ୍ରତିପୋଷଣ କରିବା ନିହାତି କଷ୍ଟକର ହେଉଥିବ । ସେଥିପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପ୍ରତ୍ୟେକ କ୍ଷେତ୍ରରେ ସମସ୍ତ ଜନସାଧାରଣଙ୍କ ପାଇଁ କିଛି ନା କିଛି ସୁଖ ସୁବିଧା ଉପଲବ୍ଧ କରିଛନ୍ତି ତାହା ସ୍ୱାଗତ ଯୋଗ୍ୟ ଅଟେ । ଅପରପକ୍ଷେ ସମସ୍ତ ଚାଳକ ଭାଇମାନଙ୍କର ଯେଉଁ କଲ୍ୟାଣ ବୋର୍ଡ କରାଯାଇଅଛି ସେହି ମାଧ୍ୟମରେ ସମସ୍ତେ କିପରି ଅଧିକରୁ ଅଧିକ ଉପକୃତ ହୋଇପାରିବେ ସେଥିପ୍ରତି ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବି ବୋଲି କହିଥିଲେ । ମହାସଂଘର ସାଧାରଣ ସମ୍ପାଦକ ଶ୍ରୀ ସାମଲ, ହିନ୍ଦୁ ମଜ୍ଦୁର୍ ସଭାର ରାଜ୍ୟ ସମ୍ପାଦକ ଶ୍ରୀ ଦାସ, ଚାଳକ କଲ୍ୟାଣ ବୋର୍ଡ ସଭାପତି ଶ୍ରୀ ଦାସ ପ୍ରମୁଖ ଅଟୋ ଚାଳକଙ୍କ ସମସ୍ୟା, କର୍ମପ୍ରତି ପ୍ରତିବଦ୍ଧତା ଓ ସେମାନଙ୍କ ସାମାଜିକ ସୁରକ୍ଷା ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ବିଜେଡିର ରାଉରକେଲା ବିଧାନସଭା ପ୍ରାର୍ଥୀ ସାରଦା ପ୍ରସାଦ ନାୟକ ଓ ରଘୁନାଥପାଲି ବିଧାୟିକା ପ୍ରାର୍ଥନୀ ଅର୍ଚ୍ଚନାରେଖା ବେହେରାଙ୍କୁ ବିଜୟୀ କରିବା ପାଇଁ ନିବେଦନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଗଗନ ବିହାରୀ ସାହୁ, ଗୀରିଶ ନାୟକ, କ୍ରିଷ୍ଣା ବାହାଦୁର ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମକୁ ସୂଚାରୁ ରୂପେ କାର୍ଯ୍ୟ ସମାପନ କରିବା ପାଇଁ ସିମାଞ୍ଚଳ ସ୍ୱାଇଁ,ସଞ୍ଜୁ, ବଗା, ବିଭୁତି, ଶରତ, ନବାବ ରାଜପୁତ, ବାଦଲ ଦାସ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ସନ୍ନ୍ୟାସୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।