jayashree

ପଞ୍ଚୁଦୋଳ ମେଳଣ ପରିଚାଳନା କମିଟି ତରଫରୁ ସାମ୍ବାଦିକ ସମ୍ମିଳନୀ

  • ଆତସବାଜିରେ ଚମକିବ, ଚିତ୍ତାକର୍ଷକ ହେବ ଜମାଣ ରାତ୍ର
  • କମିଟି ପକ୍ଷରୁ ଭାରିଯାନ ଚଳାଚଳ ବନ୍ଦ ପାଇଁ ପ୍ରଶାସନକୁ ନିବେଦନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ହରିରାଜପୁର ପଞ୍ଚୁଦୋଳ ମେଳଣ କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ ଓ ସାମ୍ବାଦିକ ସମ୍ମିଳନୀ ଶ୍ରୀ ପଶ୍ଚିମାଶମ୍ଭୁ ସୋମନାଥ ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ସରପଞ୍ଚ ପ୍ରସନ୍ନ ମହାରଥିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ମିଳନୀରେ ଡେଲାଙ୍ଗ ପଞ୍ଚାୟତ ସମିତି ଅଧ୍ୟକ୍ଷା ବାସନ୍ତୀ ସାହୁ, ଉପାଧ୍ୟକ୍ଷ ଦୁର୍ବାଶା ନିଶଙ୍କ, ପରିଚାଳନା କମିଟି ସଦସ୍ୟ ବନ୍ଧୁଶ୍ୟାମ ଚମ୍ପତି, ହରପପ୍ରସାଦ ଚମ୍ପତି, ହରପ୍ରସାଦ ଜେନା, ଲଳିତ ବେହେରା, ମହାଦେବ ରାଉତାରୟ, ବିଷ୍ଣୁପ୍ରସାଦ ଜେନା ପ୍ରମୁଖ ଉପସ୍ଥିତ ଥିଲେ । ଓଡିଶା ପ୍ରସିଦ୍ଧ ଶ୍ରୀ ପଶ୍ଚିମାଶମ୍ଭୁ ଦେବଙ୍କ ପଞ୍ଚୁଦୋଳ ମେଳଣରେ ଚିତ୍ତାକର୍ଷକ କାର୍ଯ୍ୟକ୍ରମ ସହ ଜିଲ୍ଲା ପ୍ରଶାସନ ଗ୍ରହଣ କରିଥିବା ବିଭିନ୍ନ ଆବଶ୍ୟକୀୟ ପଦକ୍ଷେପ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହା ସହିତ ଶ୍ରଦ୍ଧାଳୁଙ୍କ ଭିଡକୁ ଆଖି ଆଗରେ ଲକ୍ଷରଖି ଖୋର୍ଦ୍ଧା-ଜଟଣୀ- ପିପିଲି, ଜଟଣୀ-ସୁନ୍ଦରପଦା ଭାୟା ହରିରାଜପୁର ରାସ୍ତାରେ ଭାରିଯାନ ଚଳାଚଳ ବନ୍ଦ କରିବା ପାଇଁ କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା । ୧୨ ତାରିଖ ଜମାଣ, ୧୬ ତାରିଖ ଉଦ୍‌ଯାପିତ ଉତ୍ସବରେ ୫ ଲକ୍ଷରୁ ଅଧିକ ସଂଖ୍ୟକ ଶ୍ରଦ୍ଧାଳୁମାନଙ୍କ ସମାଗମକୁ ଆଖି ଆଗରେ ରଖି ଭାରିଯାନ ଚଳାଚଳ ବନ୍ଦ କରିବା ସହିତ ଅନ୍ୟ ୩ ଦିନମାନଙ୍କରେ ଅପରାହ୍ନ ୪ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ଚଳାଚଳରେ ରୋକ୍‌ ଲଗାଯାଉ ବୋଲି କମିଟି ପକ୍ଷରୁ ଜିଲ୍ଲା ପ୍ରଶାସନକୁ ନିବେଦନ କରାଯାଇଛି । ଚଳିତ ବର୍ଷ ମେଳଣ ଜମାଣ ଉତ୍ସବରେ ମହାପ୍ରଭୁ ପଶ୍ଚିମାଶମ୍ଭୁ ସୋମନାଥ ଦେବ ପାରମ୍ପରିକ ରୀତିନୀତି ଅନୁଯାଇ ସୁସଜ୍ଜିତ ଦୋଳ ବିମାନରେ ଉପବିଷ୍ଟ ହୋଇ ମନ୍ଦିରଠାରୁ ୧ କିମି ଦୂରତ୍ୱରେ ଅବସ୍ଥିତ ଐତିହାସିକ ମେଳଣ ମଣ୍ଡପକୁ ବିଜେ ଯାତ୍ରା କରିବେ । ଏହି ଜମାଣ ରାତ୍ରରେ ପୂର୍ବ ବର୍ଷମାନଙ୍କ ଅପେକ୍ଷା ନିଆରା ଆକର୍ଷଣୀୟ କଳରଙ୍ଗମାନ ଭାଗ ନେଉଥିବା ବେଳେ ଖ୍ୟାତନାମା କଳାକାରମାନଙ୍କ ଦ୍ୱାରା ଆତସବାଜି ପ୍ରଦର୍ଶନ କରାଯିବ । ଉତ୍ସବରେ ବିଭିନ୍ନ ଅଞ୍ଚଳରୁ ଘଣ୍ଟବାଦ୍ୟ ଦଳ, ଶଙ୍ଖଧ୍ୱନି ଦଳ, ବାଦ୍ୟବିଚିତ୍ରା ଦଳ, ସଂକିର୍ତ୍ତନ ଦଳ, ପାଇକ ଆଖଡା, ଅଗ୍ନିପିଣ୍ଡୁଳା ପ୍ରଦର୍ଶନ, ଭେରୀ, ତୁରୀ ଧ୍ୱନି ପଭୃତି କାର୍ଯ୍ୟକ୍ରମ କରାଯିବାର ବ୍ୟବସ୍ଥା ଥିବା ବେଳେ ବିଭିନ୍ନ ଯୁବ ସଂଗଠନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ । ୧୪ ଓ ୧୫ ତାରିଖ ସନ୍ଧ୍ୟା ଆଳତୀରେ ଶତାଧିକ ଛୋଟପିଲାଙ୍କ ବେଶଭୁଷା ଓ ମନ୍ତ୍ରପାଠରେ ଆକର୍ଷଣୀୟ ଆଳତୀ କାର୍ଯ୍ୟକ୍ରମ କାରାଯିବ । ୧୫ ତାରିଖ ଅପରାହ୍ନ ୩ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ୫୦୦ରୁ ଅଧିକ ସଂକିର୍ତ୍ତନ ମଣ୍ଡଳୀଙ୍କ ଦ୍ୱାରା ବିରାଟ ହରିହାଟ କାର୍ଯ୍ୟକ୍ରମ କରାଯିବ । ଜିଲ୍ଲା ପ୍ରଶାସନ ତରଫରୁ ଅଧିକ ଆରକ୍ଷୀ ବ୍ୟବସ୍ଥା, ଅଗ୍ନିନିର୍ବାପକ ଦମକଳ ଗାଡି ନିୟୋଜନ, ସ୍ୱାସ୍ଥ୍ୟ ଶିବିର, ପାନୀୟ ଜଳ ଯୋଗାଣ, ଅସ୍ଥାୟୀ ଶୌଚାଳୟ ସ୍ଥାପନ, ବିଭିନ୍ନ ବିଭାଗର ଅଲଗା ଅଲଗା ପ୍ରଦର୍ଶନୀ ମଣ୍ଡପ ସ୍ଥାପନ, ମହିଳା ସଶକ୍ତିକରଣ ତରଫରୁ ଷ୍ଟଲ ସ୍ଥାପନ, ଟ୍ରାଫିକ ସୁପରିଚାଳନା ବ୍ୟବସ୍ଥା ସହିତ ସଂସ୍କୃତି ବିଭାଗ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମମାନ କରାଯିବାର ବ୍ୟବସ୍ଥା ରହିଛି । ଏହାସହ ୧୨ରୁ ୧୬ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ହାଇଟେକ ମେଡିକାଲ ତରଫରୁ ମେଗା ସ୍ୱାସ୍ଥ୍ୟ ସେବା ଶିବିର ସ୍ଥାପନ କରାଯିବ ବୋଲି ମେଳଣ ପରିଚାଳନା ପରିଷଦ ସଂଯୋଜକ ପ୍ରସନ୍ନ ମାହାରଥି କହିଛନ୍ତି ।

Leave A Reply

Your email address will not be published.