ହଳଦୀ କଲ୍ୟାଣ ମଣ୍ଡପଠାରେ ନିଖିଳ ଓଡିଶା ଆଶା କର୍ମୀ ସଂଘ ମୁରିବାହାଲ ବ୍ଲକ ପକ୍ଷରୁ ବାର୍ଷିକ ସମ୍ମିଳନୀ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ କଲ୍ୟାଣ ମଣ୍ଡପଠାରେ ନିଖିଳ ଓଡିଶା ଆଶା କର୍ମୀ ସଂଘ ମୁରିବାହାଲର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ସଭାପତି ପଦ୍ମନାଭ ସାହୁଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ମୁରିବାହାଲ ବ୍ଲକ ଏକାଉଣ୍ଟ ଅଫିସର ଘେନୁରାମ ତାଣ୍ଡି, ସମ୍ମାନିତ ଅତିଥି ଭାବରେ ଏଆଇଟିୟୁସି ବଲାଙ୍ଗିର ଜିଲ୍ଲା ସଭାପତି ବିଭୁଦତ୍ତ ମିଶ୍ର, ନିଖିଳ ଓଡିଶା ଆଶା କର୍ମୀ ସଂଘ ସଭାପତି ତୀର୍ଥ ପଧାନ, ସୁପରଭାଇଜର ବାସନ୍ତୀ ଭୋଇ, ଜିଲ୍ଲା ସମ୍ପାଦିକା ଓମିଓ ଗୁପ୍ତା, ସମ୍ପାଦିକା ପୁଷ୍ପା କୁମ୍ଭାର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଜାତୀୟ ମିଶନ ଜରିଆରେ ଗ୍ରାମାଞ୍ଚଳରେ ମା’ ଓ ଶିଶୁର ବିକାଶ ସହିତ ସମସ୍ତ ଗର୍ଭବତୀ ମା’ଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ରରେ ସୁରକ୍ଷିତ ମାତୃତ୍ୱ ଲାଭ ପାଇଁ ଜନନୀ ସୁରକ୍ଷା ଯୋଜନା କାର୍ଯ୍ୟକାରୀ ହେଉଛି । ଏଥିପାଇଁ ଆଶା କର୍ମୀମାନଙ୍କୁ ଜୀବନ ଚକ୍ର ଢାଞ୍ଚାରେ କାମ କରିବାକୁ ନିଯୁକ୍ତି ଦିଆଯାଇଛି । ଗର୍ଭବତୀ ମହିଳାମାନେ ଯେପରି ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରସବ କରିପାରିବେ ଓ ନବଜାତ ଶିଶୁର ଯତ୍ନ ନିଆଯାଇ ପାରିବ ତାର ଦାୟିତ୍ୱ ଆଶା କର୍ମୀଙ୍କ ଉପରେ ନିର୍ଭର, ହେଲେ ଏସବୁ କାମ ଠିକ ଭାବରେ କରିବା ସତ୍ତ୍ୱେ ମଧ୍ୟ ବଞ୍ଚି ପାରିବା ଭଳି ପାଉଣା ପାଇଁ ପାରୁନାହାନ୍ତି ବୋଲି ମତପ୍ରକାଶ ପାଇଛି । ୧୧ ଦଫା ନେଇ ନିଖିଳ ଓଡିଶା ଆଶା କର୍ମୀ ସଂଘ ମୁରିବାହାଲ ସିଏସସି କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡ଼ିଓଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି । ସେମାନଙ୍କ ଦାବୀଗୁଡିକ ମଧ୍ୟରୁ ଆଶା କର୍ମୀମାନଙ୍କୁ ସରକାରୀ ମାନ୍ୟତା ଦିଆଯାଉ, ଚୁକ୍ତିଭିତ୍ତିକ ବନ୍ଦ କରି ମାସିକ ହିସାବରେ ଦିଆଯାଉ, ସର୍ବନିମ୍ନ ମଜୁରୀ ଦିଆଯାଉ, ସିଏଚଓ ସ୍କିମର ପଇସା ସମସ୍ତ ଆଶାଙ୍କୁ ଦିଆଯାଉ, ସେକ୍ଟରସ୍ତରୀୟ ବୈଠକର ଟିଏ, ଡିଏ ବର୍ଦ୍ଧିତ କରାଯାଉ, ସମସ୍ତ ଆଶାଙ୍କୁ ସିମ ସହିତ ୫-ଜି ହେଣ୍ଡସେଟ୍‌ ଦିଆଯାଉ, ଅବସର ପରେ ଗ୍ରାଚୁଏଟି ପାଞ୍ଚ ଲକ୍ଷ ଦିଆଯାଉ, ଡ଼ାକ୍ତରଖାନାର ମହିଳା, ପୁରୁଷ ସ୍ଵାସ୍ଥ୍ୟ କର୍ମୀ ଓ ସିଏଚଓ ଖାଲି ସ୍ଥାନ ପୂରଣ କରାଯାଉ, ଡ଼ାକ୍ତରଖାନାରେ ବିଭିନ୍ନ ବିଭାଗର ବିଭିନ୍ନ ବିଶେଷଜ୍ଞ ୩ ଜଣ ଲେଖାଏଁ ଦିଆଯାଉ, ଆଶାଙ୍କୁ ଯୋଗ୍ୟତା ଅନୁସାରେ ପଦୋନ୍ନତି କରାଯାଉ, ଯୋଗ୍ୟତା ଅନୁସାରେ ସରକାରଙ୍କ ତରଫରୁ ଏଏନଏମ/ ଜିଏନଏମ ତାଲିମ ଦିଆଯାଉ ବୋଲି ସେମାନେ ଦାବୀ କରିଥିଲେ । ପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମୁରିବାହାଲ ବିଡ଼ିଓଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି । ଏଥିରେ ମୁରିବାହାଲ ବ୍ଲକର ସମସ୍ତ ଆଶା କର୍ମୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.