ନୂଆପଡ଼ାରେ ଜିଲ୍ଲା ସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି ଓ ଜନ ଆରୋଗ୍ୟ ସମିତି ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ

ନୂଆପଡ଼ା, (ସନ୍ତୋଷ ପଟ୍ଟନାୟକ) : ନୂଆପଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ପରସାଗୁଡ଼ା ସ୍ଥିତ ବହୁମୁଖୀ ସଭାଗୃହରେ ଜିଲ୍ଲା ସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି ଓ ଜନ ଆରୋଗ୍ୟ ସମାଜର ବାର୍ଷିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଏହି ସମ୍ମିଳନୀ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଡଲି ମାଝୀ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଦୀପିକା ଦୀପ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ମୁଖ୍ୟ ଚିକିତ୍ସା ଓ ସ୍ୱାସ୍ଥ୍ୟ ଅଧିକାରୀ ଡା. ଧନେଶ୍ୱର ସେଠୀ ପ୍ରମୁଖ ଯୋଗ ଦେଇଥିଲେ । ଅତିଥିମାନେ ସ୍ୱାସ୍ଥ୍ୟ ସେବାରେ ଆଶା କର୍ମୀ ଓ ଗାଁ କଲ୍ୟାଣ ସମିତିର ଭୂମିକାକୁ ପ୍ରଶଂସା କରିଥିଲେ । ଗ୍ରାମ୍ୟ ଅଞ୍ଚଳରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ସେବା ପ୍ରଦାନ, ସଚେତନତା ସୃଷ୍ଟି ଓ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ସଫଳ କାର୍ଯ୍ୟନ୍ୱୟନରେ ଆଶା କର୍ମୀମାନଙ୍କ ଅବଦାନ ଉଲ୍ଲେଖନୀୟ ବୋଲି ସେମାନେ କହିଥିଲେ । ଏହି ଅବସରରେ ଜିଲ୍ଲା ସ୍ତରୀୟ ଶ୍ରେଷ୍ଠ ଆଶା କର୍ମୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ନୂଆପଡ଼ା ବ୍ଲକର ମାରାଗୁଡ଼ାର ରେମତି ମାଝୀ ପ୍ରଥମ ସ୍ଥାନ ଅଧିକାର କରି ୬ ହଜାର ଟଙ୍କା ପୁରସ୍କାର ପାଇଥିଲେ । ଖରିଆର ବ୍ଲକର ଲଞ୍ଜିର ହେମକାନ୍ତି ଚଲାନ ଦ୍ୱିତୀୟ ସ୍ଥାନ ଅଧିକାର କରି ୫ ହଜାର ଟଙ୍କା ଏବଂ ବୋଡେନ ବ୍ଲକର ବଇରଗାଁର ଦମୟନ୍ତୀ ମାଝୀ ତୃତୀୟ ସ୍ଥାନ ଅଧିକାର କରି ୪ ହଜାର ଟଙ୍କା ପୁରସ୍କାର ପାଇଥିଲେ । ସେହିପରି ଜିଲ୍ଲାର ବିଭିନ୍ନ ବ୍ଲକର ଶ୍ରେଷ୍ଠ କାର୍ଯ୍ୟଦକ୍ଷ ଜନ ଆରୋଗ୍ୟ ସମାଜ ମଧ୍ୟ ପୁରସ୍କୃତ ହୋଇଥିଲେ । ନୂଆପଡ଼ା ବ୍ଲକର ଭରୁଆମୁଣ୍ଡା (ମାରାଗୁଡ଼ା), କୋମନା ବ୍ଲକର ସିଆଲଟି, ଖରିଆର ବ୍ଲକର ବାଦି, ବୋଡେନ ବ୍ଲକର ଖଇରା ଏବଂ ସିନାପାଲି ବ୍ଲକର କରଙ୍ଗାବାହାଲି ଜନ ଆରୋଗ୍ୟ ସମାଜ ପ୍ରଥମ ସ୍ଥାନ ଅଧିକାର କରି ପ୍ରତ୍ୟେକେ ୧୩ ହଜାର ଟଙ୍କା ଲେଖାଏଁ ପୁରସ୍କାର ପାଇଥିଲେ । ଏହା ସହିତ ସୁସ୍ଥ ଗାଁ ପୁରସ୍କାର ଅନ୍ତର୍ଗତ ନୂଆପଡ଼ା ବ୍ଲକର ସରବଙ୍ଗ ଗ୍ରାମର ମୌଲିଭଟା, କୋମନା ବ୍ଲକର ମାନିଗୁଡ଼ା ଗ୍ରାମର ଜଟଗଡ଼, ଖରିଆର ବ୍ଲକର ଚନାବେଡା ଗ୍ରାମର ଭୋଜପୁର, ବୋଡେନ ବ୍ଲକର ଖଇରା ଗ୍ରାମର ବହାଲ ଏବଂ ସିନାପାଲି ବ୍ଲକର ଗୋରଲା ଗ୍ରାମର ପତିଆଲପଡ଼ା ଗାଁ କଲ୍ୟାଣ ସମିତିକୁ ପ୍ରତ୍ୟେକ ୧୦ ହଜାର ଟଙ୍କା ପୁରସ୍କାର ଦିଆଯାଇଥିଲା । ସେହିପରି ସ୍ୱାସ୍ଥ୍ୟ ସଂସ୍ଥାମାନଙ୍କର ଉତ୍କୃଷ୍ଟ କାର୍ଯ୍ୟଦକ୍ଷତା ପାଇଁ କାୟାକଳ୍ପ ଓ ଏନ୍‌କ୍ୟୁଏଏସ୍‌ ପୁରସ୍କାର ଅନ୍ତର୍ଗତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନୂଆପଡ଼ା, ସିଏଚ୍‌ସି ଖରିଆର ରୋଡ୍‌, କୋମନା, ବୋଡେନ, ସିନାପାଲି ଓ ଏସଡିଏଚ୍‌ ଖରିଆର ସହ ଅନ୍ୟାନ୍ୟ ଆମ୍ ଆଦମୀ ସ୍ୱାସ୍ଥ୍ୟ କେନ୍ଦ୍ରମାନ ସମ୍ମାନିତ ହୋଇଥିଲେ । କାର୍ଯ୍ୟକ୍ରମରେ ସମସ୍ତ ସ୍ବାସ୍ଥ୍ୟ ଅଧିକାରୀ, ଏନ୍‌ଏଚ୍‌ଏମ୍‌ ଡିପିଏମ୍ ସତ୍ୟନାରାୟଣ ତ୍ରିପାଠୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଏସ୍‌. ଗୀତା ସହିତ ବିଭିନ୍ନ ବ୍ଲକର ସ୍ୱାସ୍ଥ୍ୟ କର୍ମୀ, ଆଶା କର୍ମୀ ଓ ଗାଁ କଲ୍ୟାଣ ସମିତିର ସଦସ୍ୟମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.