ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଆସନ୍ତା ଜାନୁଆରୀ ୧୩ରୁ ୧୫ ତାରିଖ ଯାଏଁ ଟିଟିଲାଗଡ ବ୍ୟାଡମିଣ୍ଟନ କୋର୍ଟ ଠାରେ ପ୍ରତ୍ୟେକ ଦିନ ସନ୍ଧ୍ୟା ୫ଟାରୁ ରାତି ୯ଟା ଯାଏଁ ଅଲ୍ ଓଡିଶା ବ୍ୟାଡମିଣ୍ଟନ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି । ଟିଟିଲାଗଡ ଲାୟନ୍ସ ଓ ଲିଓ କ୍ଲବ ତରଫରୁ ଏହି ପ୍ରତିଯୋଗିତା ଆୟୋଜନ ହେଉଥିବା ବେଳେ ଟିଟିଲାଗଡ ବ୍ୟାଡମିଣ୍ଟନ ଆସୋସିଏସନ୍ ମଧ୍ୟ ଏହି ପ୍ରତିଯୋଗିତା ଆୟୋଜନ କରିବାରେ ସହଯୋଗ କରୁଛି । ଏହି ପ୍ରତିଯୋଗିତା ଆୟୋଜନ ସମ୍ବନ୍ଧରେ ଶୁକ୍ରବାର ସନ୍ଧ୍ୟାରେ ଟିଟିଲାଗଡ ଲାୟନସ ଡେନ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା । ଏଥିରେ ଲାୟନ୍ସ କ୍ଲବ ସଭାପତି ଲାୟନ୍ ସଞ୍ଜୟ ସୋନି, ପିଡିଜି ଲାୟନ ଯମୁନା ପ୍ରସାଦ ଗୋଏଲ, ଟିବିଏ ସଭାପତି ତଥା କ୍ଲବ ସଦସ୍ୟ ଲାୟନ ପ୍ରମୋଦ ପ୍ରଧାନ, ପ୍ରତିଯୋଗିତାର ପ୍ରୋଜେକ୍ଟ ଡାଇରେକ୍ଟର ଲାୟନ ନୀରୋଜ ପଟ୍ଟନାୟକ, ଲିଓ କ୍ଲବ ସଭାପତି ପ୍ରତ୍ୟୁଷ ସାହୁ ମଞ୍ଚାସୀନ ହୋଇ ସାମ୍ୱାଦିକଙ୍କୁ ସବିଶେଷ ବିବରଣୀ ପ୍ରଦାନ କରିଥିବା ବେଳେ ସଭା ପରିଚାଳନା କରିଥିଲେ କ୍ଲବର ମାର୍କେଟିଂ ଚେୟାର ପର୍ସନ ଲାୟନ ସଞ୍ଜୟ କୁମାର ନାୟକ । ତେବେ ଆଜି ଯାଏଁ ୩୨ଟି ଟିମ୍ ପଞ୍ଜିକରଣ କରିଥିବା ବେଳେ ଓଡିଶାର ବିଭିନ୍ନ ପ୍ରାନ୍ତରୁ ଖେଳାଳୀ ଆସି ଅଂଶ ଗ୍ରହଣ କରିବେ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି । ଏହି ପ୍ରତିଯୋଗିତାର ବିଜେତା ଟିମଙ୍କୁ ୨୨,୨୨୨ ଓ ରନର୍ସ ଅପ୍ ଟିମକୁ ୧୧,୧୧୧ ଟଙ୍କା ପୁରସ୍କାର ରାଶି ଦେବାକୁ ଘୋଷଣା କରାଯାଇଛି । ସେହିପରି ଏହି ପ୍ରତିଯୋଗିତାରେ ଅତିଥି ଭାବେ ବିଧାୟକ, ସାଂସଦ, ପୌର ପରିଷଦର ଅଧ୍ୟକ୍ଷା, ଉପ ଜିଲ୍ଲାପାଳ, ଥାନାଧିକାରୀଙ୍କ ସମେତ ସହରର ମାନ୍ୟଗଣ୍ୟ ବ୍ୟକ୍ତି ବିଶଷଙ୍କୁ ନିମନ୍ତ୍ରଣ କରାଯାଇଥିବା ସୂଚନା ପ୍ରଦାନ କରିଛନ୍ତି । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଲିଓ କ୍ଲବ ସଭାପତି ପ୍ରତ୍ୟୁଷ ସାହୁ । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ କ୍ଲବର ଅସୀମ କୁଣ୍ଡୁ, କୋଷାଧ୍ୟକ୍ଷ ବିନୟ ଜୈନ, ସନ୍ତୋଷ ମହାନ୍ତି, ସଞ୍ଜୟ ବନଶଂଲ, ଆବାସ ଖାଁ, ଲିଓ ରୋଶନ ଖମାରୀ, ଶୁଭୋଜିତ୍ ସାମନ୍ତ, ସୁଶୀଲ ଗୋଏଲ, ଶଙ୍କର ପ୍ରଧାନ, ଶ୍ରୀତମ ସାହୁ ପ୍ରମୁଖ ସହଯୋଗ କରିଥିଲେ ।