ଓଡ଼ିଶାର କୋଣାର୍କଠାରେ ତୃତୀୟ ଜାତୀୟ ଖଣି ମନ୍ତ୍ରୀମାନଙ୍କ ସମ୍ମିଳନୀ ଆୟୋଜନ କରିବ ଖଣି ମନ୍ତ୍ରଣାଳୟ

ଭୁବନେଶ୍ୱର, (ପିଆଇବି) : ଖଣି ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶା ସରକାରଙ୍କ ସହଯୋଗରେ ଜାନୁଆରୀ ୨୦ରୁ ୨୧ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର କୋଣାର୍କଠାରେ ତୃତୀୟ ଜାତୀୟ ଖଣି ମନ୍ତ୍ରୀମାନଙ୍କ ସମ୍ମିଳନୀ ଆୟୋଜନ କରାଯାଉଛି । ଏହି ଦୁଇ ଦିନିଆ କାର୍ଯ୍ୟକ୍ରମ ‘ବିକଶିତ ଭାରତ୨୦୪୭’ର ପରିକଳ୍ପନା ଅନୁଯାୟୀ ଆୟୋଜନ କରାଯାଉଛି । ଏଥିରେ ୧୬ରୁ ଅଧିକ ରାଜ୍ୟର ଖଣି ମନ୍ତ୍ରୀଙ୍କ ସମେତ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ, ଜମ୍ମୁ ଓ କଶ୍ମୀରର ଉପମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ଓ ଓଡ଼ିଶା ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଯୋଗଦେବେ । କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଜି. କିଶନ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେବେ ।
ସମ୍ମିଳନୀର ମୁଖ୍ୟ ଆକର୍ଷଣ
୧. ଖଣିରେ ରାଜ୍ୟଗୁଡ଼ିକର ସର୍ବୋତ୍ତମ ଅଭ୍ୟାସ ଉପରେ ରିପୋର୍ଟ ଉନ୍ମୋଚନ : ରାଜ୍ୟମାନଙ୍କ ଦ୍ୱାରା କାର୍ଯ୍ୟକାରୀ ଅଭିନବ ପ୍ରଶାସନ ମଡେଲଗୁଡ଼ିକୁ ପ୍ରଦର୍ଶିତ କରିବା, ଖଣି ଅଭ୍ୟାସରେ ଦକ୍ଷତା ଏବଂ ସ୍ୱଚ୍ଛତାରେ ଉନ୍ନତି ଆଣିବା ଏହି ରିପୋର୍ଟର ଉଦ୍ଦେଶ୍ୟ ।
୨. ମାଇନିଂ ଟେନମେଣ୍ଟ ସିଷ୍ଟମ (ଏମ୍‌ଟିଏସ୍‌) ମଡ୍ୟୁଲର ଶୁଭାରମ୍ଭ : ଡିଜିଟାଲ ପ୍ରଶାସନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ, ଏହି ମଡ୍ୟୁଲ୍ ଖଣି କାର୍ଯ୍ୟକୁ ସୁବ୍ୟବସ୍ଥିତ କରିବ ଏବଂ ଉତ୍ତରଦାୟିତ୍ୱ ବଢ଼ାଇବ ।
୩. ଷ୍ଟାର୍ଟଅପ୍ ଗୁଡ଼ିକୁ ଅନୁମୋଦନ ପତ୍ର ପ୍ରଦାନ : ସ୍ଥାୟୀ ଖଣି ବ୍ୟବସ୍ଥାରେ ନବସୃଜନକୁ ପ୍ରୋତ୍ସାହିତ କରିବା ପାଇଁ ନିଆଯାଇଥିବା ପଦକ୍ଷେପ ଅଧୀନରେ ଚୟନିତ ଷ୍ଟାର୍ଟଅପ୍ଗୁଡ଼ିକୁ ଅନୁମୋଦନ ପତ୍ର ମିଳିବ ।
୪. ଜିଓଲୋଜିକାଲ ମେମୋରେଣ୍ଡମ (ଜିଏମ୍‌) ଏବଂ ଜିଓଲୋଜିକାଲ ରିପୋର୍ଟ (ଜିଆର୍‌) ହସ୍ତାନ୍ତର : ଖଣି ଏବଂ ରାଜ୍ୟ ମନ୍ତ୍ରଣାଳୟକୁ ବିସ୍ତୃତ ତଥ୍ୟ ପ୍ରଦାନ କରାଯିବ, ଯାହା ଅନୁସନ୍ଧାନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବ । ୫. ଛତିଶଗଡ଼ ଦ୍ୱାରା ଗୁରୁତ୍ୱପୂର୍ଣ୍ଣ ଖଣିଜ ବ୍ଲକର ଜିଓଲୋଜିକାଲ ରିପୋର୍ଟ ହସ୍ତାନ୍ତର : ଗୁରୁତ୍ୱପୂର୍ଣ୍ଣ ଖଣିଜ ବ୍ଲକର ଜିଓଲୋଜିକାଲ ରିପୋର୍ଟ ଖଣି ମନ୍ତ୍ରଣାଳୟକୁ ପ୍ରଦାନ କରାଯିବ, ଯାହା ଗୁରୁତ୍ୱପୂର୍ଣ୍ଣ ଖଣିଜ କ୍ଷେତ୍ରରେ ଭାରତର ଆତ୍ମନିର୍ଭରଶୀଳତାରେ ସହାୟକ ହେବ ।
୬. ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟକୁ ପୁରସ୍କାର : ଖଣି ନିଲାମ ଓ ଖଣି ସଂସ୍କାର କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଶ୍ରେଷ୍ଠ ପ୍ରଦର୍ଶନ କରୁଥିବା ରାଜ୍ୟଗୁଡ଼ିକୁ ପୁରସ୍କୃତ କରାଯିବ ।
୭. ଗୁରୁତ୍ୱପୂର୍ଣ୍ଣ ଖଣିଜ ବ୍ଲକର ପଞ୍ଚମ କିସ୍ତିର ଶୁଭାରମ୍ଭ : ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥର ଅନୁସନ୍ଧାନକୁ ତ୍ୱରାନ୍ୱିତ କରିବା ଏବଂ ଘରୋଇ କ୍ଷେତ୍ରର ପୁଞ୍ଜିନିବେଶକୁ ଆକୃଷ୍ଟ କରିବା, ଯାହା ଦ୍ୱାରା ଆମଦାନୀ ନିର୍ଭରଶୀଳତା
ହ୍ରାସ ପାଇବ ।
ସମ୍ମିଳନୀର ଫୋକସ୍ କ୍ଷେତ୍ର
ଏହି ସମ୍ମିଳନୀ ରାଜ୍ୟର ଖଣି ମନ୍ତ୍ରୀ, ବରିଷ୍ଠ ସରକାରୀ ଅଧିକାରୀ ଏବଂ ଅଂଶୀଦାରମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ଖଣି କ୍ଷେତ୍ର ପାଇଁ ରଣନୀତି ଉପରେ ଆଲୋଚନା କରିବା ପାଇଁ ଏକ ମଞ୍ଚ ପ୍ରଦାନ କରିବ । ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ, ଡିଜିଏମ୍ଏସ୍ (ଖଣି ନିରାପତ୍ତା ମହାନିର୍ଦ୍ଦେଶାଳୟ) ଏବଂ ରେଳବାଇର ଅଧିକାରୀମାନେ ଖଣି କ୍ଷେତ୍ରରେ ନିରାପତ୍ତା, ସ୍ଥାୟୀତା, ପରିବେଶ ସମସ୍ୟା ଏବଂ ପରିବହନ ଆହ୍ୱାନ ଭଳି ପ୍ରମୁଖ ପ୍ରସଙ୍ଗ ଉପରେ ଉପସ୍ଥାପନା ଦେବେ । ସମଗ୍ର ଦେଶରେ ଦକ୍ଷ, ସୁରକ୍ଷିତ ଏବଂ ପରିବେଶ ଅନୁକୂଳ ଖଣି କାର୍ଯ୍ୟ ସୁନିଶ୍ଚିତ କରିବା ପାଇଁ ସହଯୋଗକୁ ପ୍ରୋତ୍ସାହିତ କରିବା ଉପରେ ଗୁରୁତ୍ୱ ଦିଆଯିବ । ଏହି ସମ୍ମିଳନୀର ଲକ୍ଷ୍ୟ ହେଉଛି ନିରନ୍ତର ବିକାଶ ଲକ୍ଷ୍ୟ ଅନୁଯାୟୀ ଭାରତର ଖଣି ଇକୋସିଷ୍ଟମକୁ ସୁଦୃଢ଼ କରିବା । ୩ୟ ଜାତୀୟ ଖଣି ମନ୍ତ୍ରୀମାନଙ୍କ ସମ୍ମିଳନୀ ଏକ ସ୍ୱଚ୍ଛ, ସ୍ଥାୟୀ ଏବଂ ଦକ୍ଷ ଖଣି ଇକୋସିଷ୍ଟମ ସୃଷ୍ଟି କରିବା ପାଇଁ ମନ୍ତ୍ରଣାଳୟର ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ । ଭାରତର ଖଣିଜ ସମ୍ପଦର ସମ୍ଭାବନାକୁ ଉନ୍ମୋଚନ କରିବା ଏବଂ ‘ବିକଶିତ ଭାରତ ୨୦୪୭’ ପରିକଳ୍ପନାରେ ଦେଶର ବିକାଶରେ ଯୋଗଦାନ କରିବା ଏହି ପଦକ୍ଷେପର ଉଦ୍ଦେଶ୍ୟ ।

Leave A Reply

Your email address will not be published.