ମାନସିକ ଅବସାଦ ସମ୍ପର୍କିତ ଆକ୍ୟୁପ୍ରେସର ସମ୍ମିଳନୀ ଆରମ୍ଭ

  • ମନ ଉପରେ ଗବେଷଣା ହେଉଛି ଶ୍ରେଷ୍ଠ ସାଧନା

ରାଉରକେଲା, (ସସ୍ମିତା ପ୍ରଧାନ) : ଶିବାନନ୍ଦ ନିଃଶୁଳ୍କ ଆକ୍ୟୁପ୍ରେସର ସେଣ୍ଟର୍ ରାଉରକେଲାର ରଜତ ଜୟନ୍ତୀ ଉପଲକ୍ଷେ ମାନସିକ ଅବସାଦ ସମ୍ପର୍କିତ ତ୍ରିଦିବସୀୟ ଆକ୍ୟୁପ୍ରେସର ସମ୍ମିଳନୀ ସେକ୍ଟର ୨ସ୍ଥିତ ଗାୟତ୍ରୀ ପୀଠ ଠାରେ ଆରମ୍ଭ ହୋଇଛି । ସ୍ୱାମୀ ବ୍ରହ୍ମ ସାକ୍ଷାତକାରନନ୍ଦ ସରସ୍ଵତୀ ମହାରାଜଙ୍କ ସଭାପତିତ୍ୱ ଓ ସୁସ୍ମିତା ମହାପାତ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଋଷିକେଶ ଆଶ୍ରମର ମୁଖ୍ୟ ସ୍ୱାମୀ ଦେବଭକ୍ତାନନ୍ଦଜୀ ସରସ୍ଵତୀ ମହାରାଜ ସ୍ୱତନ୍ତ୍ର ଅତିଥି, ଆଇଜିଏଚ୍‌ର ମୁଖ୍ୟ ଡାକ୍ତର ଜୟନ୍ତ ଆଚାର୍ଯ୍ୟ ମୁଖ୍ୟଅତିଥି, ସମାଜସେବୀ ଡ଼ଃ. ସୁମନ ଦତ୍ତ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମାନସିକ ଅବସାଦ, ଶାରିରୀକ ଅସୁସ୍ଥତା ସମୟରେ ଆକ୍ୟୁପ୍ରେସର ଚିକିତ୍ସାର ସଫଳ ଉପଯୋଗିତା ଓ ଉପକାରିତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ସଭାପତିତ୍ୱ ଅଭିଭାଷଣରେ ସ୍ୱାମୀ ବ୍ରହ୍ମସାକ୍ଷାତକାର ନନ୍ଦଜୀ ତାଙ୍କ ବକ୍ତବ୍ୟରେ ମନର ଅସ୍ଥିତ୍ୱ, ୪ ପ୍ରକାର ମନ, ମନକୁ ଆୟତ କରିବା ଉପରେ ଗୁରୁତ୍ୱାରୋପ କରି କହିଲେ ଯେ ମନ ଉପରେ ଗବେଷଣା ହେଉଛି ଶ୍ରେଷ୍ଠ ସାଧନା । ମନ ସୁସ୍ଥ ରହିଲେ ସାମାଜିକ, ଆଧ୍ୟାତ୍ମିକ ସ୍ତର ସୁସ୍ଥ ରହିପାରିବ । ଏହାସହ ସମାଜର ଅବକ୍ଷୟ ଏବଂ ନିରାକରଣ ସମ୍ପର୍କରେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ସଭାପତି ବିଜୟାନନ୍ଦ ଅଗ୍ରୱାଲ, ଡିଏଲ୍‌ଏସ୍‌ ସଭାପତି ରବିନ୍ଦ୍ର କୁମାର ପାଣ୍ଡବ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଦ୍ୱିତୀୟ ପର୍ଯ୍ୟାୟ ପ୍ରାକ୍ଟିକାଲ ସେସନରେ ମସ୍ତିଷ୍କ ନିରୁପଣ, ଦ୍ୱିମେରୁ ଅସୁସ୍ଥତା, ମାନସିକ ସ୍ଵାସ୍ଥ୍ୟର ବୋଧଶକ୍ତି ଓ ଅପବାଦ ଭଙ୍ଗ, ଖାଦ୍ୟନଳୀ ମସ୍ତିଷ୍କ ସଂଯୋଗ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହି ଅବସରରେ ଏକ ସ୍ମରଣିକା ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଜ୍ୟୋତିର୍ମୟୀ ମହାନ୍ତି, ଦିଗମ୍ବର ପାଢ଼ୀ, ରାମକୃଷ୍ଣ ତ୍ରିପାଠୀ, ଏଲିନା ଦାଶ, ସୁରେନ୍ଦ୍ର କୁମାର ବେହେରା, ତାପସ ରଞ୍ଜନ ବଳିଆର ସିଂହଙ୍କ ସମେତ ଅନୁଷ୍ଠାନର ବହୁ ସଦସ୍ୟ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଆସନ୍ତା କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଯୋଗଦେଇ ଆକ୍ୟୁପ୍ରେସରର ଉପଯୋଗ ଓ ଏହା ଉପରେ ଅଧିକ ଜ୍ଞାନ ଆହରଣ ପାଇଁ ଏଭଳି କାର୍ଯ୍ୟକ୍ରମ କରାଯାଇଥିବା ସୂଚନା ଦିଆଯାଇଛି ।

Leave A Reply

Your email address will not be published.