ହାପି ମୋମେଣ୍ଟସର ସମ୍ମାନ ସମାରୋହ ଓ ରାଷ୍ଟ୍ରୀୟ ପ୍ରତିଭା ଖୋଜ ସମ୍ପନ୍ନ

  • କୁଞ୍ଜବିହାରୀ ରାଉତ ଓ ଦୁତୀ ଚାନ୍ଦଙ୍କୁ ଝାଡ଼ଖଣ୍ଡ ସେବା ସମ୍ମାନ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ହାପି ମୋମେଣ୍ଟସ ଅଫ୍ ଇଣ୍ଡିଆ ତରଫରୁ ସମ୍ମାନ ସମାରୋହ ଓ ରାଷ୍ଟ୍ରୀୟ ପ୍ରତିଭା ଖୋଜ କାର୍ଯ୍ୟକ୍ରମ ଝାଡ଼ଖଣ୍ଡ ରାଜ୍ୟର ରାଜଧାନୀ ରାଞ୍ଚିର ଚ୍ୟାମ୍ବର ଅଫ୍ କମର୍ସ ହଲ୍ ଠାରେ ଅନୁଷ୍ଠିତ ହୋଇଯାଇଛି । ଦୁଇଟି ପର୍ଯ୍ୟାୟରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଡ. ଏପିଜେ ଅବଦୁଲ କାଲାମ ପ୍ରଫେସନାଲ୍‌ ଆକ୍ଚିଭର ଆୱାର୍ଡ଼ ଓ ଦ୍ୱିତୀୟ ପର୍ଯ୍ୟାୟରେ ଶିକ୍ଷା, ଚିତ୍ରକଳା, କ୍ରୀଡା, ବ୍ୟବସାୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ବ୍ୟକ୍ତି ବିଶେଷଙ୍କୁ ଝାଡ଼ଖଣ୍ଡ ସେବା ସମ୍ମାନରେ ସମ୍ମାନିତ କରାଯାଇଥିଲା । ଅନୁଷ୍ଠାନର ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ଆବାହକତ୍ୱ, ଜେବା କମର ଓ ଶୁଭାଶିଷ ଚାଟାର୍ଜୀଙ୍କ ସଂଯୋଜନାରେ ଆୟୋଜିତ ଏହି ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପଦ୍ମଶ୍ରୀ ଅଶୋକ ଭଗତ ସମ୍ମାନିତ ଅତିଥି ଭାବେ ଅର୍ଜୁନ ପୁରସ୍କାର ବିଜେତା କ୍ରୀଡାବିତ୍ ଦୁତୀ ଚାନ୍ଦ, ରାଞ୍ଚି ଚ୍ୟାମ୍ବର ଅଫ୍ କମର୍ସର ସଭାପତି କିଶୋର ମନ୍ତ୍ରୀ, ଝାଡ଼ଖଣ୍ଡ ଫିଲ୍ମ ଆଣ୍ଡ ଆର୍ଟ କଲଚର୍‌ର ଅଧ୍ୟକ୍ଷ ଆନନ୍ଦ ଜଲାନ, ରାଉରକେଲା ଜର୍ଣ୍ଣାଲିଷ୍ଟ ଆସୋସିଏସନ୍‌ର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ପ୍ରମୁଖ ଯୋଗଦେଇ ଥିଲେ । ଅତିଥି ମାନେ ସେମାନଙ୍କ ବକ୍ତବ୍ୟରେ ଅନୁଷ୍ଠାନର କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏହା ଅନ୍ୟମାନଙ୍କ ପାଇଁ ଉଦାହରଣ ଓ ପ୍ରେରଣାଦାୟୀ ବୋଲି କହିଥିଲେ । ସେହିପରି ବସ୍ତିରେ ରହୁଥିବା ପିଲାମାନଙ୍କର ପ୍ରତିଭାକୁ ଲୋକଲୋଚନାକୁ ଏହା ଆଣିବାରେ ସହାୟକ ହୋଇଥିବାରୁ ସାଧୁବାଦ ଦେଇଥିଲେ । ପ୍ରତିଭା ସବୁ କ୍ଷେତ୍ରରେ ଅଛି, ତାକୁ ଖୋଜି ବାହାର କରିବା ସମସ୍ତଙ୍କ ଦାୟିତ୍ଵ ହେବା ଦରକାର ବୋଲି ଅତିଥିମାନେ ମତ ରଖିଥିଲେ । ଏହି ଅବସରରେ ନୃତ୍ୟ, ସଂଗୀତ ଓ ମଡେଲିଂ ପ୍ରତିଯୋଗିତା କରାଯାଇଥିଲା । ଏଥିରେ ବିଚାରକ ଭାବେ ବିଜୟ ସିଂ, ସୁପର୍ଣ୍ଣା ଚୌଧୁରୀ, ନୈନା ରାୟ, ସ୍ୱପ୍ନା ଚାଟାର୍ଜୀ, ପ୍ରିୟଙ୍କା ଜୈସ୍ୱାଲ, ନମ୍ରତା ସୋନି, ସବିର ହୁସେନ, ତନୁ ମିତ୍ତଲ, ଅର୍ଶାଦ ଓବିଦ୍ ପ୍ରମୁଖ ଦାୟିତ୍ଵ ତୁଲାଇଥିଲେ । ଅଙ୍କିତା କୁମାରୀ ଓଡିଶୀ ଓ ଶ୍ରୀପର୍ଣ୍ଣା ନୃତ୍ୟ ପରିବେଷଣ କରିଥିବା ବେଳେ ସବୀର ହୁସେନ, ନେନା ରାୟ ପ୍ରମୁଖ ସଂଗୀତ ପରିବେଷଣ କରିଥିଲେ । ପ୍ରାରମ୍ଭରେ ଧରିତ୍ରୀ ଆବା ବିର୍ସା ମୁଣ୍ଡା ଓ ଡ. ଏପିଜେ ଅବଦୁଲ କଲାମଙ୍କ ସ୍ମୃତିରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଅଧ୍ୟକ୍ଷ ଶ୍ରୀ ପଣ୍ଡା ଅନୁଷ୍ଠାନର ଆଭିମୁଖ୍ୟ ଓ ବିଗତ ଦିନରେ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଏହି ଅବସରରେ କୁଞ୍ଜବିହାରୀ ରାଉତ, ଦୁତୀ ଚାନ୍ଦ ଓ ଅନ୍ୟମାନଙ୍କୁ ଝାଡ଼ଖଣ୍ଡ ସେବା ସମ୍ମାନରେ ସମ୍ମାନୀତ କରାଯାଇଥିଲା । ସେହିପରି ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତି ବିଶେଷଙ୍କୁ ଡ. ଏପିଜେ ଅବଦୁଲ କଲାମ ପ୍ରଫେସନାଲ୍‌ ଆକ୍ଚିଭର ଆୱାର୍ଡ଼ରେ ସମ୍ମାନିତ କରାଯାଇଥିଲା । ଶେଷରେ ଶ୍ରୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.