ଢେଙ୍କାନାଳ : ସାଂସ୍କୃତିକ ଅନୁଷ୍ଠାନ ‘ଦେବାଂଶୀ ଡ୍ୟାନ୍ସ ଏକାଡେମୀ’ ପକ୍ଷରୁ ସ୍ଥାନୀୟ ମିନି ଷ୍ଟାଡିୟମରେ ଶନିବାରଠାରୁ ଆରମ୍ଭ ହୋଇଛି ‘ସପ୍ତଶଯ୍ୟା ମହୋତ୍ସବ’ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରିଗେଡିୟର କାମାକ୍ଷା ପ୍ରସାଦ ସିଂଦେଓ, ରାଣୀ ସାବିତ୍ରୀ ଦେବୀ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିଲେ । କଳା ସଂସ୍କୃତିକୁ ବର୍ଷତମାମ ସାଉଁଟିଧରି ଢେଙ୍କାନାଳ ସମଗ୍ର ରାଜ୍ୟରେ ନିଜର ନିଆରା ପରମ୍ପରା ସୃଷ୍ଟି କରିଛି ବୋଲି ସେମାନେ ମତ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲାପାଳ ସରୋଜ କୁମାର ସେଠୀ ଯୋଗ ଦେଇଥିଲେ । ଏହି ଅବସରରେ ବିଶିଷ୍ଟ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ରଞ୍ଜନା ଗୌହରଙ୍କୁ ‘ସପ୍ତଶଯ୍ୟା ସମ୍ମାନ’ରେ ସମ୍ବର୍ଦ୍ଧିତ କରାଯାଇଥିଲା । ନିଜ ପ୍ରତିକ୍ରିୟାରେ ରଞ୍ଜନା କହିଲେ, ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଢେଙ୍କାନାଳ ପ୍ରକୃତିର ବରଦାନ । ଏଠାକାର ପରିବେଶ ଏବଂ ଆତିଥେୟତା ତାଙ୍କୁ ଆନନ୍ଦିତ କରିଥିବା ସେ କହିଛନ୍ତି ।