
ରାଉରକେଲା, (ପିଆଇବି) : ଆପୋଲୋ ହସ୍ପିଟାଲ୍ସ (ଇସ୍ପାତ ପିଜିଆଇ ଏବଂ ଏସଏସଏଚ୍ ପରିଚାଳିତ) ରାଉରକେଲା ପକ୍ଷରୁ ଦ୍ୱିଦିବସୀୟ ୟୁରୋକନ୍ ୨୦୨୫’ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ପ୍ରଖ୍ୟାତ ୟୁରୋଲୋଜିଷ୍ଟ ଡାକ୍ତର ପି.କେ. ମିଶ୍ର, ଡାକ୍ତର କମଳାକାନ୍ତ ପାଣିଗ୍ରାହୀ ଏବଂ ସୁ ପ୍ରତିଷ୍ଠିତ ୟୁରୋଲୋଜିଷ୍ଟ ଏବଂ ନେଫ୍ରୋଲୋଜିଷ୍ଟଙ୍କ ଦ୍ୱାରା ଉତ୍ସାହଜନକ ଅଧିବେଶନ ଆୟୋଜିତ ହୋଇଥିଲା । ବୈଶିଷ୍ଟ୍ୟଯୁକ୍ତ ବିଷୟ ସମ୍ପର୍କରେ ଆଲୋଚନା କରାଯାଇଥିଲା । ବିଶେଷ କରି ଭିଡିଓ ରେକର୍ଡ ହୋଇଥିବା କର୍ମଶାଳା (ୟୁରୋ-ସର୍ଜରୀ), ୟୁରୋଲୋଜିକାଲ ସର୍ଜରୀରେ ସାମ୍ପ୍ରତିକ ଉନ୍ନତି, ଲାପାରୋସ୍କୋପିକ୍ ଏବଂ ସର୍ବନିମ୍ନ ଆକ୍ରମଣାତ୍ମକ ଉଦ୍ଭାବନ, ୟୁରୋଲୋଜି, ନେଫ୍ରୋଲୋଜି ଏବଂ ୟୁରୋ-ସ୍ତ୍ରୀ ରୋଗ ଉପରେ ବକ୍ତୃତାମାଳା ଅନୁଷ୍ଠିତ ହୋଇଥିଲା । ପ୍ରଖ୍ୟାତ ୟୁରୋଲୋଜିଷ୍ଟ ଏବଂ ନେଫ୍ରୋଲୋଜିଷ୍ଟଙ୍କ ସହିତ ପ୍ୟାନେଲ୍ ଆଲୋଚନା କରାଯାଇଥିଲା । କୋଲକାତାର ସିନିୟର କନସଲଟାଣ୍ଟ, ୟୁରୋଲୋଜି ଏବଂ ଟ୍ରାନ୍ସପ୍ଲାଣ୍ଟ ସର୍ଜନ ଡାକ୍ତର ପି.କେ. ମିଶ୍ର, ବ୍ରହ୍ମପୁରର ବରିଷ୍ଠ ୟୁରୋଲୋଜିଷ୍ଟ ପରାମର୍ଶଦାତା ଡାକ୍ତର କେ.କେ. ପାଣିଗ୍ରାହୀ, ଆପୋଲୋ ହସ୍ପିଟାଲର ନେଫ୍ରୋଲୋଜିଷ୍ଟ ପରାମର୍ଶଦାତା ଡାକ୍ତର ୟୁ. ସି. ସାହୁ, ସୁପରିଚିତ ସର୍ଜନ ଡାକ୍ତର ଅଜିତ ଗୋପାଳ ସାମଲ ପ୍ରମୁଖ ବିଭିନ୍ନ ଦିଗରୁ ଆଲୋଚ୍ୟ ବିଷୟ ସମ୍ପର୍କରେ ଆଲୋଚନା କରିଥିଲେ । ଆପୋଲୋ ହସ୍ପିଟାଲର ମେଡିକାଲ ଅଧୀକ୍ଷକ ଅରବିନ୍ଦ ସାମଲ ସ୍ୱାଗତ ଭାଷଣ ସହ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଆୟୋଜକ ତଥା ଆପୋଲୋ ହସ୍ପିଟାଲ ରାଉରକେଲା ର ସିଇଓ ଡାକ୍ତର ଅଖିଳ ଜୈନ ଏହି କର୍ମଶାଳାର ଆଭିମୁଖ୍ୟ ସମ୍ମିଳନୀର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଶେଷରେ ୟୁରୋଲୋଜିଷ୍ଟ ପରାମର୍ଶଦାତା ଡାକ୍ତର ଅଭିଜିତ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ବହୁ ବିଶେଷଜ୍ଞ ଡାକ୍ତର, ଡାକ୍ତରୀ ଛାତ୍ର ଛାତ୍ରୀ, ଇଣ୍ଟରନ ପ୍ରମୁଖ ଯୋଗ ଦେଇଥିଲେ ।