ଜନମ ମାଏଟ ବଚାଓ ସଂଘର୍ଷ ସମିତି

  • ସଲେପାଲି ଗ୍ରାଫାଇଟ ଖଣି ଖନନ ନିଲାମ ପ୍ରତ୍ୟାହାର ଦାବୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ପାଟଣାଗଡ଼ ସାଲେପାଲି ଗ୍ରାଫାଇଟ ଖଣି ଖନନ ନିଲାମ ଦିଆହୋଇସାରିଛି । ଦୁଃଖର ବିଷୟ ଏୟା ଯେ ବିନା ଗ୍ରାମସଭା, ବିନା ପଲ୍ଲିସଭା, ଜନସାଧାରଣଙ୍କ ଅଗୋଚର, ଜନସାଧାରଣଙ୍କ ଅଜାଣତରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ନିଲାମ ଦେଇଦେବା ନିଶ୍ଚିତ ଭାବେ ଦୁଃଖ ଓ ପରିତାପର ବିଷୟ । ଯଦି ସରକାର ଜିଲ୍ଲା କିମ୍ବା ରାଜ୍ୟର ସାମୂହିକ ବିକାଶ ଚାହୁଁଛନ୍ତି ତାହାଲେ କାହିଁକି ଗ୍ରାମସଭା କିମ୍ବା ପଲ୍ଲିସଭା କରାଯାଇନାହିଁ । ବଲାଙ୍ଗିର ଜିଲ୍ଲାର ଲାଇଫ ଲାଇନ କୁହାଯାଉଥିବା ଲୋୟର ଶୁକତେଲ ଡ୍ୟାମ ହେଲେ ଜିଲ୍ଲା ତଥା ପଡ଼ୋଶୀ ଜିଲ୍ଲାର ଚାଷୀମାନଙ୍କ ଚାଷ କ୍ଷେତକୁ ଜଳସେଚନ ହୋଇପାରିବ କିନ୍ତୁ ଏବେ ଜଣା ପଡ଼ୁଛି ଏହି ପ୍ରକଳ୍ପ ଚାଷୀ ମାନଙ୍କ ପାଇଁ ନୁହେଁ ବରଂ ଆଗାମୀ ଦିନରେ ହେବାକୁ ଥିବା କମ୍ପାନୀ ଓ ଖଣି ମାନଙ୍କ ପାଇଁ । ସତକୁ ସତ ଏବେ ବଲାଙ୍ଗିର ଜିଲ୍ଲାରେ ଛଅ ଗୋଟି ଗ୍ରାଫାଇଟ ଖଣି ଖନନ ନିଲାମ ଦେଇସାରିଛନ୍ତି ରାଜ୍ୟ ଓ କେନ୍ଦ୍ର ସରକାର । ସାଲେପାଲି, ଲରମ୍ଭା, କହ୍ନେଇଟାଲ, ଭରତବାହାଲ, ବବଜା, ବିଅରପାଲି, ଠାକୁରପାଲି ଏଭଳି ଛଅଗୋଟି ଗ୍ରାଫାଇଟ ଖଣିକୁ ନିଲାମ ଦେଇସାରିଛନ୍ତି । ଗତ ରାଜ୍ୟସଭା ଅଧିବେଶନରେ ବଲାଙ୍ଗିର ଜିଲ୍ଲାରେ ଲିଜ ଦିଆଯାଇଥିବା ଖଣି ଖନନ ଘଟଣାକୁ ନେଇ ଗଭୀର ଚିନ୍ତା ବ୍ୟକ୍ତ କରିଛନ୍ତି ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି । ସେ ଏନେଇ ଖଣି ମନ୍ତ୍ରଣାଳୟକୁ ଏକ ତାରାଙ୍କିତ ପ୍ରଶ୍ନ ପଚାରି ଥିଲେ । ସାଂସଦ ଶ୍ରୀ ବିଶି ପ୍ରଶ୍ନ କରିଥିଲେ ଯେ, ସକ୍ଷଲେପାଲି ଅଞ୍ଚଳରେ ଗ୍ରାଫାଇଟ ଖଣିଜ ବ୍ଲକ୍ ପାଇଁ କୌଣସି ଖନନ ଲିଜ ସଂଯୁକ୍ତ ଲାଇସେନ୍ସ କିମ୍ବା ନିଲାମ ପ୍ରକ୍ରିୟା ହୋଇଛି କି ? ଯଦି ହୋଇଥାଏ, ତେବେ ଠିକାଦାର କିଏ, ନିଲାମ କେବେ ହୋଇଥିଲା ଏବଂ ଲିଜ ଅଞ୍ଚଳ ପରିମାଣ କେତେ ଦିଆଯାଇଛି ? ସେହିପରି ଏହି ବ୍ଲକ୍‌ରେ ଅନୁମାନିକ ଗ୍ରାଫାଇଟ ଭଣ୍ଡାର ଓ ପ୍ରକଳ୍ପର ବର୍ତ୍ତମାନ ସ୍ଥିତି ସମ୍ପର୍କରେ ମଧ୍ୟ ସୂଚନା ମାଗିଥିଲେ । ଏହାର ଉତ୍ତରରେ କୋଇଲା ଓ ଖଣି ରାଜ୍ୟମନ୍ତ୍ରୀ ସତୀଶ ଚନ୍ଦ୍ର ଦୁବେ କହିଥିଲେ ଯେ, ୧୨୨୩.୨୯ ହେକ୍ଟର ଅଞ୍ଚଳରେ ବିସ୍ତୃତ ସକ୍ଷଲେପାଲି ଗ୍ରାଫାଇଟ ବ୍ଲକ୍‌ର ନିଲାମ ହୋଇସାରିଛି । ଏହି ବ୍ଲକ୍‌ରେ ପ୍ରାୟ ୦.୧୫୩ ମିଲିଅନ୍ ଟନ୍ ଗ୍ରାଫାଇଟ ସମ୍ପଦ ରହିଛି । ଏହି ବ୍ଲକ୍‌ଟି ୧୫ ମେ ୨୦୨୫ରେ ଭିନମୀର ରିସୋର୍ସେଜ ପ୍ରାଇଭେଟ ଲିମିଟେଡ୍‌କୁ ନିଲାମ ମାଧ୍ୟମରେ ଦିଆଯାଇଛି । ୨୭ ମେ ୨୦୨୫ରେ ନିଲାମ ଘୋଷଣା ହୋଇଥିଲା ଏବଂ ୧୮ ଜୁଲାଇ ୨୦୨୫ରେ ଚୁକ୍ତିନାମା ପତ୍ର ଜାରି ହୋଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ଖଣି ଖନନ ହେଲେ ଅଞ୍ଚଳର ପରିବେଶ ଉପରେ କୁପ୍ରଭାବ ପଡ଼ିବ, ଚାଷ ଉପରେ କୁପ୍ରଭାବ ପଡ଼ିବ, ଜୀବନ ଜୀବିକା ଉପରେ କୁପ୍ରଭାବ ପଡ଼ିବ, ସାମାଜିକ ଜୀବନ ଯାପନ ଉପରେ କୁପ୍ରଭାବ ପଡ଼ିବ, ଜନସାଧାରଣ ବାଧ୍ୟ ହୋଇ ପ୍ରଭାବିତ ହେବେ । ଏଣୁ ଜନସାଧାରଣଙ୍କ ସାମୂହିକ ସ୍ୱାର୍ଥ ଦୃଷ୍ଟି କୋଣରୁ ସାଲେପାଲି ତଥା ବଲାଙ୍ଗିର ଜିଲ୍ଲାରେ ହେବାକୁ ଥିବା ଖଣି ଖନନ ନିଲାମ ପ୍ରତ୍ୟାହାର କରାଯାଉ । ଆଜିର ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ୱର କୁଅଁର, ଗିରିରାଜ ଭୋଇ, ପ୍ରକାଶ ସାହୁ, ରାମ ବରିହା ଉପସ୍ଥିତ ଥିଲେ ।

Leave A Reply

Your email address will not be published.