
- ଧାନ ସଂଗ୍ରହ ପ୍ରକ୍ରିୟାର ସୁପରିଚାଳନା ତଥା ଚାଷୀଙ୍କ କ୍ଷୟକ୍ଷତିର ସଠିକ ଆକଳନ କରିବାକୁ ଦେଲେ ନିର୍ଦ୍ଦେଶ
- କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ଯୋଗାଣ, ଗମନାଗମନ ଏବଂ ପର୍ଯ୍ୟଟନର ବିକାଶ ପାଇଁ ଲୋକ ପ୍ରତିନିଧି ଏବଂ ବିଭାଗୀୟ ଅଧିକାରୀଙ୍କ ସମନ୍ଵୟ ଜରୁରୀ : ମାନ୍ୟବର ମନ୍ତ୍ରୀ
ବରଗଡ, (ନିରୋଜ କୁମାର ପାଣୀ) : ଓଡିଶା ସରକାରଙ୍କ ବରଗଡ଼ ଜିଲ୍ଲା ପ୍ରଭାରୀ ମନ୍ତ୍ରୀ ତଥା ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗୀୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ନିଜର ଦ୍ଵିତୀୟ ସମୀକ୍ଷା ବୈଠକରେ ସଭାପତିତ୍ୱ କାରିବା ସହ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟ ସମୀକ୍ଷା କରିଛନ୍ତି । ମନ୍ତ୍ରୀ ଶ୍ରୀ ମହାଲିଙ୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ସମୀକ୍ଷା ବୈଠକରେ ବରଗଡ ସାଂସଦ ପ୍ରଦୀପ ପୁରୋହିତଙ୍କ ସମେତ ବରଗଡ ବିଧାୟକ ଅଶ୍ଵିନୀ କୁମାର ଷଡଙ୍ଗୀ , ବିଧାୟକ ଅତାବିରା ନିହାର ରଞ୍ଜନ ମହାନନ୍ଦ, ବିଧାୟକ ଭଟଲି ଇରାଶିଷ ଆଚାର୍ଯ୍ୟ, ବିଧାୟକ ବିଜେପୁର ସନତ କୁମାର ଗଡତିଆ, ଜିଲ୍ଲାପାଳ ଆଦିତ୍ୟ ଗୋୟଲ, ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମୀନା, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲଲାଟ କୁମାର ଲୁହା, ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର ମହାପାତ୍ର ଏବଂ ମଧୁଛନ୍ଦା ସାହୁଙ୍କ ସହ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ଜିଲ୍ଲାପାଳ ଗୋୟଲ ସ୍ଵାଗତ ଅଭିଭାଷଣ ରଖିବା ପରେ ସମସ୍ତ ଅଧିକାରୀ ନିଜ ବିଭାଗୀୟ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଏହି କ୍ରମରେ ମାନ୍ୟବର ମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ପ୍ରଥମେ ବର୍ତ୍ତମାନ ଅଦିନିଆ ବର୍ଷା ଯୋଗୁଁ ଜିଲ୍ଲାର ଚାଷୀଙ୍କ କ୍ଷୟକ୍ଷତିର ଆକଳନ ପ୍ରକ୍ରିୟା ତଥା ରବି ଧାନ ସଂଗ୍ରହ ପ୍ରକ୍ରିୟା ବିଷୟରେ ଆଲୋଚନା ପରେ ମାନ୍ୟବର ମନ୍ତ୍ରୀ ଚାଷୀଙ୍କୁ ଅସୁବିଧାକୁ ଦୃଷ୍ଟିରେ ରଖି ଇନସୁରେନ୍ସ କମ୍ପାନୀ ଏବଂ ଯୋଏଣ୍ଟ ଭେରୀଫିକେଶ କମିଟି କ୍ଷୟକ୍ଷତିର ସଠିକ ଆକଳନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହାପାତ୍ର ଜିଲ୍ଲାର ଭୂମି ଆବଣ୍ଟନ ତଥା ବସୁନ୍ଧରା ଯୋଜନାର କର୍ଯ୍ୟକାରିତା ବିଷୟରେ ତଥ୍ୟ ଉପସ୍ଥାପନ କରିବାପରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଲୁହା ଜିଲ୍ଲାପରିଷଦ ଅଧୀନରେ କାର୍ଯ୍ୟକାରୀ ହେଉଥିବା ପ୍ରଧାନ ମନ୍ତ୍ରୀ ଅବସ ଯୋଜନା, ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ସ୍ଵଚ୍ଛ ଭାରତ ମିଶନ ଭଳି ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ତଥା ଅଗ୍ରଗତି ବିବରଣୀ ଉପସ୍ଥାପନ କରିଥିଲେ ।