
ଧବଳେଶ୍ୱର ପୀଠର ଉନ୍ନୟନ କାର୍ଯ୍ୟର ସମୀକ୍ଷା ବୈଠକ, ଭିତ୍ତିଭୂମିର ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର, (କେପିଏନ୍ଏସ୍) : ପ୍ରସିଦ୍ଧ ଶୈବପୀଠ ପ୍ରଭୁ ଶ୍ରୀଧବଳେଶ୍ୱର ପୀଠରେ ଭକ୍ତ ଓ ଦର୍ଶନାର୍ଥୀଙ୍କୁ ସୁବିଧା ଯୋଗାଇବା ସହିତ ପୀଠକୁ ଅଧିକ ଆକର୍ଷଣୀୟ କରିବା ପରିପ୍ରେକ୍ଷୀରେ ନିର୍ମାଣାଧୀନ ଉନ୍ନୟନ କାର୍ଯ୍ୟର ସମୀକ୍ଷା ବୈଠକ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ବିଭିନ୍ନ ଉନ୍ନୟନ କାର୍ଯ୍ୟର ଅଗ୍ରଗତି ସଂପର୍କରେ ସମୀକ୍ଷା କରି ଭିତ୍ତିଭୂମି ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେର୍ଶ ଦେଇଥିଲେ । ଶ୍ରୀ ଶ୍ରୀ ଧବଳେଶ୍ୱର ବିଜେ ପୂଜକ ସମାଜର ଘର ନିର୍ମାଣ କରାଯିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା । ପୂଜକ ସମାଜର ଏହି ଘର ନିର୍ମାଣ ନିମନ୍ତେ ପ୍ରଶାସନିକ ମଂଜୁରୀ ନିମନ୍ତେ ପର୍ଯ୍ୟଟନ ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଆସନ୍ତା ୧୩ ତାରିଖ ଦିନ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ଆଠଗଡ଼ର ଉପଜିଲ୍ଲାପାଳ ଏବଂ ଚାରବାଟିଆ ରାସ୍ତା ଓ ଗୃହନିର୍ମାଣ ଡିଭିଜନ୍ର ଅଧୀକ୍ଷଣ ଯନ୍ତ୍ରୀ ଉପସ୍ଥିତ ରହିବେ । ଉକ୍ତ ବୈଠକରେ ପୂଜକ ସମାଜର ଘର ନିର୍ମାଣର ବ୍ୟୟ ଅଟକଳକୁ ଯାଞ୍ଚ କରାଯିବା ସହିତ ପ୍ରଶାସନିକ ମଞ୍ଜୁରୀ ପ୍ରଦାନ ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ବୈଠକରେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନି, ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ଆର୍ ଯାଦବ, ପର୍ଯ୍ୟଟନ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଏ.ଏନ୍.ଏସ୍ ଲାଗୁରି, ଚାରବାଟିଆ ରାସ୍ତା ଓ ଗୃହ ନିର୍ମାଣ ଡିଭିଜନ୍ର ଅଧୀକ୍ଷଣ ଯନ୍ତ୍ରୀ ପ୍ରଦୀପ କୁମାର ମହାନ୍ତି, ଆଠଗଡ଼ର ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁଙ୍କ ସମେତ ସ୍ଥପତି ଏସ୍ ଆଣ୍ଡ ଜେ ଆସୋସିଏଟସ୍ର ପ୍ରତିନିଧି ଯୋଗ ଦେଇଥିଲେ ।