ଭୁବନେଶ୍ୱର, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଭକ୍ତ ଦାସିଆ ସ୍ମୃତି କମିଟିର ମାସିକ ସମୀକ୍ଷା ବୈଠକ ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ଡାକ୍ତର ଅଶୋକ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ଶହୀଦ ନଗରସ୍ଥ ଶ୍ରୀ ବିଷ୍ଣୁମନ୍ଦିରର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠାନର ସମ୍ପାଦକ ଡଃ ଘନଶ୍ୟାମ ସ୍ୱାଇଁ ଅନୁଷ୍ଠାନର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ବନ୍ଧରେ ଉପସ୍ଥିତ ସଦସ୍ୟମାନଙ୍କୁ ଅବଗତ କରାଇ ଓଡ଼ିଶା ସେତୁ ଓ ନିର୍ମାଣ ନିଗମର ଆର୍ଥିକ ସହଯୋଗରେ ନିର୍ମିତ ହେଉଥିବା ପଦପ୍ରକ୍ଷାଳୟ ଓ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟଧାରାରେ ସମସ୍ତ ଉପସ୍ଥିତ ସଦସ୍ୟ ସନ୍ତୋଷଜନକ ହୋଇଥିବାରୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଭୁୟସୀ ପ୍ରଂଶସା କରିଥିଲେ । ଏଥି ସହିତ ପଞ୍ଚାୟତ ରାଜ ବିଭାଗର ଆର୍ଥିକ ସହଯୋଗରେ ନିର୍ମିତ ହେଉଥିବା ସୌରଶକ୍ତି ପରିଚାଳିତ ନଳକୂପ କାର୍ଯ୍ୟପାଇଁ ସ୍ଥାନୀୟ ବିଧାୟକ ରୁଦ୍ର ପ୍ରତାପ ମହାରଥୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଐତିହ୍ୟ ପୁଷ୍କରଣୀ ଗୋଠଗଡ଼ିଆର ପୁନଃଉର୍ଦ୍ଧାର କାର୍ଯ୍ୟ ଜିଲ୍ଲା ପ୍ରଶାସନରୁ ଗୋଷ୍ଠି ଉନ୍ନୟନ କାର୍ଯ୍ୟାଳୟର ତତ୍ୱାବଧାନର ଯଥାଶୀଘ୍ର ପୁନଃଉଦ୍ଧାର କାର୍ଯ୍ୟ କରାଯିବା ପାଇଁ ବିଭାଗ ତରଫରୁ ତତ୍ପରତା ନିଆଯାଇଥିବାରୁ ଉପସ୍ଥିତ ସଦସ୍ୟମାନେ ସାଧୁବାଦ ଜଣାଇଥିଲେ । ଅନୁଷ୍ଠାନର ସାଂସ୍କୃତିକ ସଂପାଦକ ଆଇନିଜୀବୀ ସରୋଜ କୁମାର ସାହୁ ଚଳିତ ଆଶ୍ୱିନ ମାସ ଶୁକ୍ଳପକ୍ଷ ୬ଷ୍ଠି, ୭ମି ଏବଂ ୮ମିରେ ତ୍ରିଦିନାତ୍ମକ ସପ୍ତସତୀ ଚଣ୍ଡୀପାଠ ଦାସିଆ ପୀଠସ୍ଥ ମା’ ବିମଳାଙ୍କ ମନ୍ଦିରରେ ମହାଆଡମ୍ବରରେ ପାଳିତ ହେବାକୁ ପ୍ରସ୍ତାବ ଦେଇଥିଲେ । ଏହି ସମୟରେ ମା’ ବିମଳାଙ୍କ ପୀଠରେ ବେଲ୍ୱକରଣ, ଦେବାଦେବୀ ଆବାହନ, କଳସସ୍ଥାପନ, ଅଗ୍ନୀସଂସ୍ଥାପନ, ଆଳତୀ, ପୁଷ୍ପାଞ୍ଜଳୀ, ଚଣ୍ଡୀ ପାଠ, ଭଳି ଅନେକ ପୂଜା କର୍ମ ସମ୍ପାଦନ କରିବା ନିମନ୍ତେ ମୁଖ୍ୟ ଆଚାର୍ଯ୍ୟ ରମେଶ ଚନ୍ଦ୍ର ପଣ୍ଡା ଏବଂ ଶ୍ରୀ ଜଗନ୍ନାଥ ମନ୍ଦିରର ମୁଖ୍ୟ ପୂଜକ ଳକ୍ଷ୍ମୀଧର ପାଢ଼ୀଙ୍କ ଦ୍ୱାରା ସମାପନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୂଳପତି ଡଃ ରାଜେନ୍ଦ୍ର ପ୍ରସାଦ ମହାନ୍ତି, ପ୍ରାକ୍ତାନ ଅଧ୍ୟକ୍ଷ ପ୍ରେମଲତା ଦେବୀ, ପ୍ରାକ୍ତାନ ପଞ୍ଚାୟତ ରାଜ ସଚୀବ ଜଗଦୀଶ ପ୍ରସାଦ ଅଗ୍ରୱାଲ, କିଟ୍ +୨ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଚିତ୍ତରଞ୍ଜନ ମିଶ୍ର, ଡାକ୍ତର ସଂଧ୍ୟାରାଣୀ ସତପଥୀ, ଡାକ୍ତର ରାଜେନ୍ଦ୍ର ଶତପଥୀ, ଇଂ. ବସନ୍ତ କୁମାର ମିଶ୍ର, ସମାଜ ସେବୀ ଜୟପ୍ରକାଶ ମିଶ୍ର, ଡଃ ମନୋରଞ୍ଜନ ପଟ୍ଟନାୟକ, ରସାନନ୍ଦ ଖୁଣ୍ଟିଆ, ରୋଟାରିଆନ ତନ୍ମୟକାନ୍ତ ଜେନା, ସମାଜସେବୀ ନାରାୟଣ ମହାପାତ୍ର, ଲକ୍ଷ୍ମୀନାରାୟଣ ଦାସ, କୁଞ୍ଜବିହାରୀ ପଣ୍ଡା, ପ୍ରତାପ ଚନ୍ଦ୍ର ସିଂହ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିବା ବେଳେ ବରିଷ୍ଠ ଟ୍ରଷ୍ଟି ଅର୍ଜୁନ ଚରଣ ସାମଲ ଧନ୍ୟବାଦ ଦେଇଥିଲେ ।