ଜିଲ୍ଲା ଉନ୍ନୟନ ସମନ୍ୱୟ ଓ ତଦାରଖ କମିଟି ବୈଠକ : ଉନ୍ନୟନ ଯୋଜନା କାର୍ଯ୍ୟକାରିତାର ସମୀକ୍ଷା ସହ ସଫଳ ବିନିଯୋଗ ଉପରେ ଗୁରୁତ୍ୱାରୋପ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଉନ୍ନୟନ ସମନ୍ୱୟ ଓ ତଦାରଖ କମିଟି(ଦିଶା) ବୈଠକ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ କମିଟିର ଅଧ୍ୟକ୍ଷ ବଲାଙ୍ଗିର ଲୋକସଭା ସାଂସଦ ଶ୍ରୀମତୀ ସଙ୍ଗୀତା କୁମାରୀ ସିଂଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବଲାଙ୍ଗିର ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ସ୍ୱାଗତ ଭାଷଣ ସହିତ ଜିଲ୍ଲାରେ କାର୍ଯ୍ୟକାରୀ କେନ୍ଦ୍ରୀୟ ଉନ୍ନୟନମୂଳକ ଯୋଜନାର ସ୍ଥିତି ଓ ଅଗ୍ରଗତି ସମ୍ପର୍କରେ ସୂଚନା ଦେଇଥିଲେ । ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ଓ ବିକାଶ ଦିଗରେ ସମସ୍ତ ବିଭାଗ ଓ ଅଧିକାରୀଙ୍କ ମଧ୍ୟରେ ଉପଯୁକ୍ତ ସମନ୍ୱୟ ରକ୍ଷା ପୂର୍ବକ କେନ୍ଦ୍ରୀୟ ଅନୁଦାନ ଯୋଜନା ଗୁଡିକର ସଫଳ ରୂପାୟନ ନିମନ୍ତେ ସାଂସଦ ଶ୍ରୀମତୀ ସିଂହଦେଓ ଗୁରୁତ୍ୱାରୋପ କରିଥିଲେ । ଏହାସହ ସାଂସଦ ପାଣ୍ଠି ଦ୍ଵାରା କାର୍ଯ୍ୟକାରୀ ପ୍ରକଳ୍ପ ଗୁଡ଼ିକର ଅଗ୍ରଗତି ଓ କାର୍ଯ୍ୟକାରିତାର ସମୀକ୍ଷା କରି ଧାର୍ଯ୍ୟ ସମୟରେ ସଂପୂର୍ଣ୍ଣ କରିବାକୁ ସାଂସଦ ନିର୍ଦେଶ ଦେଇଛନ୍ତି । ବୈଠକରେ ବିଶେଷ ଭାବେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାର ଗୁଣାତ୍ମକ ମାନ, ମନରେଗା ଯୋଜନାର ସଫଳ ରୂପାୟନ, ପୂର୍ତ୍ତ ବିଭାଗ ଦ୍ୱାରା କାର୍ଯ୍ୟନ୍ୱୟନ ଯୋଜନା, ପ୍ରଧାନମନ୍ତ୍ରୀ ଆବସ ଯୋଜନା, କ୍ଷୁଦ୍ର ଜଳସେଚନ, ମେଘା ଲିପ୍ଟ ପ୍ରକଳ୍ପ, ଜାତୀୟ ସ୍ୱାସ୍ଥ୍ୟ ମିଶନ ଦ୍ୱାରା କାର୍ଯ୍ୟକାରୀ ସ୍ୱାସ୍ଥ୍ୟ ଯୋଜନା, ସମଗ୍ର ଶିକ୍ଷା ଅଭିଯାନର କାର୍ଯ୍ୟକାରିତାର ସମୀକ୍ଷା କରିଥିଲେ । ଜିଲ୍ଲାରେ ସ୍ଥିତ ସମସ୍ତ ବର୍ଗ ସ୍କୁଲର ସମ୍ପୂର୍ଣ୍ଣ ତଥ୍ୟ ସାତଦିନ ମଧ୍ୟରେ ଦାଖଲ କରିବାକୁ ଡିଇଓଙ୍କୁ ନିର୍ଦେଶ ଦେଇଛନ୍ତି । ସେହିପରି ଜିଲ୍ଲାର ସ୍ୱାସ୍ଥ୍ୟ ଭିତ୍ତିଭୂମିର ସମୀକ୍ଷା କରି ସମସ୍ତ ଚିକିତ୍ସାଳୟ ଗୁଡିକରେ ସମସ୍ତ ମୌଳିକ ସୁବିଧାକୁ ଉପଲବ୍ଧ କରାଇବା ଉପରେ ପଦକ୍ଷେପ ନେବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ନିର୍ଦେଶ ପ୍ରଦାନ କରିଛନ୍ତି କମିଟି ଅଧ୍ୟକ୍ଷା ଶ୍ରୀମତୀ ସିଂହଦେଓ । ବୈଠକରେ ଜାତୀୟ ସାମାଜିକ ସହାୟତା ଯୋଜନାରେ କାର୍ଯ୍ୟକାରୀ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଗୁଡିକର ସଫଳ ବିନିଯୋଗର ସମୀକ୍ଷା କରି ଯୋଜନାର ସୁପରିଚାଳନା କରିବାକୁ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି । ଏତଦ ବ୍ୟତୀତ ଜିଲ୍ଲାର ଜଳସେଚନ ବିଭାଗ, ଜାତୀୟ ଉଦ୍ୟାନ ମିଶନ ଯୋଜନା, ନିର୍ମାଣ ଶ୍ରମିକ ଯୋଜନା, ଜାତୀୟ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଯୋଜନା ତଥା ଅନ୍ୟାନ୍ୟ ଯୋଜନା ଉପରେ ସାଂସଦ ସମୀକ୍ଷା କରିଥିଲେ । ବଲାଙ୍ଗିରରେ ନେଟୱର୍କ ଅସୁବିଧାକୁ ନେଇ ସାଂସଦ କ୍ଷୋଭ ପ୍ରକାଶ କରିଥିଲ । ଜିଲ୍ଲାରେ ନେଟୱର୍କ ଅସୁବିଧା ଥିବା ସତ୍ୱେ ନୂଆ ପ୍ରପୋଜାଲ ନ ଯାଉଥିବାରୁ ଆଗକୁ ଏଥିପାଇଁ ଧ୍ୟାନ ଦେବାକୁ କହିଥିଲେ । ସେମିତି ଯେଉଁ ସରକାରୀ ଚାକିରୀଆ ବିନା ଅନୁମତିରେ ମୁଖ୍ୟାଳୟ ଛାଡି ଯାଉଛନ୍ତି ସେମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ମତ ପ୍ରକାଶ ପାଇଥିଲା । ସେହିପରି ମେଗାଲିଫ୍ଟ ଡିଭିଜନ ବଦଳେଇବା ପାଇଁ ପ୍ରସ୍ତାବ ଦିଆଯାଇଥିଲା । ଜିଲ୍ଲାର କିଛି ପ୍ରକଳ୍ପ ପଡୋଶୀ ଜିଲ୍ଲା ଡିଭିଜନ ରେ ଆସୁଥିବାରୁ ଏହି ପ୍ରସ୍ତାବ ଦିଆଯାଇଛି । ସେହିପରି ପାନୀୟ ଜଳ ଯୋଗାଣରେ ଗୁଣବତ୍ତା ବଜାୟ ରଖିବାକୁ ନିର୍ଦେଶ ଦେଇଥିଲେ । ହର ଘର ଜଳ ଯୋଜନାରେ ସମସ୍ତ ଗାଁକୁ ଅନ୍ତର୍ଭୁକ୍ତ କରିବାକୁ ନିର୍ଦେଶ ଦେଇଛନ୍ତି । କିଛି ସ୍ଥାନରେ ନୂତନ ପୋଷ୍ଟାଲ ଦରକାର ଥିବାରୁ ସେଥିପାଇଁ ପ୍ରକ୍ରିୟା ଶୀଘ୍ର କରିବାକୁ କହିଥିଲେ । ଏହି ବୈଠକରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ବିଧାୟକ କଣ୍ଟାବାଞ୍ଜି ଲକ୍ଷ୍ମଣ ବାଗ, ଜିଲ୍ଲାପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାତ ମହାପାତ୍ର, ଉପମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀ ଓ ବିଧାୟକ ମାନଙ୍କ ପ୍ରତିନିଧି ମାନଙ୍କ ସହ ବିଭିନ୍ନ ପଞ୍ଚାୟତ ସମିତିର ଅଧ୍ୟକ୍ଷ, ଅଧ୍ୟକ୍ଷା, ଦିଶା କମିଟିର ମନୋନିତ ସଦସ୍ୟ ସଦସ୍ୟାଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଶେଷରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଶ୍ରୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.