centurian jitm

ଉତ୍ତରାଞ୍ଚଳ ରାଜସ୍ୱ କମିଶନରଙ୍କ ବଲାଙ୍ଗିର ଗସ୍ତ – ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନ ଓ ଲୋକାଭିମୁଖୀ ଯୋଜନା ଗୁଡିକର କାର୍ଯ୍ୟକାରିତା ଓ ଅଗ୍ରଗତି ସମ୍ପର୍କରେ ସମୀକ୍ଷା

nschool

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଉତ୍ତରାଞ୍ଚଳ ରାଜସ୍ୱ କମିଶନର ଡ଼. ସୁରେଶ ଚନ୍ଦ୍ର ଦଳେଇ ବଲାଙ୍ଗିର ଗସ୍ତରେ ଆସି ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନ ଓ ଲୋକାଭିମୁଖୀ ଯୋଜନା ଗୁଡିକର କାର୍ଯ୍ୟକାରିତା ଓ ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ । ଏହି ବୈଠକରେ ଜିଲ୍ଲାପାଳ ଚଞ୍ଚଳ ରାଣା, ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ମହେନ୍ଦ୍ର କୁମାର ମହାପାତ୍ର, ବଲାଙ୍ଗିର ଉପଜିଲ୍ଲାପାଳ କୁମାର ନାଗଭୂଷଣ, ପାଟଣାଗଡ ଉପଜିଲ୍ଲାପାଳ ଡ଼. ବିଜୟାନନ୍ଦ ସେଠୀଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଉତ୍ତରାଞ୍ଚଳ ରାଜସ୍ୱ କମିଶନର ଡ଼. ଦଳେଇ ପୂର୍ତ୍ତ ବିଭାଗ ଜରିଆରେ ଭୀମଭୋଇ ମେଡିକାଲ କଲେଜର ନିର୍ମାଣାଧୀନ ୬୫୦ ଶଯ୍ୟା ବିଶିଷ୍ଠ ଟିଚିଙ୍ଗ ହସ୍ପିଟାଲ ନିର୍ମାଣର ଅଗ୍ରଗତି ସହ ଜିଲ୍ଲାର ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଭିତ୍ତିଭୂମିର ନିର୍ମାଣର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହ ଧାର୍ଯ୍ୟ ସମୟ ସୀମା ମଧ୍ୟରେ ତ୍ଵରିତ ପଦକ୍ଷେପ ଗ୍ରହଣ କରି ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଓଡିଶା ଆଦର୍ଶ ବିଦ୍ୟାଳୟ କୋଠା, ମେଡିକାଲ କଲେଜ ଛାତ୍ରାବାସ, ଇନ୍‌ଡୋର ଷ୍ଟାଡିୟମ ଇତ୍ୟାଦିର ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ । ଜଳସେଚନ, କ୍ଷୁଦ୍ର ଜଳସେଚନ, ଉଠା ଜଳସେଚନ ବିଭାଗ ଜରିଆରେ ନିର୍ମାଣାଧୀନ ବିଭିନ୍ନ ପ୍ରକଳ୍ପ ଗୁଡିକର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ । ବଲାଙ୍ଗିର, ପାଟଣାଗଡ ଓ ଟିଟିଲାଗଡ ଗ୍ରାମ୍ୟ ଉନ୍ନୟନ ବିଭାଗ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା, ମୁଖ୍ୟମନ୍ତ୍ରୀ ସଡକ ଯୋଜନା ଜରିଆରେ ନିର୍ମାଣାଧୀନ ରାସ୍ତା, ବିଜୁ ସେତୁ, ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ କୋଠା ନିର୍ମାଣର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ । ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଜରିଆରେ ନିର୍ମାଣାଧୀନ ମେଗା ପାନୀୟଜଳ ପ୍ରକଳ୍ପ, ପାଇପ ଜଳ ଯୋଗାଣ ପ୍ରକଳ୍ପ ସହ ଜନସ୍ୱାସ୍ଥ୍ୟ ବିଭାଗ ଜରିଆରେ ନିର୍ମାଣାଧୀନ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସେ ସମୀକ୍ଷା କରିଥିଲେ । କୃଷି ଓ କୃଷକ ସଶକ୍ତିକରଣ, ଉଦ୍ୟାନ କୃଷି, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର କାର୍ଯ୍ୟାବଳୀ ସମ୍ପର୍କରେ ସମୀକ୍ଷା କରି ବିଭାଗ ମଧ୍ୟରେ ଉତ୍ତମ ସମନ୍ଵୟ ରକ୍ଷା କରି ସମନ୍ଵିତ କୃଷିଭିତ୍ତିକ କାର୍ଯ୍ୟକ୍ରମ ଜିଲ୍ଲାରେ କରିବା ସହ ଚାଷୀମାନଙ୍କ ଜୀବନ ଜୀବିକାର ଅଭିବୃଦ୍ଧି କରିବା ଦିଗରେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ । ବିଭିନ୍ନ ଯୋଜନା ସମ୍ପର୍କରେ ଚାଷୀମାନଙ୍କୁ ଅବଗତ କରିବା ନିମନ୍ତେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରିବାକୁ ସେ ପରାମର୍ଶ ଦେଇଥିଲେ । ଏତଦ୍‌ବ୍ୟତୀତ ଜିଲ୍ଲାରେ ଆରମ୍ଭ ହୋଇଥିବା ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ତଥା ଆନୁସାଙ୍ଗିକ ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରିଥିଲେ । ଶିକ୍ଷା ବିଭାଗର କାର୍ଯ୍ୟାବଳୀ ସମ୍ପର୍କରେ ସମୀକ୍ଷା କରି ଶିକ୍ଷା ଅଧିକାରୀମାନେ ନିୟମିତ ବିଦ୍ୟାଳୟ ପରିଦର୍ଶନ କରିବା ଉପରେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲାର ସ୍ୱାସ୍ଥ୍ୟ ଭିତ୍ତିଭୂମି, ରୋଗୀମାନଙ୍କ ନିମନ୍ତେ ଉପଲବ୍ଧ ଥିବା ଚିକିତ୍ସା ବ୍ୟବସ୍ଥା, ମାନବ ସମ୍ବଳ ଇତ୍ୟାଦିର ସମୀକ୍ଷା କରିବା ସହ ମିଶନ ଶକ୍ତି ଗୃହ, ମିଶନ ଶକ୍ତି ଭବନ ନିର୍ମାଣର ଅଗ୍ରଗତି, ମିଶନ ଶକ୍ତି ଜରିଆରେ ସ୍ଵୟଂ ସହାୟକ ଗୋଷ୍ଠୀମାନେ କରୁଥିବା ବିଭିନ୍ନ ଆୟ ଭିତ୍ତିକ କାର୍ଯ୍ୟକ୍ରମ, ବୁଣାକାର ସହାୟତା ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ସେ ସମୀକ୍ଷା କରିଥିଲେ । ଏତଦ୍‌ବ୍ୟତୀତ ଜିଲ୍ଲା ଶିଳ୍ପ କେନ୍ଦ୍ର, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଜରିଆରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ସମ୍ପର୍କରେ ସମୀକ୍ଷା କରିଥିଲେ । ବୈଠକ ଶେଷରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଧରୁଆ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.