ମୁଖ୍ୟ ଶାସନ ସଚିବଙ୍କ କୋରାପୁଟ ଜିଲ୍ଲା ଗସ୍ତ ଓ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା

  • ଗୁପ୍ତେଶ୍ୱର ମନ୍ଦିର ମାଷ୍ଟର ପ୍ଲାନ ଏବଂ ବିମାନ ବନ୍ଦର ସଂପ୍ରସାରଣ ନେଇ ଅଧିକାରୀମାନଙ୍କ ସହ ଆଲୋଚନା

ଭୁବନେଶ୍ୱର : ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କୋରାପୁଟ ଜିଲ୍ଲା ଗସ୍ତ କରି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି । ଶ୍ରୀ ମହାପାତ୍ର ଜୟପୁରରେ ପହଞ୍ଚିବା ପରେ ସେଠାରୁ ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ୱର ମନ୍ଦିର ଗସ୍ତ କରିଥିଲେ । ଗୁପ୍ତେଶ୍ୱର ମନ୍ଦିରର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ମନ୍ଦିରର ଉନ୍ନୟନ ଏବଂ ଏହା ପରିସରରେ ଶ୍ରଦ୍ଧାଳୁମାନଙ୍କ ନିମନ୍ତେ ସର୍ବନିମ୍ନ ସୁବିଧା ନିମନ୍ତେ ଜାରି ମାଷ୍ଟର ପ୍ଲାନର ଅଗ୍ରଗତି ସଂପର୍କରେ ସେ ସମୀକ୍ଷା କରିଥିଲେ । ଏ ସଂପର୍କରେ ମନ୍ଦିରର ସେବାୟତ ଏବଂ ସ୍ଥାନୀୟ ପ୍ରଶାସନ ସହ ଶ୍ରୀ ମହାପାତ୍ର ଆଲୋଚନା କରିଥିଲେ । ପୂର୍ବରୁ ଦେଢ କୋଟି ଟଙ୍କା ବ୍ୟୟରେ ମନ୍ଦିରକୁ ଯିବା ନିମନ୍ତେ ପଥର ପାହାଚ, ମାର୍କେଟ କମ୍ପ୍ଲେକ୍ସ, ପାର୍କି ଅଞ୍ଚଳ ଏବଂ ମନ୍ଦିର ଠାରୁ ନଦୀପୀଠ ପର୍ଯ୍ୟନ୍ତ ରାସ୍ତାର ଉନ୍ନତିକରଣ କରାଯାଇଥିବା ନେଇ ମୁଖ୍ୟ ଶାସନ ସଚିବ ସୂଚନା ଦେଇଥିଲେ । ଅନ୍ୟାନ୍ୟ ଆନୁସଙ୍ଗିକ କାର୍ଯ୍ୟ ଶେଷ କରିବାକୁ ଆବଶ୍ୟକୀୟ ପାଣ୍ଠି ରାଜ୍ୟ ସରକାର ଯୋଗାଇ ଦେବା ସଂପର୍କରେ ସେ ଉଲ୍ଲେଖ କରିଥିଲେ । ଏତଦବ୍ୟତୀତ ଅଧିକ ଶ୍ରଦ୍ଧାଳୁଙ୍କ ସୁବିଧା ନିମନ୍ତେ ରାମଗିରି-ଗୁପ୍ତେଶ୍ୱର ରାସ୍ତାର ମଧ୍ୟ ରାଜ୍ୟ ସରକାର ଉନ୍ନତିକରଣ କରିଥିବା ସେ କହିଥିଲେ ।

ଶ୍ରୀ ମହାପାତ୍ର ପୂର୍ବରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଏବଂ ରୋଗୀମାନଙ୍କ ନିମନ୍ତେ ଉପଲବ୍ଧ ସୁବିଧା ସୁଯୋଗ ସଂପର୍କରେ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ଏତଦବ୍ୟତୀତ ଜୟପୁର ବିମାନ ମନ୍ଦିର କାର୍ଯ୍ୟର ସଂପ୍ରସାରଣ ସଂପର୍କରେ ମଧ୍ୟ ମୁଖ୍ୟ ଶାସନ ସଚିବ ସମୀକ୍ଷା କରିଛନ୍ତି । ଜମି ଅଧିଗ୍ରହଣ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ଜିଲ୍ଲାପାଳଙ୍କୁ ଶ୍ରୀ ମହାପାତ୍ର ପରାମର୍ଶ ଦେଇଛନ୍ତି ।

ଏହାପରେ ଶ୍ରୀ ମହାପାତ୍ର କୋଲାବ ଡ୍ୟାମ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ମଧ୍ୟ ସମୀକ୍ଷା କରିଥିଲେ । ସେଠାରେ ଇକୋ-ଟୁରିଜିମ ଏବଂ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବାକୁ ଜାରି ବିଭିନ୍ନ କାର୍ଯ୍ୟ ସଂପର୍କରେ ପଚାରି ବୁଝିଥିଲେ । ଶ୍ରୀ ମହାପାତ୍ର ଗତକାଲି ସନ୍ଧ୍ୟାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଂପ୍ରସାରିତ ଦୁଇଟି କୋଠାକୁ ମଧ୍ୟ ଉନ୍ମୋଚନ କରିବା ସହ ଜଗନ୍ନାଥ ମନ୍ଦିରକୁ ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିଥିଲେ ।

ମୁଖ୍ୟ ଶାସନ ସଚିବଙ୍କ ଏହି ଗସ୍ତ ସମୟରେ ଜିଲ୍ଲାପାଳ ଅବଦୁଲ ଏମ୍ ଅକତାର, ଆରକ୍ଷୀ ଅଧିକ୍ଷକ ଅଭିନବ ସୋନକର, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଗୌରବ ଶିବାଜୀ ଇସଲୱାର, ଅତିରିକ୍ତ ଜିଲ୍ଲାପାଳ ରାମେଶ୍ୱର ପ୍ରଧାନ, ଉପଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.