ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମପୀଠକୁ ଆକର୍ଷଣୀୟ ଐତିହାସିକ ଓ ସାଂସ୍କୃତିକ ସ୍ଥାନରେ ପରିଣତ କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ କରାଯାଇଥିବା ପ୍ରକଳ୍ପର କାର୍ଯ୍ୟର ସମୀକ୍ଷା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମପୀଠକୁ ଏକ ଆକର୍ଷଣୀୟ ଐତିହାସିକ ଓ ସାଂସ୍କୃତିକ ସ୍ଥାନରେ ପରିଣତ କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଆରମ୍ଭ କରାଯାଇଥିବା ପ୍ରକଳ୍ପର କାର୍ଯ୍ୟ ବେଶ ଅଗ୍ରଗତି ହୋଇଛି । ଗତକାଲି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରୁ ଏହା ଜଣାପଡିଛି । ଚଳିତ ବର୍ଷ ଡ଼ିସେମ୍ବର ୩୦ ସୁଦ୍ଧା ସମସ୍ତ ନିର୍ମାଣ କାମ ଶେଷ କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । ସଂଗ୍ରହାଳୟରେ ଗୋପବନ୍ଧୁଙ୍କ ରଚିତ ପୁସ୍ତକ, କର୍ମମୟ ଜୀବନ, ସମର୍ପିତ ସେବା, ବନ ବିଦ୍ୟାଳୟରେ ଶିକ୍ଷାଦାନ ଏବଂ ତତ୍କାଳୀନ ସମୟ ସମ୍ବନ୍ଧିତ ସ୍ମାରକୀମାନ ସ୍ଥାନୀତ କରିବା ନିମନ୍ତେ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ଗୋପବନ୍ଧୁଙ୍କ ଷଠୀଘର ଥିବା ପୈତୃକ ଗୃହର ସଂରକ୍ଷଣ କାର୍ଯ୍ୟ ସଠିକ୍ ଭାବେ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । ଜନ୍ମପୀଠ ଓ ସଂଗ୍ରହାଳୟକୁ ଏକ ଆକର୍ଷଣୀୟ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ କରିବା ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । ଏଥିପାଇଁ ପର୍ଯ୍ୟଟକ ସୁବିଧାକେନ୍ଦ୍ର, ସୂଚନା କେନ୍ଦ୍ର, ଜାତୀୟ ରାଜପଥ ନିକଟରେ ସୁଦୃଶ୍ୟ ହୋଡିଂ, ଆଦି ଲଗାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଜନ୍ମପୀଠ ସହିତ ବିଭିନ୍ନ ସୁବିଧାର ଉତ୍ତମ ରକ୍ଷଣାବେକ୍ଷଣ ଓ ପରିଚାଳନା କାର୍ଯ୍ୟରେ ସ୍ଥାନୀୟ ଲୋକ ଓ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସାମିଲ କରିବା ନିମନ୍ତେ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.

error: Content is protected !!