- ବଲାଙ୍ଗିର ସାଂସଦଙ୍କ ବିଭିନ୍ନ ଉନ୍ନୟନ କାର୍ଯ୍ୟ ନେଇ ସୂଚନା
- କଂଟାବାଂଜି ବିଜେଡି ଖବରଦାତା ସମ୍ମିଳନୀ ଜରିଆରେ ଆଣିଥିବା ଅଭିଯୋଗ ଉପରେ ଦୃଢ ପ୍ରତିବାଦ
କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ଭାରତୀୟ ଜନତା ପାର୍ଟି ଦ୍ୱାରା ଏକ ଖବରଦାତା ସମ୍ମିଳନୀ ମଙ୍ଗଳବାର ସନ୍ଧ୍ୟାରେ ସ୍ଥାନୀୟ ଅଗ୍ରସେନ ଭବନରେ ଅନୁଷ୍ଠିତ ହୋଇଯାଇଛି । କଂଟାବାଂଜି ଭାଜପା ବିଧାୟକ ପ୍ରାର୍ଥି ଲକ୍ଷ୍ମଣ ବାଗଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଜିଲ୍ଲା ସଭାପତି ଶିବାଜୀ ମହାନ୍ତି, କଂଟାବାଂଜି ରେଲବାଇ ଡିଆର୍ସିସି ସଭ୍ୟ ରାଜେଶ କୁମାର ଅଗ୍ରୱାଲ, ନଗର ସଭାପତି ବେଦବ୍ୟାସ ନାଗ, ସାଂସଦ ପ୍ରତିନିଧି ଘାସୀରାମ ଜୈନ ଏବଂ ଭାଜପା ଯୁବ ମୋର୍ଚ୍ଚା ସଭାପତି ପ୍ରତିପ କୁମାର ବାଗ ମଂଚାସୀନ ଥିଲେ । ବଲାଙ୍ଗିର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓଙ୍କ ସାଂସଦ ଥିବା ସମୟରେ ଜିଲ୍ଲା ତଥା କଂଟାବାଂଜି ଅଂଚଳର ବିକାଶ ହୋଇ ନ ଥିବା ଏବଂ ଜିତିବା ପୂର୍ବରୁ ଅଂଚଳର ବିକାଶ ପାଇଁ ଦେଇଥିବା ସମସ୍ତ ପ୍ରତିଶୃତିକୁ ଦୀର୍ଘ ୫ବର୍ଷ ଗଲା ପରେ ମଧ୍ୟ ପୁରଣ କରି ନ ଥିବା ନେଇ କଂଟାବାଂଜିର ବିଜେଡି ବିଧାୟକ ପ୍ରାର୍ଥି ଅଜୟ ଦାଶ ସୋମବାର ଦିନ ଖବରଦାତା ସମ୍ମିଳନୀ କରି ଦୃଢ ପ୍ରତିବାଦ କରିଥିଲେ । ଏପରିକି ନିର୍ବାଚନ ସମୟରେ କଂଟାବାଂଜି ଅଂଚଳର ବିକାଶ ଉପରେ ପ୍ରତିଶୃତି ଦେଇ ସମସ୍ତ ପ୍ରତିଶୃତି ଭୁଲିଯାଆନ୍ତି ବୋଲି ମନ୍ତବ୍ୟ ଦେଇଥିଲେ । କଂଟାବାଂଜି ନିର୍ବାଚନ ମଣ୍ଡଳୀରୁ ୩୫ ହଜାରରୁ ଅଧିକ ଭୋଟ ପାଇ ବିଜୟୀ ହୋଇଥିଲେ ସୁଦ୍ଧା କଂଟାବାଂଜିର ବିକାଶ କଲେ ନାହିଁ । ନିର୍ବାଚନୀ ପୂର୍ବରୁ କଂଟାବାଂଜିରେ ରେଲକୋଚ୍ ନିର୍ମାଣ, ଦ୍ୱୀତିୟ ଭୂତଳ ପୋଲ, ପମ୍ପୁ ତଲାବର ପୁନଃରୁଦ୍ଧାର କାର୍ଯ୍ୟ ତଥା ଅବ୍ୟବୃହତ ୭୫୦ ରେଲବାଇ ଜମିର ଉନ୍ନତି କରଣ କେବଳ ପାଣିର ଗାର ବୋଲି ଅଜୟ ଦାଶ ସୋମବାର ଦିନର ଖବରଦାତା ସମ୍ମିଳନୀରେ ପ୍ରଶ୍ନ କରିଥିଲେ । ଯାହା ମଙ୍ଗଳବାର ଦିନ ଭାଜପା ତରଫରୁ ପୁଣି ଏକ ଖବରଦାତା ସମ୍ମିଳନୀ କରି ତାର ମୁହତୋଡ୍ ଜବାବ ରଖିଛି । ଜିଲ୍ଲା ସଭାପତି ଶିବାଜି ମହାନ୍ତି ଉକ୍ତ ଅଜୟ ଦାଶଙ୍କୁ ଜଣେ ଅନଭିଜ୍ଞ ରାଜନେତା ହିସାବରେ ଆକ୍ଷେପ କରି ନିଜର ମତରେ କହିଛନ୍ତି । ଦୀର୍ଘ ୧୦ବର୍ଷ ଧରି ତାଙ୍କ ବିଜେଡି ସାଂସଦ ବଲାଙ୍ଗିରରେ ପ୍ରତିନିଧିତ୍ୱ କରୁଥିଲେ ସେତେବେଳେ ଜିଲ୍ଲାର କଣ ବିକାଶ ହୋଇଛି କହି ପାରିବେ କି ? ତାଙ୍କ ସମୟରେ ଜିଲ୍ଲା ସଦର ମହକୁମା କାହିଁକି କୌଣସି ନିର୍ବାଚନୀ ମଣ୍ଡଳିର ବିକାଶ କରି ନ ଥିଲେ । ତାଙ୍କ ସମୟରେ ବିକାଶ ହୋଇ ନ ଥିବାରୁ ବର୍ତ୍ତମାନର ସାଂସଦ ଶ୍ରୀମତୀ ସିଂହଦେଓଙ୍କ ବିକାଶ ଧାରାରେ ଭୟଭିତ ହୋଇ ଏପରି ମନ୍ତବ୍ୟ ଦେଇଥିବା କହିଛନ୍ତି । କଂଟାବାଂଜିର ବିକାଶ ପାଇଁ ରେଲଡବା ନିର୍ମାଣ ଫ୍ୟାକ୍ଟ୍ରି କହି ନ ଥିଲେ ରେଲଡବା ମରାମତି କାରଖାନା ନିର୍ମାଣ ପାଇଁ କହିଥିଲେ । ଏହା ଦ୍ୱାରା ଏ ଅଂଚଳରୁ ହଜାର ହଜାର ସଂଖ୍ୟାରେ ଦାଦନ ଖଟି ଯାଉଥିବା ଲୋକେ କର୍ମ ନିଯୁକ୍ତି ପାଇବେ । ସହରରେ ଦ୍ୱୀତିୟ ରେଲ ଭୂତଳ ପୋଲ ନିର୍ମାଣ କାର୍ଯ୍ୟ ଚାଲିଛି ହେଲେ କିପରି ଶ୍ରୀ ଦାଶ ଭୂତଲ ପୋଲ ନିର୍ମାଣ କାର୍ଯ୍ୟ କରାଯାଇ ନାହିଁ ବୋଲି କହିବା ତାଙ୍କ ପାଇଁ ଶୋଭା ଦିଶୁଛି କି ବୋଲି କହିଥିଲେ । ପୁଣି ଦେଶର ୧୫୭ଟି ରେଲ ଷ୍ଟେସନକୁ ଅମୃତ ଭାରତ ଷ୍ଟେସନରେ ସାମିଲ କରିଥିବା ବେଳେ ଜିଲ୍ଲାର ୪ଟି ଷ୍ଟେସନ ମଧ୍ୟରେ କଂଟାବାଂଜିକୁ ସାମିଲ କରାଯାଇଛି । ହାୱାଡା-ଟିଟିଲାଗଡ ଇସ୍ପାତ ଏକ୍ସପ୍ରେସକୁ କଂଟାବାଂଜି ଯାଏ ସଂପ୍ରସାରଣ କରାଯାଇଛି । ପମ୍ପୁ ତଲାବର ପୁନଃରୁଦ୍ଧାର ପାଇଁ ଟେଣ୍ଡର ହୋଇ ସାରିଛି । ଦ୍ୱୀତିୟ ଫୁଟ ଓଭର ବ୍ରିଜ ନିର୍ମାଣ ସରିଛି । ଆଗାମୀ ଦିନରେ ଲିପ୍ଟ ସିଷ୍ଟମ ହେବା ସହ ଅନେକ ଉନ୍ନୟନମୂଳକ କାର୍ଯ୍ୟ ହୋଇଛି । ବଲାଙ୍ଗିର-ଖୋର୍ଦ୍ଧା ରେଲ ଲାଇନ ମୋଦି ସରକାର ଏବଂ ସାଂସଦଙ୍କ ପ୍ରଚେଷ୍ଟାରେ ବଲାଙ୍ଗିରରୁ ସୋନପୁର ଯାଏ ନିର୍ମାଣ ସରି ଟ୍ରେନ ଚଳାଚଳ ହୋଇପାରିଛି । ଜିଲ୍ଲାର ବିଭିନ୍ନ ଷ୍ଟେସନରେ ଏକ୍ସପ୍ରେସ ଟ୍ରେନର ରହଣି ଯଥା ଶୀଘ୍ର ହେବ ଯାହା ରେଲ ମନ୍ତ୍ରଣାଳୟରୁ ଅନୁମତି ମିଳିଥିବା ବେଳେ ବିଜେଡିର ୧୦ ବର୍ଷର ସାଂସଦ ଥିବା ବେଳେ କାଣିଚାଏ ଉନ୍ନୟନମୂଳକ ହୋଇ ନାହିଁ ବୋଲି ଜିଲ୍ଲା ସଭାପତି ମହାନ୍ତି ସୂଚନା ଦେଇଥିଲେ ଏବଂ ଏପରି ଆକ୍ଷେପରୁ ଶ୍ରୀ ଦାଶ ନିବୃତ ରହିବା ଉଚିତ ଯାହା ଆଗାମୀ ଦିନରେ କଂଟାବାଂଜି ବାସୀ ଉଚିତ ଜବାବ ଦେବେ ବୋଲି କହିଛନ୍ତି ।