- ଫେକ୍ଟ ଫାଇଣ୍ଡିଂ ଟିମ୍ ଗଠନ କଲା ବିଜେପି ମହିଳା ମୋର୍ଚ୍ଚା
ରାଉରକେଲା, (କେପିଏନ୍ଏସ୍) : ଆଜି ରାଉରକେଲା ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ବିଜେପି ମହିଳା ମୋର୍ଚ୍ଚା ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଆଦିବାସୀ ମହିଳା ସରକାରୀ ଅଧିକାରୀ ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ ଓ ପୋଲିସ ଏ.ଏସ୍.ଆଇ ଆଲିଶା ନରମି ଲୁଗୁନଙ୍କର ରହସ୍ୟଜନକ ମୃତ୍ୟୁ ପାଇଁ ଓଡ଼ିଶା ସରକାର ଦାୟୀ ଏବଂ ଜିଲ୍ଲାରେ ଆଦିବାସୀ ମହିଳା ସରକାରୀ ଅଧିକାରୀଙ୍କୁ ସୁରକ୍ଷା ଦେବାରେ ସରକାର ସଂପୂର୍ଣ୍ଣ ବିଫଳ ବୋଲି ବିଜେପି ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ଡ. ଐଶ୍ୱର୍ୟ୍ୟା ବିଶ୍ଵାଳ ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ସେ ଆହୁରି କହିଛନ୍ତି ଯେ, ଗତ ୧୫ ଦିନ ଭିତରେ ୨ ଜଣ ଅଧିକାରୀଙ୍କ ହତ୍ୟା ସୁନ୍ଦରଗଡ ଜିଲ୍ଲାରେ ସମସ୍ତ ବାସିନ୍ଦା ବିଶେଷ କରି ଆଦିବାସୀ ଭାଇ ଓ ଭଉଣୀଙ୍କ ଭିତରେ ବିଜେଡି ସରକାର ଉପରେ ସନ୍ଦେହ ସୃଷ୍ଟି କରିଛି । ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁର ତଦନ୍ତ ଭାର ଏଚ୍ଆର୍ପିସିକୁ ହସ୍ତାନ୍ତର କରାଯାଇ ଥିଲେ ମଧ୍ୟ ଏଇ ଅନୁସନ୍ଧାନକୁ ଭାଜପା ମହିଳା ତରଫରୁ ଅଗ୍ରାହ୍ୟ କରାଯାଇଥିବା ସେ କହିଥିଲେ । ଶବ ବ୍ୟବଛେଦ ରିପୋର୍ଟରେ ପାଣିରେ ବୁଡି ମୃତ୍ୟୁ ଘଟିଥିବା ସଂପୂର୍ଣ୍ଣ ମିଥ୍ୟା । ସୁସ୍ମିତାଙ୍କ ହାତ, ଗୋଡ଼, ପିଠିରେ ରହିଥିବା କ୍ଷତ ଚିହ୍ନ ଆସିଲା କେମିତି ବୋଲି ପ୍ରଶ୍ନ କରାଯାଇଛି । ସେହି ଭଳି ପୋଲିସ ଏ.ଏସ. ଆଇ ଆଲିଶା ନରମି ଲୁଗୁନଙ୍କର ଅକସ୍ମାତ ମୃତ୍ୟୁ ମଧ୍ୟ ସେହିପରି ସନ୍ଦେହ ସୃଷ୍ଟି କରିଛି । ଦୁଇଟି ଯାକ ହତ୍ୟା ଘଟଣାରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଯିଏ ଗୃହ ବିଭାଗର ମୁଖ୍ୟ ମୁହଁ ନଖୋଲିବା, ପୋଲିସ ଡି . ଆଇ. ଜି ସାମ୍ନାକୁ ନଆସିବା ସଂପୂର୍ଣ୍ଣ ଭାବେ ଓଡ଼ିଶା ବାସୀଙ୍କୁ ଚକିତ କରିଛି ।
ରାଉରକେଲା ପୋଲିସ ଜିଲ୍ଲାରେ ମାସକୁ ୮ ଦୁଷ୍କର୍ମ, ଯେଉଁଥିରେ ଅଧାରୁ ଅଧିକ ନାବାଳିକା ଶିକାର ହେଉଛନ୍ତି । ମହିଳାଙ୍କ ନାମରେ ଡିଣ୍ଡିମ ପିଟି ରାଜନୀତି କରୁଥିବା ବିଜୁ ଜନତା ଦଳ ସରକାର ମହିଳାଙ୍କୁ ସୁରକ୍ଷା ଦେବରେ ସମ୍ପୂର୍ଣ୍ଣ ବିଫଳ ହୋଇ ଛନ୍ତି ବୋଲି ଶ୍ରୀମତୀ ବିଶ୍ଵାଳ ଅଭିଯୋଗ କରିଛନ୍ତି । ତେଣୁ ଏହି ଘଟଣାର ସି.ବି. ଆଇ ତଦନ୍ତ କରିବାକୁ ସେ ଦାବୀ କରିଛନ୍ତି । ଏହା କରାଗଲେ ପ୍ରକୃତ ଦୋଷୀକୁ ଦଣ୍ଡ ମିଳିବ ବୋଲି ସେ କହିଛନ୍ତି । ରାଜ୍ୟ ସଭାପତି ମୋହନ ସାମଲଙ୍କ ନିର୍ଦ୍ଦେଶକ୍ରମେ ମହିଳା ମୋର୍ଚ୍ଚା ଦ୍ଵାରା ଏକ ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ୍ ସୁନ୍ଦରଗଡ ବିଧାୟିକା କୁସୁମ ଟେଟେଙ୍କ ଅଧ୍ୟକ୍ଷତାରେ ଗଠନ କରାଯାଇଥିବା ସେ ଘୋଷଣା କରିଛନ୍ତି । ଏହି ଟିମରେ ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ଡ.ଐଶ୍ୱର୍ଯ୍ୟା ବିଶ୍ଵାଳ, ରାଜ୍ୟ ଉପସଭାନେତ୍ରୀ ସୁକେଶି ଓରାମ, ରାଜ୍ୟ ସାଧାରଣ ସଂପାଦିକା ପୂର୍ଣ୍ଣିମା କେରକେଟା, ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ପ୍ରମିଳା ଦାଶ ଓ ସେବତୀ ନାୟକ, ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚା ଉପସଭାନେତ୍ରୀ କର୍ମତୀ ଓରାମ ଓ ରାଜ୍ୟ ମହିଳା ମୋର୍ଚ୍ଚା ଉପସଭାନେତ୍ରୀ କଳ୍ପନା ଲେଙ୍କା ସଦସ୍ୟ ରହିଛନ୍ତି । ଏହି ଟିମ୍ ମୃତ୍ୟୁବରଣ କରିଥିବା ଅଧିକାରୀଙ୍କ ଗ୍ରାମକୁ ଯାଇ ତାଙ୍କ ପରିଜନଙ୍କୁ ଭେଟିବା ସହିତ ଏହାର ଅନୁସନ୍ଧାନ କରିବେ ଓ ଦୁଇ ସରକାରୀ ଅଧିକାରୀଙ୍କ ହତ୍ୟା ସହିତ ଜିଲ୍ଲାରେ ଘଟୁଥିବା ମହିଳାଙ୍କ ପ୍ରତି ଦୁଷ୍କର୍ମ ଏବଂ ଅତ୍ୟାଚାରକୁ ଅନୁସୂଚିତ ଜାତି କମିଶନ୍ଙ୍କୁ ଅବଗତ କରାଇବେ ବୋଲି କହିଥିଲେ । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ
ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ଡ.ଐଶ୍ୱର୍ଯ୍ୟା ବିଶ୍ଵାଳଙ୍କ ସହିତ ରାଜ୍ୟ ସାଧାରଣ ସଂପାଦିକା ପୂର୍ଣ୍ଣିମା କେରକେଟା, ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ପ୍ରମିଳା ଦାଶ ଓ ସେବତୀ ନାୟକ, ରାଜ୍ୟ ମହିଳା ମୋର୍ଚ୍ଚା ଉପସଭା ନେତ୍ରୀ କଳ୍ପନା ଲେଙ୍କା, ରାଜ୍ୟ ମହିଳା ମୋର୍ଚ୍ଚା ସଂପାଦିକା ଇତିଶ୍ରୀ ଜେନା, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ମମତା ଗୌତମ ଓ ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଉପସ୍ଥିତ ଥିଲେ ।