ରାଉରକେଲା, (ସସ୍ମିତା ପ୍ରଧାନ) : ମୋଦୀ ସରକାରଙ୍କ ୯ ବର୍ଷ ପୂର୍ତ୍ତି ଅବସରରେ ରଘୁନାଥପଲ୍ଲୀ ନିର୍ବାଚନ ମଣ୍ଡଳୀର ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କ ସମ୍ମିଳନୀ ଲାଠିକଟା ସ୍ଥିତ ଶିବ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ସୁନ୍ଦରଗଡ଼ ସାଂସଦ ତଥା ସଂସଦୀୟ ପ୍ରତିରକ୍ଷା କମିଟିର ଅଧ୍ୟକ୍ଷ ଜୁଏଲ ଓରାମ ଆନୁଷ୍ଠାନିକ ଭାବେ ଦୀପ ପ୍ରଜ୍ୱଳନ ପୂର୍ବକ ଉଦ୍ଘାଟନ କରିଥିଲେ । ସାମୁହିକ ବନ୍ଦେ ମାତରଂ ଗାନ କରାଯିବା ପରେ ବାଲେଶ୍ଵର ରେଳ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଯାତ୍ରୀମାନଙ୍କର ଆତ୍ମାର ସଦ୍ଗତି ନିମନ୍ତେ ଦୁଇ ମିନଟ ନୀରବ ପ୍ରାର୍ଥନା କରାଯାଇଥିଲା । ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗବନ୍ଧୁ ବେହେରା ତାଙ୍କ ସ୍ୱାଗତ ଭାଷଣରେ ସମସ୍ତଙ୍କୁ ସ୍ୱାଗତ ଜଣାଇବା ସହିତ ବିଜେପିକୁ ସର୍ବ ବ୍ୟାପୀ ଓ ଶକ୍ତିଶାଳୀ କରିବାରେ ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କ ଭୂମିକାକୁ ଭୂୟସୀ ପ୍ରଶଂସା କରିଥିଲେ । ଏହା ସେମାନଙ୍କ ତ୍ୟାଗ, ସମ୍ପର୍ପଣ ଏବଂ ନିରନ୍ତର ପ୍ରୟାସର ଫଳ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ କୃଷକ ମୋର୍ଚ୍ଚା ସମ୍ପାଦକ ବିଜୟ ଖାଲକୋ, ରାଜ୍ୟ ଅନୁସୂଚିତ ଜାତି ଉପସଭାପତି ଦୁର୍ଗା ତନ୍ତୀ ମଧ୍ୟ ମଞ୍ଚାସୀନ ଥିଲେ । ସୁନ୍ଦରଗଡ଼ ସାଂସଦ ତଥା ସଂସଦୀୟ ପ୍ରତିରକ୍ଷା କମିଟିର ଅଧ୍ୟକ୍ଷ ଶ୍ରୀ ଓରାମ ତାଙ୍କ ବକ୍ତବ୍ୟରେ ମୋଦୀ ସରକାରଙ୍କ ୯ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ସରକାର କରିଥିବା ବିଭିନ୍ନ ଜନହିତକାରୀ ଯୋଜନା ଓ ବିଭିନ୍ନ ପଦକ୍ଷେପ ଉପରେ ବିଶଦ ଭାବରେ ବର୍ଣ୍ଣନା କରିଥିଲେ । ବିଶ୍ଵ ଦରବାରରେ ଭାରତର ଭୂମିକା ଓ ନେତୃତ୍ୱକୁ ବିଶ୍ଵ ସମ୍ମାନ ଦେଇଥିବାରୁ ସେ ପ୍ରଧାନମନ୍ତ୍ରୀଙ୍କୁ ଭୂୟସୀ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଜେପିର ପ୍ରତିଷ୍ଠା ଦିନଠାରୁ ନିରନ୍ତର ଭାବେ କାର୍ଯ୍ୟ କରୁଥିବା ବରିଷ୍ଠ କାର୍ଯ୍ୟକର୍ତ୍ତା ଆଦିଙ୍କୁ ସମ୍ମାନିତ କରାଯାଇଥିଲା ଓ ସେମାନେ ନିଜର ସାଂଗଠାନିକ ଅନୁଭୂତି ପ୍ରକାଶ କରିଥିଲେ, ଯାହା ଯୁବ ପିଢ଼ିଙ୍କୁ ଉତ୍ସାହିତ କରିଥିଲା । ଜିଲ୍ଲା ସମ୍ପାଦକ ପରେଶ ମିଶ୍ରଙ୍କ ମଂଚ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମସ୍ତ ମଣ୍ଡଳ ସଭାପତିଙ୍କ ସହିତ ଏହି ନିର୍ବାଚନ ମଣ୍ଡଳୀରେ ଥିବା ରାଜ୍ୟ, ଜିଲ୍ଲା, ମଣ୍ଡଳର ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ବୋଲି ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି ।
Next Post