କୋଶଳି ଭାଷାର ସମ୍ଭାବନା ଉଜ୍ଜ୍ୱଳମୟ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : କୋଶଳି ଭାଷା ଐତିହାସିକ ଓ ଭୌଗୋଳିକ ଆଧାରରେ ଏକ ସ୍ୱୟଂସଂପୂର୍ଣ୍ଣ ପ୍ରାଚୀନ ଭାଷା । ଓଡ଼ିଶାର ଅର୍ଦ୍ଧେକ ଅଞ୍ଚଳର ଦୁଇ କୋଟି ଜନସାଧାରଣ ଏହି ଭାଷାର ସାହିତ୍ୟ, ସଂସ୍କୃତି ଓ ପରଂପରାକୁ ପାଥେୟ କରି ହଜାର ହଜାର ବର୍ଷରୁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ଆସୁଛନ୍ତି । ଏହାର ପାରଂପରିକ ଶାସ୍ତ୍ରୀୟତା ଓ ସ୍ଵତନ୍ତ୍ରତାହିଁ ଭାଷା ମର୍ଯ୍ୟାଦାର ସ୍ୱାକ୍ଷର ବହନ କରେ । ହଜାର ସଂଖ୍ୟାରେ କବି, ଲେଖକ, ଏହି ଭାଷାରେ ସାହିତ୍ୟ ସର୍ଜନା କରି ଏହାର ବ୍ୟାପକତା ପାଇଁ ସଂଗ୍ରାମ କରୁଛନ୍ତି । ସରକାର କିନ୍ତୁ ଏହି ଭାଷାକୁ ସାଂବିଧାନିକ ମାନ୍ୟତା ଦେବାରେ ଅବହେଳା କରୁଥିବାରୁ, ଶିକ୍ଷା ବ୍ୟବସ୍ଥାରେ ସାମିଲ କରୁନଥିବାରୁ, ଲେଖକଙ୍କ ପରିଚୟ ଦୃଷ୍ଟିରୁ ଏକାଡେମୀ ପ୍ରତିଷ୍ଠା ହେଉ ନଥିବାରୁ ଏହାର ସୁରକ୍ଷା ବିପନ୍ନ ବୋଲି ମତ ପ୍ରକାଶ ପାଇଛି । ଟିଟିଲାଗଡ଼ ବହି ହାଟର ଚତୁର୍ଥ ସଂଧ୍ୟା ଆଲୋଚନା ସଭା ପରିପ୍ରେକ୍ଷୀରେ ଅଧ୍ୟକ୍ଷ ସେବକ ଚରଣ ଦାଶ, ମୁଖ୍ୟ ଅତିଥି ଡକ୍ଟର ଦୋଳ ଗୋବିନ୍ଦ ବିଶୀ, ଆଲୋଚକ ସନ୍ଦୀପ କୁଅଁର, ମଧୁସୂଦନ ଦାଶ, ସୁଶାନ୍ତ ବାଗ, ଡକ୍ଟର କୌତୁକ ପନ୍ଦର, ଡକ୍ଟର ଶ୍ରୀକାନ୍ତ କୁମାର ବାରିକ ପ୍ରମୁଖ କୋଶଳି ଭାଷାର ସୁରକ୍ଷା ଓ ସଂଭାବନା ପ୍ରସଙ୍ଗରେ ଉପରୋକ୍ତ ମତ ପ୍ରକାଶ କରିଛନ୍ତି । ଏହି ସଭାରେ ଅତିଥିମାନଙ୍କ ଦ୍ଵାରା ସେବକ ଚରଣ ଦାଶଙ୍କ ‘ମନ ଦର୍ପଣ’ ଓ ଆଶିଷ କୁମାର ଚନ୍ଦନଙ୍କ ‘ପାର୍ସଲ ବମ ଇନ୍ ଏ କୋର୍ଟ ରୁମ’ ପୁସ୍ତକ ଲୋକାର୍ପିତ ହୋଇଥିଲା । ସଭା ପରିଚାଳନା ଜ୍ୟୋତି ପ୍ରକାଶ ଗଡତ୍ୟା କରିଥିବାବେଳେ ଲିଲୁ ମୋହନ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଆଜିର ସଭା ମଞ୍ଚକୁ ସ୍ୱର୍ଗତ ଚତୁର୍ଭୁଜ ସାଆନ୍ତଙ୍କ ନାମରେ ଉତ୍ସର୍ଗ କରାଯାଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମ ସ୍ଥାନୀୟ ଡି.ଏ.ଭି.ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀମାନେ ପରିବେଷଣ କରିଥିଲେ ।

Leave A Reply

Your email address will not be published.