ରାଷ୍ଟ୍ରର ବିକାଶ ଯୁବଶକ୍ତିର ସଦ୍‌ବିନିଯୋଗ ଦ୍ୱାରା ସମ୍ଭବ

ରାଉରକେଲା, (ସସ୍ମିତା ପ୍ରଧାନ) : ଉପଯୁକ୍ତ ଶିକ୍ଷା ବ୍ୟବସ୍ଥା ମାଧ୍ୟମରେ ଯୁବଶକ୍ତିର ସଦ୍‌ବିନିଯୋଗ ଦ୍ୱାରା ରାଷ୍ଟ୍ରର ବିକାଶ ସମ୍ଭବ । ତେଣୁ ସମଗ୍ର ଭାରତ ବର୍ଷରେ ୧୫ରୁ ୨୯ ବର୍ଷ ମଧ୍ୟରେ ଥିବା ଯୁବ ଗୋଷ୍ଠୀର ଶିକ୍ଷା, ରୋଜଗାର ଓ ସାମାଜିକ ସ୍ଥିତି ସମ୍ବନ୍ଧରେ ଏକ ସର୍ଭେ କାର୍ଯ୍ୟ ଚାଲିଛି । ସ୍ଥାନୀୟ ମ୍ୟୁନିସିପାଲ ମହାବିଦ୍ୟାଳୟର ଜାତୀୟ ସେବା ସଂସ୍ଥା ଦ୍ୱାରା ପ୍ରୋଗ୍ରାମ ଅଫିସର ଡ଼. ଦିବ୍ୟକାନ୍ତି ବିଲୁଙ୍ଗ ଓ ଆକାଶ ଦାସଙ୍କ ତତ୍ତ୍ୱାବଧାନରେ ଛାତ୍ରଛାତ୍ରୀମାନେ ଚଳିତ ମାସ ୧୬ ତାରିଖରୁ ସାତ ଦିନ ଧରି ସର୍ଭେ କାର୍ଯ୍ୟ କରିଥିଲେ । ଅଧ୍ୟକ୍ଷ ପରେଶ ଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଅଧ୍ୟକ୍ଷ ଅଜୟ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ମୁଖ୍ୟବକ୍ତା ଭାବେ ଡ଼. ସନାତନ ପ୍ରଧାନ ତଥା ସମ୍ମାନିତ ଅତିଥି ଭାବେ ଡ଼. ପ୍ରକାଶ କୁମାର କର ଓ ମମତା ଚାନ୍ଦ ଯୋଗ ଦେଇଥିଲେ । ଶୃଙ୍ଖଳିତ ଜୀବନଚର୍ଯ୍ୟା, ସ୍ୱାଧ୍ୟାୟ ଓ ନିସ୍ଵାର୍ଥ ସେବା ଭାବ ଦ୍ୱାରା ବ୍ୟକ୍ତିତ୍ୱ ବିକାଶ ହୁଏ ଏବଂ ଏହା ସୁସ୍ଥ ସମାଜ ଓ ଉନ୍ନତ ରାଷ୍ଟ୍ର ଗଠନରେ ସହାୟକ ହୁଏ ବୋଲି ମତବ୍ୟକ୍ତ କରିଥିଲେ । ଡ଼. ବିଲୁଙ୍ଗଙ୍କ ଦ୍ୱାରା ସଂଯୋଜିତ କାର୍ଯ୍ୟକ୍ରମରେ ଅଧ୍ୟାପିକା ଏମୀ କୁଜୁର ଓ ସଂଯୁକ୍ତା ବେହେରା ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ବିତରଣରେ ସହଯୋଗ କରିଥିବା ବେଳେ ଆକାଶ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ବହୁ ସଂଖ୍ୟାରେ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ ।

Leave A Reply

Your email address will not be published.