ସୁବର୍ଣ୍ଣପୁର, (କେପିଏନ୍ଏସ୍) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହାର ନବମ ଶ୍ରେଣୀ ଛାତ୍ରୀ ଆଭା ସାହୁ ଚଳିତ ବର୍ଷ ଜାତୀୟ ମେଧାବୃତ୍ତି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ବିଦ୍ୟାଳୟର ତଥା ଅଞ୍ଚଳର ଗୌରବ ବୃଦ୍ଧି କରିଛନ୍ତି । ପ୍ରଧାନ ଶିକ୍ଷକ ଡ. ରବିଚନ୍ଦ୍ର ପଶୟତଙ୍କ ମାର୍ଗଦର୍ଶନରେ ଆୟୋଜିତ ହୋଇଥିବା ସମ୍ବର୍ଦ୍ଧନା ଉତ୍ସବରେ ବରିଷ୍ଠ ଶିକ୍ଷକ ଦୀନବନ୍ଧୁ ପ୍ରଧାନ ଅଧ୍ୟକ୍ଷତା କରିଥିଲେ । ଶିକ୍ଷକ, ଆଲୁମିନି ଓ ପରିଚାଳନା କମିଟି ତରଫରୁ ଅଭାଙ୍କୁ ତାଙ୍କର ସଫଳତା ନିମନ୍ତେ ଶୁଭେଚ୍ଛା ଜଣାଇ ପୁରସ୍କୃତ କରିଥିଲେ । ନବମ ଶ୍ରେଣୀରେ ଅଧ୍ୟୟନରତ ଥିବା ଆଭା ସାହୁ ମାୟାବର୍ହା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାହଜବାହାଲ ନିବାସୀ ଶ୍ରୀମତୀ ଭାରତୀ ସାହୁ ଓ ଦେବାନନ୍ଦ ସାହୁଙ୍କ ଏକମାତ୍ର କନ୍ୟା ଅଟନ୍ତି । ପୂର୍ବରୁ ତୃତୀୟ ଶ୍ରେଣୀ ବୃତ୍ତି, ପଞ୍ଚମ ଶ୍ରେଣୀ ବୃତ୍ତି, ଆଦର୍ଶ ପରୀକ୍ଷାରେ କୃତକାର୍ଯ୍ୟ ଓ NMMS ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଛାତ୍ରୀ ଆଭା ବୃତ୍ତି ପାଇ ଆସୁଛନ୍ତି । ଶିକ୍ଷକ ରାଜୁ ମେହେର ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ସମସ୍ତ ଶିକ୍ଷକ ଓ କର୍ମଚାରୀ ଉପସ୍ଥିତ ରହି କୃତୀ ଛାତ୍ରୀ ଆଭାଙ୍କୁ ଉତ୍ସାହିତ କରିଥିଲେ ।