ପ୍ରମୋଦ ସ୍ମୃତି ସମାରୋହ ଆୟୋଜିତ : ରାଜୀବ ପାଣି ଏବଂ ତୃପ୍ତି ପଣ୍ଡା ସମ୍ବର୍ଦ୍ଧିତ

ସମ୍ବଲପୁର : ଆଜି ପୂର୍ବାହ୍ନରେ ସମ୍ବଲପୁର ଉପକଣ୍ଠସ୍ଥ କେନ୍ ଘାଟି ସ୍ଥିତ ଶ୍ରୀରାମ ବାଟିକାରେ ପ୍ରମୋଦ ସ୍ମୃତି ସମାରୋହ, ପ୍ରମୋଦନାମା ଆୟୋଜିତ ହୋଇଯାଇଛି । ଆବାହକ ଡ.ଦ୍ଵାରିକାନାଥ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ବିଶିଷ୍ଟ ନାଟ୍ୟଶିଳ୍ପୀ ଡ.ପଂଚାନନ ମିଶ୍ର, ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ରାଉରକେଲାର ବିଶିଷ୍ଟ ନାଟ୍ୟ ସଂଗଠକ ଶରତ ଦାସ ଏହି ଅବସରରେ ରାଉରକେଲାର ନାଟ୍ୟଶିଳ୍ପୀ, ନାଟ୍ୟ ସଂଗଠକ ତଥା ନିର୍ଦ୍ଦେଶକ ରାଜୀବ ପାଣି ଏବଂ ସମ୍ବଲପୁରର ନାଟ୍ୟଶିଳ୍ପୀ ଶ୍ରୀମତୀ ତୃପ୍ତି ପଣ୍ଡାଙ୍କୁ ପ୍ରମୋଦ ସ୍ମୃତି ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ବର୍ଦ୍ଧିତ ବ୍ୟକ୍ତିତ୍ଵ ରାଜୀବ ପାଣି ନାଟ୍ୟକାର ପ୍ରମୋଥ ତ୍ରିପାଠୀଙ୍କ ନାଟ୍ୟ ସାହିତ୍ୟ ବିଷୟରେ ଆଲୋଚନାତ୍ମକ ବକ୍ତବ୍ୟ ରଖି ତାଙ୍କୁ ଓଡିଶାର ଜନୈକ ପ୍ରଥିତଯଶା ନାଟ୍ୟକାର ଭାବରେ ଆଖ୍ୟାୟିତ କରିଥିଲେ । ଦର୍ଶକ ମଂଚରୁ ମୁହଁ ମୋଡି ଦେଉଥିବା ସମୟରେ ପ୍ରମୋଦଙ୍କ ନାଟକ ପୁନରାୟ ମଂଚ ଆଡକୁ ଆକୃଷ୍ଟ କରିପାରିଥିଲା । ଶ୍ରୀମତୀ ପଣ୍ଡା ନିଜ ନାଟ୍ୟ ଜୀବନର ଅନୁଭୂତି ବଖାଣିଥିଲେ । ସମ୍ମାନିତ ଅତିଥି ଶରତ ଦାସ, ନାଟ୍ୟକାର ନିର୍ଦ୍ଦେଶକ ଆତୀଶ ଶତପଥୀ ମଧ୍ୟ ନିଜ ନିଜ ବକ୍ତବ୍ୟରେ ନାଟ୍ୟକାର ପ୍ରମୋଦ ତ୍ରିପାଠୀଙ୍କ ନାଟକରଚନା ଶୈଳୀକୁ ଭୂୟସୀ ପ୍ରଶଂସା କରିଥିଲେ ।ସଭାପତି ଡ.ଦ୍ଵାରିକାନାଥ ନାୟକ ପ୍ରମୋଦଙ୍କ ବ୍ୟକ୍ତିତ୍ଵ ଏବଂ ଓଡ଼ିଆ ନାଟକକୁ ତାଙ୍କ ଅବଦାନ ସମ୍ପର୍କରେ ନିଜ ଅଭିଭାଷଣ ଉପସ୍ଥାପନ କରିଥିଲେ । ପରେ ପରେ କବି ମୁକ୍ତକଣ୍ଠ ପ୍ରଧାନ, କିଶୋରୀମୋହନ କର, ରାଜୀବ ପାଣି, ଶରତ ଦାସ ଏବଂ ଡ.ପ୍ରଦୀପ ପଣ୍ଡା ସ୍ଵରଚିତ କବିତା ପାଠ କରିଥିଲେ । ଶ୍ରୀରାମ ବାଟିକାର ସତ୍ତ୍ଵାଧିକାରୀ ଶତୃଘ୍ନଲାଲ ସାହା ଆଗାମୀ ଦିନରେ ହଳଧର ଜୟନ୍ତୀ ପାଳନର ସୂଚନା ପ୍ରଦାନ କରିଥିଲେ । ଅଭିନେତା, ନିର୍ଦ୍ଦେଶକ ପ୍ରଦୀପ ପଣ୍ଡାଙ୍କ ଧନ୍ୟବାଦ ଅର୍ପଣ ପରେ ସମାରୋହ ଉଦଯାପିତ ହୋଇଥିଲା । ଆୟୋଜନରେ ସହଯୋଗ କରିଥିଲେ ବୃନ୍ଦାବନ ମିଶ୍ର, ରମେଶ ମିର୍ଦ୍ଧା, କମଳଲୋଚନ ପଣ୍ଡା, ଶତୃଘ୍ନଲାଲ ସାହା ।

Leave A Reply

Your email address will not be published.