ସାଂସଦ ପ୍ରଦୀପ ପୁରୋହିତଙ୍କୁ ଦେବଦତ୍ତ କ୍ଲବରେ ସମ୍ବର୍ଦ୍ଧନା

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ କେନ୍ଦୁଭଟା ସ୍ଥିତ ଦେବଦତ୍ତ କ୍ଲବରେ ନବ ନିର୍ବାଚିତ ବରଗଡ଼ ଲୋକସଭା ସାଂସଦ ପ୍ରଦୀପ ପୁରୋହିତଙ୍କୁ କ୍ଲବର ସମ୍ପାଦକ କାହ୍ନୁଚରଣ ମାଝି ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଉକ୍ତ ବୈଠକରେ ଦେବଦତ୍ତ କ୍ଲବ ସମ୍ପାଦକ କାହ୍ନୁଚରଣ ମାଝି ଦେବଦତ୍ତ କ୍ଲବର କାର୍ଯ୍ୟକ୍ରମ ବିଷୟରେ ସାଂସଦ ମହୋଦୟଙ୍କୁ ଅବଗତ କରିଥିଲେ । ୧୯୯୨ ମସିହାରେ କାହ୍ନୁ ଚରଣ ମାଝୀଙ୍କ ନେତୃତ୍ୱରେ ଗ୍ରିଣ୍ଡୋଲମାଲ ଗ୍ରାମର କିଛି ଯୁବକଙ୍କୁ ନେଇ ଗଢ଼ି ଉଠିଥିଲା ଦେବଦତ୍ତ କ୍ଲବ । ୩୨ ବର୍ଷ ଧରି ପ୍ରଥମେ ବରଗଡ଼ ଜିଲ୍ଲାରୁ ଆରମ୍ଭ କରି ପରେ ବଲାଙ୍ଗିର ଓ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ବ୍ଲକରେ ସରକାରଙ୍କ ବିଭିନ୍ନ ଯୋଜନାକୁ ଲୋକାଭିମୁଖୀ କରିବାରେ ନିରନ୍ତର ପ୍ରୟାସ କରିଆସୁଛି । ବିଭିନ୍ନ ସରକାରୀ ବେସରକାରୀ ଅନୁଦାନକାରୀ ସଂସ୍ଥା ମାନଙ୍କ ମାଧ୍ୟମରେ ଅନୁଦାନ ଆଣି ଅନେକ ଅଞ୍ଚଳରେ ଉନ୍ନୟନମୂଳକ କାର୍ଯ୍ୟ କରିବାରେ ସହାୟକ ହୋଇଛି । ଗ୍ରାମାଞ୍ଚଳ ଲୋକଙ୍କ ବିକାଶ ଯଥା ଦାଦନ ଶ୍ରମିକଙ୍କ ସୁରକ୍ଷା, ନାରୀ ସୁରକ୍ଷା, ପରିବେଶ ସୁରକ୍ଷା, ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା, ପ୍ରାକୃତିକ ସମ୍ପଦର ସଦବିନିଯୋଗ, ମହିଳା ଓ ଶିଶୁ ମାନଙ୍କ ଅଧିକାର, ସ୍ୱାସ୍ଥ୍ୟ, ପରିମଳ, ଆଦିବାସୀ ମାନଙ୍କ ବିକାଶ, ମିଲେଟ ମିଶନ, ଜଳ ବିଭାଜିକା, ଚାଷୀ ଓ ପାରମ୍ପାରିକ ଚାଷ ଉପରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଲୋକଙ୍କ ମାଧ୍ୟମରେ କରିଆସୁଛି । ତେବେ ସାଂସଦ ଶ୍ରୀ ପୁରୋହିତ ଦେବଦତ୍ତ କ୍ଲବ ବିଷୟରେ ପୂର୍ବରୁ ଜାଣିଥିବା ସହ ଏଭଳି କାର୍ଯ୍ୟ ପାଇଁ କ୍ଲବର ସମସ୍ତ ସଦସ୍ୟ ମାନଙ୍କୁ ଧନ୍ୟବାଦ୍ ଦେବା ସହ ଆଗାମୀଦିନରେ ଦେବଦତ୍ତ କ୍ଲବର ଉତ୍ତୋରତ୍ତର କାମନା କରିଥିଲେ । ବର୍ତ୍ତମାନ ସମୟରେ ଏନ୍‌ଜିଓ ମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା କିଭଳି ଭାବରେ ଲୋକଙ୍କ ପାଖରେ ପହଞ୍ଚାଇବାରେ ଦେବଦତ୍ତ କ୍ଲବ ସଫଳ ହେବ ସେଥିପାଇଁ ସାଂସଦ ଭାବରେ ସବୁବେଳେ ସମ୍ପୂର୍ଣ୍ଣ ସହଯୋଗ ରହିବ ବୋଲି ଶ୍ରୀ ପୁରୋହିତ ପ୍ରକାଶ କରିଥିଲେ । ପରିଶେଷରେ ଶେଷଦେବ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave A Reply

Your email address will not be published.