କଳିକେଶଙ୍କୁ ସମ୍ବର୍ଦ୍ଧନା ଦେଲା ବଲାଙ୍ଗିର ଓକିଲ ସଂଘ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ କୃଷି ବିଶ୍ଵବିଦ୍ୟାଳୟ ଓ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠାର ଆବଶ୍ୟକତା ରହିଥିବା କହିଛନ୍ତି ବିଧାୟକ କଳିକେଶ ନାରାୟଣ ସିଂହଦେଓ । ଜିଲ୍ଲା ଓକିଲ ସଂଘ ପକ୍ଷରୁ ସଭାପତି ଅମରେଶ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ବିଧାୟକ କଳିକେଶ ନିଜ ମତ ରଖିଛନ୍ତି । ସ୍ଥାନୀୟ ସିଭିଲ୍‌ କୋର୍ଟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ କହିଛନ୍ତି ଯେ, ତାଙ୍କ ବାପା ବିଧାୟକ ଥିବାବେଳେ ବଲାଙ୍ଗିର ବାର୍‌ର ଅନେକ ବିକାଶମୂଳକ କାମ କରିଛନ୍ତି, ଏବେ ସେ ମଧ୍ୟ ବଲାଙ୍ଗିର ବିଧାୟକ ଭାବେ ସେହି ଦାୟିତ୍ୱ ତୁଳାଇବେ । ଏହି ଅବସରରେ ବିଧାୟକ କଳିକେଶ ବଲାଙ୍ଗିର ବାର୍‌ ଏସୋସିଏସନ୍‌ର ସଦସ୍ୟମାନଙ୍କ ଦୂରଦୃଷ୍ଟି ଓ ଦକ୍ଷତାକୁ ମଧ୍ୟ ପ୍ରଶଂସା କରିଛନ୍ତି । ବଲାଙ୍ଗିର ଡାକ୍ତରଖାନାରେ ଏମ୍‌ଆର୍‌ଆଇ ବ୍ୟବସ୍ଥାର ଆବଶ୍ୟକତା ଉପରେ ମଧ୍ୟ ମତ ରଖିଛନ୍ତି ବିଧାୟକ । ସେ କହିଛନ୍ତି ଯେ, ବର୍ତ୍ତମାନ ବଲାଙ୍ଗିର ଜିଲ୍ଲାର ଜଣେ ରାଜ୍ୟ ମନ୍ତ୍ରୀମଣ୍ଡଳରେ ସ୍ୱାସ୍ଥ୍ୟମନ୍ତ୍ରୀ ରହିଥିବା ବେଳେ ଅନ୍ୟ ଜଣେ ଉପମୁଖ୍ୟମନ୍ତ୍ରୀ ରହିଛନ୍ତି । ଏଣୁ ବଲାଙ୍ଗିରରେ ବିକାଶ କାମ ତ୍ୱରାନ୍ୱିତ ହେବ ବୋଲି ଆଶା କରାଯାଉଛି । ତେବେ ବଲାଙ୍ଗିରର ବିକାଶ ପାଇଁ ସମସ୍ତେ ମିଳିମିଶି କାମ କରିବାକୁ ବିଧାୟକ ଆହ୍ୱାନ ଦେଇଥିଲେ । ଏହି କର୍ଯ୍ୟକ୍ରମରେ ଉପସଭାପତି ସରୋଜ ଗୁପ୍ତା ମଧ୍ୟ ମଂଚାସୀନ ଥିବାବେଳେ ସଂଘ ସଂପାଦକ ପ୍ରମୋଦ ବହିଦାର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.