ଜିଲ୍ଲା ଦଳିତ ସମାଜ ତରଫରୁ ସମ୍ବର୍ଦ୍ଧନା ସଭା : ସମ୍ବର୍ଦ୍ଧିତ ହେଲେ ୧୭ ଜଣ କଳାକାର

ବଲାଙ୍ଗିର, (ଦେବାଶିଷ ମିଶ୍ର) : କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ତରଫରୁ କଳା ଓ ସଂସ୍କୃତି କ୍ଷେତ୍ରରେ ଯୋଗ୍ୟ ବିବେଚିତ ହୋଇଥିବା ଗବେଷକ, ମେଧାବୃତ୍ତି ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା କଳାକାର ଓ ଶିଶୁ ପ୍ରତିଭାମାନଙ୍କୁ ଜିଲ୍ଲା ଦଳିତ ସମାଜ ତରଫରୁ ସ୍ଥାନୀୟ ସାମ୍ବାଦିକ ଭବନଠାରେ ଆୟୋଜିତ ହୋଇଥିବା ଏକ ଭବ୍ୟ କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯାଇଛି । ସଭାପତି କୁନା ବାଗଙ୍କ ସଭାପତିତ୍ୱରେ ତଥା ଶିକ୍ଷାବିତ୍‌ ନେପାଳ ଚନ୍ଦ୍ର ବାଗଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ପୌର ପରିଷଦ ଅଧ୍ୟକ୍ଷା ଲିକା ସାହୁ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ସମ୍ମାନୀତ ଅତିଥି ଭାବେ ପ୍ରଖ୍ୟାତ ସଂଗୀତ ନିର୍ଦ୍ଧେଶକ ରମେଶ ମହାନନ୍ଦ, କାଉନସିଲର ତଥା ଶ୍ରମିକ ନେତା ଶମ୍ଭୁ ନାଗ ଓ କାଉନସିଲର କିଶୋର କୁମ୍ଭାର ଯୋଗ ଦେଇଥିଲେ । କେନ୍ଦ୍ର ସରକାରଙ୍କ ସଂସ୍କୃତି ବିଭାଗ ଦ୍ୱାରା ସ୍ୱୀକୃତି ପାଇଥିବା କଳାକାରମାନେ ସମସ୍ତ ପ୍ରକାର ସମ୍ମାନ ପାଇବା ପାଇଁ ହକଦାର । ସେମାନେ ହେଉଛନ୍ତି ଆମ ମାଟିର ଗୌରବ । ସେମାନଙ୍କୁ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି ମୁଖ୍ୟ ଅତିଥି ଶ୍ରୀମତୀ ସାହୁ କହିଥିଲେ । ଏଭଳି ସମ୍ମାନ ପାଇବା ନିଶ୍ଚିତ ଭାବେ ଗୌରବର ବିଷୟ । ତେବେ ଗବେଷଣା କରିବା ସେମାନଙ୍କ ପାଇଁ ଏକ ଆହ୍ୱାନ ଅଟେ ବୋଲି ମୁଖ୍ୟବକ୍ତା ଶ୍ରୀ ଛୁରିଆ କହିଥିଲେ । ତୃଣମୂଳ ସ୍ତରକୁ ଯାଇ ଗବେଷକମାନେ ପ୍ରକୃତ ତଥ୍ୟ ଓ ସତ୍ୟକୁ ନେଇ ଗବେଷଣା କରିବେ ବୋଲି ସମ୍ମାନିତ ଅତିଥି ଶ୍ରୀ ମହାନନ୍ଦ କହିଥିଲେ । ଏହି ସମ୍ବର୍ଦ୍ଧନା ସଭାରେ ବରିଷ୍ଠ ବିଭାଗରେ ମୂରଲୀଧାରୀ ପତି (ଲୋକଗୀତ), ବିପିନ ବିହାରୀ ବାରିକ (ଲୋକନୃତ୍ୟ), ବାସନ୍ତୀ ନନ୍ଦ (ଲୋକନୃତ୍ୟ), ତରଣୀସେନ ଦୀପ (ଲୋକବାଦ୍ୟ), ଥବୀର ଚରଣ ସାହୁ (ଲୋକନୃତ୍ୟ), କୀର୍ତ୍ତନ ଦୀପ (ଲୋକଗୀତ)ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ କନିଷ୍ଠ ବିଭାଗରେ ସୁବଳ ମହାକୁର (ଲୋକନୃତ୍ୟ), ପ୍ରିୟଙ୍କା ମୁନା (ଲୋକନୃତ୍ୟ), ଭକ୍ତ ମୁନା (ଲୋକନୃତ୍ୟ) ଓ କେଶବ ଭୋଇ (ଲୋକବାଦ୍ୟରେ)ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେହପରି ଶିଶୁ ପ୍ରତିଭା ଭାବରେ ନିବାସ ରଂଜନ ନନ୍ଦ (ଲୋକବାଦ୍ୟ), ଆୟୁଷ ମୁଗ୍ରୀ (ଲୋକବାଦ୍ୟ), ରାମିତା ଦୀପ (ଲୋକନୃତ୍ୟ), ସ୍ମୃତିରାଣୀ ମଲ୍ଲିକ(ଲୋକନୃତ୍ୟ), ଆତୁଷ ରଂଜନ ନନ୍ଦ (ଲୋକବାଦ୍ୟ) ଓ ଅଶୀସ୍ମୀତା ନନ୍ଦ(ଲୋକନୃତ୍ୟ)ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷର ଜ୍ୟୋତିଷ ମୁଗ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.