ମାୟାବର୍ହା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ମାୟାବର୍ହାରେ ପାଖାପାଖି ୨ ମାସର ଖରାଛୁଟିର ବ୍ୟବଧାନ ପରେ ଆଜି ସ୍କୁଲ ଖୋଲିବାରୁ ଛାତ୍ରଛାତ୍ରୀମାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦେଇ ସ୍ୱାଗତ କରାଯାଇଛି । ପିଲାଏ ଆସିଲେ, ସ୍କୁଲରେ ତାଙ୍କ ହସ ଶୁଣିବାକୁ ମିଳିଲା ଏବଂ ପାଠପଢା ପ୍ରକ୍ରିୟା ଶୁଭାରମ୍ଭ କରାଗଲା । ପ୍ରଧାନ ଶିକ୍ଷକ ରବିଚନ୍ଦ୍ର ପଶାୟତଙ୍କ ସମେତ ଅନ୍ୟ ସମସ୍ତ ଶିକ୍ଷକ ବୃନ୍ଦ ଛାତ୍ରଛାତ୍ରୀମାନଙ୍କୁ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧନା କରିଥିଲେ । ପ୍ରାରମ୍ଭରେ ପ୍ରାର୍ଥନା ସଭା ଆୟୋଜିତ ହୋଇଥିଲା । ପରେ ପରେ ମାନସିକ ଏବଂ ଶାରିରୀକ ସ୍ୱାସ୍ଥ୍ୟର ବିକାଶ ନିମନ୍ତେ କିଛି ଯୋଗାଭ୍ୟାସ ଏବଂ ପ୍ରାଣାୟମ କରାଯାଇଥିଲା । ସ୍କୁଲର ପ୍ରାକ୍ତନ କର୍ମଚାରୀ କିଶୋର ପୁଟେଲ ଯୋଗ ଏବଂ ପ୍ରାଣାୟମର ବିଭିନ୍ନ ଆସନ ଦେଖାଇଥିବା ସହିତ ତାର ଉପକରିତା ବିଷୟରେ ବୁଝାଇଥିଲେ । ବରିଷ୍ଠ ଶିକ୍ଷକ ଦୀନବନ୍ଧୁ ପ୍ରଧାନ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥଲେ । ପ୍ରଧାନ ଶିକ୍ଷକ ରବିଚନ୍ଦ୍ର ପଶାୟତ ସମସ୍ତ ଛାତ୍ରଛାତ୍ରୀ ଏବଂ ସହକର୍ମୀମାନଙ୍କୁ ସ୍କୁଲରେ ଆଗାମୀ ଦିନରେ ଶିକ୍ଷଣୀୟ କାର୍ଯ୍ୟକ୍ରମକୁ କିଭଳି ଶୃଙ୍ଖଳାର ସହିତ ପରିଚାଳନା କରାଯିବ ସେ ବିଷୟରେ ସୂଚନା ଦେଇଥିଲେ । ହିନ୍ଦୀ ଶିକ୍ଷକ ନନ୍ଦିଘୋଷ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଖେଳ ଶିକ୍ଷକ ପ୍ରହଲ୍ଲାଦ ଦାଶ ଏବଂ କର୍ମଚାରୀ ସଞ୍ଜୀବ ପୂଜାରୀ, ମୀନକେତନ ଦାସ, ବିଭୀଷଣ ଖମାରୀ ସହଯୋଗ କରିଥିଲେ ।

Leave A Reply

Your email address will not be published.