- ଆତ୍ମ ବିଶ୍ୱାସ ଓ କଠୋର ପରିଶ୍ରମ ସଫଳତାର ଚାବିକାଠି : ମନ୍ତ୍ରୀ ଶ୍ରୀ ମାରାଣ୍ଡି
ଭୁବନେଶ୍ୱର, (କେପିଏନ୍ଏସ୍) : କନ୍ଫେଡେରେସନ ଅଫ ଓଡିଶା ପବ୍ଲିକ ସ୍କୁଲସ ପକ୍ଷରୁ ମେଧାବୀ ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆଜି ପୂର୍ବାହ୍ନରେ ଭୁବନେଶ୍ୱର ସତ୍ୟନଗର ସ୍ଥିତ ହୋଟେଲ ପାର୍କ ପ୍ରିମିୟମଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।
ମନ୍ତ୍ରୀ ଶ୍ରୀ ମାରାଣ୍ଡି ତାଙ୍କ ବକ୍ତବ୍ୟରେ କହିଲେ ଯେ, ଆତ୍ମ ବିଶ୍ୱାସ ଓ କଠୋର ପରିଶ୍ରମ ସଫଳତାର ଚାବିକାଠି । ଶିକ୍ଷା ସହ ପିଲାଙ୍କ ମଧ୍ୟରେ ନୈତିକତା ଓ ମାନବୀୟ ବିଚାର ଧାରା ରହିଲେ ସେମାନେ ନିଜ ଜୀବନରେ ଜଣେ ସଫଳ ବ୍ୟକ୍ତିତ୍ୱର ଅଧିକାରୀ ହୋଇପାରିବେ । ପିଲାଙ୍କ ହୃଦୟରେ ମଣିଷର ପରିଭାଷା ସହ ଧର୍ମ, ଦୟା, କ୍ଷମା ଓ ପ୍ରେମ ଭାବ ରହିଲେ ସେମାନେ ଜଣେ ଜଣେ ସୁମଣିଷ ହୋଇ ପାରିବେ ବୋଲି ଶ୍ରୀ ମାରାଣ୍ଡି ପ୍ରକାଶ କରିଥିଲେ ।
ସମ୍ମାନିତ ଅତିଥି ଭାବେ ବିଜେଡିର ରାଜ୍ୟ ସାଧାରଣ ସମ୍ପାଦକ ତଥା ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଆଇସିଏଫ୍ଏଆଇ – ସିକିମର କୁଳପତି ଡ଼ ଜଗନ୍ନାଥ ପଟ୍ଟନାୟକ, ଇଂ ଗୋପୀନାଥ ପଟ୍ଟନାୟକ ପ୍ରମୁଖ ମଂଚାସୀନ ଥିଲେ । ଅନୁଷ୍ଠିତ ‘ଲୋକନାଥ ମେମୋରିୟାଲ ଆୱାର୍ଡ ସେରିମନି’ ଅବସରରେ ବିଭିନ୍ନ ସ୍କୁଲର ଦଶମ ଓ ଦ୍ୱାଦଶ ଶ୍ରେଣୀର ଟପର୍ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ପିଲାମାନଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ବିଗତ ୨୦୧୨ ମସିହାରୁ କ୍ରମାଗତ ଭାବେ ଏହି କାର୍ଯ୍ୟକ୍ରମ କରାଯାଇ ଆସୁଛି । ଉପଦେଷ୍ଟା ଡ଼ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଆୟୋଜନ କମିଟିର ସେକ୍ରେଟାରୀ ଜେନେରାଲ ଡ଼ ବଦ୍ରିନାଥ ପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭାଇସ ପ୍ରିନସିପାଲ ନିବେଦିତା ପଟ୍ଟନାୟକ, ସ୍ଵର୍ଣ୍ଣପ୍ରଭା ପଟ୍ଟନାୟକ, ବନ୍ଦନା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ । ପ୍ରାୟ ଶତାଧିକ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ କାର୍ଯ୍ୟକାରୀ ସଭାପତି ଡ଼ କରୁଣାକର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ କୃତି ଛାତ୍ରଛାତ୍ରୀଙ୍କ ସହ ସେମାନଙ୍କ ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀ, ବୁଦ୍ଧିଜୀବୀ ଓ ଅନୁଷ୍ଠାନର ପ୍ରମୁଖ ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ପ୍ରଧାନ ଶିକ୍ଷୟତ୍ରୀ ଗୀତାଞ୍ଜଳି ପଣ୍ଡା, ଶୁଭସ୍ମିତା ମହାନ୍ତି, ରଜମିତ କୌର, ପୁଷ୍ପଶ୍ରୀ ମିଶ୍ର, ଅର୍ଚ୍ଚନା ମିଶ୍ର ପ୍ରମୁଖ ସହଯୋଗ କରିଥିଲେ ।