
ଭୁବନେଶ୍ୱର, (କେପିଏନ୍ଏସ୍) : ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର ୧୬ ଜଣ ଗବେଷକ ପୃଥିବୀର ୨% ଶ୍ରେଷ୍ଠ ବୈଜ୍ଞାନିକଙ୍କ ତାଲିକାରେ ସ୍ଥାନ ପାଇଛନ୍ତି । ବିଶେଷ କରି ୟୁଏସ୍ର ଷ୍ଟାନ୍ଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରସ୍ତୁତ ୨୦୨୨ ମସିହା ପାଇଁ ପୃଥିବୀର ୨% ଶ୍ରେଷ୍ଠ ବୈଜ୍ଞାନିକଙ୍କ ତାଲିକାରେ ସ୍ଥାନିତ ହୋଇଥିବା ଜଣାପଡ଼ିଛି । ଏପରିକି ସୋଆ ବିଶ୍ୱବିଦ୍ୟାଳୟ ପକ୍ଷରୁ ଶୁକ୍ରବାର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ସୋଆର ଗବେଷକମାନଙ୍କୁ ବିଶ୍ୱବିଦ୍ୟାଳୟ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଛି । ଏହି ଅବସରରେ ସୋଆ ବିଶ୍ୱବିଦ୍ୟାଳୟର କୁଳାଧିପତି ପ୍ରଫେସର ଦେବୀପ୍ରସାଦ ରାୟ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସେମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏପରିକି ଗବେଷଣା କ୍ଷେତ୍ରରେ ସେମାନଙ୍କର ଉତ୍କର୍ଷ ଯୁବ ବୈଜ୍ଞାନିକମାନଙ୍କୁ ଅନୁପ୍ରାଣିତ କରିବ ବୋଲି ରାୟ ମତ ପ୍ରକାଶ କରିଥିଲେ । ସେହିପରି ପ୍ରଫେସର ରାୟ କହିଥିଲେ, ଦେଶର ବିଶ୍ୱ ବିଦ୍ୟାଳୟଗୁଡ଼ିକ ମଧ୍ୟରେ ଏନ୍ଆଇଆର୍ଏଫ୍ ର୍ୟାକିଙ୍ଗ୍ ଅନୁଯାୟୀ ୧୬ତମ ସ୍ଥାନ ଅଧିକାର କରିଥିବା ସୋଆରେ ବିଶେଷ ଭାବେ ଇଣ୍ଟର-ଡିସିପ୍ଲିନାରି ଗବେଷଣା ନିମନ୍ତେ ଅନେକ ସୁଯୋଗ ରହିଛି । ଉକ୍ତ ଉତ୍ସବରେ ବିଶ୍ୱବିଦ୍ୟାଳୟର ଉପକୁଳପତି ତଥା ରେଜିଷ୍ଟ୍ରାର ପ୍ରଫେସର ବିଭୂତି ଭୂଷଣ ପ୍ରଧାନଙ୍କ ସମେତ ବହୁ ବରିଷ୍ଠ କର୍ମକର୍ତ୍ତାଗଣ ଉପସ୍ଥିତ ଥିଲେ ।