ls

ଟୋକିଓ ଅଲିମ୍ପିକ୍ସ ଭାରତୀୟ ହକି ଖେଳାଳିଙ୍କ କାନ୍ଧରେ ପଡ଼ିଲା ସମ୍ବଲପୁରୀ ଉତ୍ତରୀୟ

sb

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ବୟନଶିଳ୍ପ ଓ ହସ୍ତତନ୍ତରେ ବିଶ୍ୱ ଦରବାରରେ ସମ୍ବଲପୁରୀ ବସ୍ତ୍ରାଳୟର ସ୍ୱତନ୍ତ୍ର ପରିଚୟ ରହିଛି । ଏଠାକାର ବୟନକଳା ବିଶ୍ୱ ଦରବାରରେ ପ୍ରସିଦ୍ଧ । ସମ୍ବଲପୁରୀ ବାନ୍ଧକଳା ଦେଶ ବିଦେଶରେ ପରିଚିତ । ବିଭିନ୍ନ ସରକାରୀ ଉତ୍ସବ ହେଉ କିମ୍ବା ରାଜ୍ୟକୁ କୌଣସି ସ୍ବତନ୍ତ୍ର ଅତିଥିଙ୍କ ଆଗମନ ହେଲେ ସମ୍ବଲପୁରୀ ବାନ୍ଧକଳାରେ ପ୍ରସ୍ତୁତ ବସ୍ତ୍ର ଉପହାର ପାଇଁ ଖୋଜା ଯାଇଥାଏ । ଠିକ୍‌ ସେହିଭଳି ଅଲିମ୍ପିକ୍ସ ହକିରେ ଗତ ୪୧ ବର୍ଷ ପରେ ଭାରତ ପଦକ ଜିତିଥିବା ପୁରୁଷ ହକି ଦଳର ଖେଳାଳିଙ୍କ କାନ୍ଧରେ ଗତ ୧୭ ତାରିଖରେ ଶୋଭା ପାଇଲା ସମ୍ବଲପୁରୀ ବସ୍ତ୍ରାଳୟ ଦ୍ୱାରା ବୁଣା ଯାଇଥିବା ଉତ୍ତରୀୟ । ସୋନପୁର ଜିଲ୍ଲା ମେଣ୍ଡା ଗ୍ରାମରେ ତିଆରି ହେଇଛି ଏହି ଉତ୍ତରୀୟ । ଓଡ଼ିଶା ସରକାର ହକି ଦଳର ପ୍ରଯୋଜକ ରହିବା ସହ ଦେଶର ହକି ଖେଳାଳିମାନଙ୍କୁ ଉତ୍ସାହିତ କରୁଛନ୍ତି । ଟୋକିଓ ଅଲିମ୍ପିକ୍ସରେ ପ୍ରତିନିଧିତ୍ଵ କରିଥିବା ଭାରତର ପୁରୁଷ ଓ ମହିଳା ହକି ଦଳକୁ ସମ୍ବର୍ଦ୍ଧିତ କରିବା ପାଇଁ ଆମନ୍ତ୍ରଣ କରାଯାଇଥିଲା । ଏହି ଖେଳାଳିମାନଙ୍କୁ ଦିଆଯିବାକୁ ଥିବା ସମ୍ବଲପୁରୀ ବାନ୍ଧକଳାରେ ପ୍ରସ୍ତୁତ ହୋଇଛି ଏହି ଉତ୍ତରୀୟ । ମେଣ୍ଢାର ବୁଣାକାର ଶିବଶଙ୍କର ମେହେର ଓ ନୀଳମଣି ମେହେରଙ୍କ ପରିବାର ଏହି ଉତ୍ତରୀୟ ବୁଣିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ବରଗଡ଼ ସ୍ଥିତ ସମ୍ବଲପୁରୀ ବସ୍ତ୍ରାଳୟକୁ ଉତ୍ତରୀୟ ପ୍ରସ୍ତୁତି ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ । ସମ୍ବଲପୁରୀ ବସ୍ତ୍ରାଳୟ ପକ୍ଷରୁ ମେଣ୍ଡାର ତନ୍ତଶିଳ୍ପୀଙ୍କୁ ଏହା ବୁଣିବା ପାଇଁ ଚୟନ କରାଯାଇଥିଲା । ମାଷ୍ଟର ବୁଣାକାର ଉତ୍ତମ ମେହେରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହା ବୁଣା ଯାଇଥିଲା । ଏହି ଉତ୍ତରୀୟରେ ଅଲିମ୍ପିକ୍ସ ଚିହ୍ନ ଏବଂ ଦୁଇଟି ହକି ଷ୍ଟିକ ଭିତରେ ଶୋଭା ପାଉଛି ହକି ବଲ । ସମ୍ବଲପୁରୀ ବସ୍ତ୍ରାଳୟର ପରିଚାଳନା ନିର୍ଦେଶକ ଶିଶିର କୁମାର ନାଗଙ୍କୁ ଏହି ଉତ୍ତରୀୟ ପ୍ରଦାନ କରାଯାଇଥିଲା । ପରେ ବସ୍ତ୍ରାଳୟର ପକ୍ଷରୁ ଏହାକୁ କ୍ରୀଡା ବିଭାଗକୁ ପ୍ରଦାନ କରାଯାଇଥିଲା । ଗତକାଲି କଲିଙ୍ଗ ଷ୍ଟାଡିୟମ ଠାରେ ଏକ ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ଖେଳାଳି ମାନଙ୍କୁ ଏହି ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ ।

pc pk
Leave A Reply

Your email address will not be published.