jayashree

ସାମ୍ବାଦିକମାନେ ଧୈର୍ଯ୍ୟ, ସଂଯମତା ରକ୍ଷାକରିବା ସାଂଗକୁ ନିଜର ମାନସିକ ସ୍ଥିତିକୁ ଉନ୍ନତ ଓ ସୁଦୃଢ଼ କରି କାର୍ଯ୍ୟ କରିଲେ ସମାଜର ଏକ ନୂତନ ପରିବର୍ତ୍ତନ ଆସିବ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଣମାଧ୍ୟମ ପ୍ରତିନିଧିମାନେ ତଥା ସାମ୍ବାଦିକମାନେ ନୀତିନିଷ୍ଠାପରତା ହେବା ସାଂଗକୁ ଧୈର୍ଯ୍ୟ,ସଂଯମତା ରକ୍ଷାକରିବା ସାଂଗକୁ ନିଜର ମାନସିକ ସ୍ଥିତିକୁ ଉନ୍ନତ ଓ ସୁଦୃଢ଼ କରି କାର୍ଯ୍ୟ କରିବା ଆବଶ୍ୟକ । ତେବେ ଯାଇ ସମାଜର ଏକ ନୂତନ ପରିବର୍ତ୍ତନ ଆସିବ ବୋଲି ବ୍ରହ୍ମପୁର ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା କମିଟୀର ଅଧ୍ୟକ୍ଷ ବିକ୍ରମ କୁମାର ପଣ୍ଡା ମତବ୍ୟକ୍ତ କରିଛନ୍ତି । ପ୍ରଭୁ ଉପହାର ରି-ଟ୍ରିଟ୍ ସେଣ୍ଟର, ଗୋପାଳପୁରସ୍ଥ ଶ୍ରୀରାମଚନ୍ଦ୍ରପୁର ବ୍ରହ୍ମାକୁମାରୀ ସବ୍‌-ଜୋନ ଆନୁକୂଲ୍ୟରେ ଅନୁଷ୍ଠିତ ମିଡ଼ିଆ ସେମିନାର ଆୟୋଜିତ ହୋଇଥିଲା । ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ବ୍ରହ୍ମପୁର ସବ୍‌-ଜୋନ ଅଧୀନସ୍ଥ ଗଞ୍ଜାମ, ଗଜପତି, ଶ୍ରୀକାକୁଲମ, ନୟାଗଡ଼ ଜିଲ୍ଲାର ସଂଶ୍ଳିଷ୍ଟ ଶାଖା ସହଯୋଗରେ ବ୍ରହ୍ମାକୁମାରୀ ଦିଦି ଓ ଭଉଣୀମାନଙ୍କ ସହଯୋଗରେ ବିଭିନ୍ନ ପ୍ରାନ୍ତରୁ ସାମ୍ବାଦିକଗଣ ଯୋଗଦାନ କରି ପ୍ରଭୁ-ଉପହାର, ଈଶ୍ୱରୀୟ ସନ୍ଦେଶ ଲାଭ କରିଥିଲେ । ଏହି ଉପଲକ୍ଷେ ଅନୁଷ୍ଠିତ ମିଡ଼ିଆ ସେମିନାରରେ ମୁଖ୍ୟଅତିଥୀ ଭାବେ ବ୍ରହ୍ମପୁର ବିଧାୟକ ଯୋଗଦେଇ ପ୍ରଦୀପ ପ୍ରଜ୍ଵଳନ କରି ସାମ୍ବାଦିକମାନେ ସମାଜର ଜାଗ୍ରତ ପ୍ରହରୀ ବୋଲି ଆଲୋକପାତ କରି ଉକ୍ତ ସନ୍ଦେଶ ଦେଇଥିଲେ । ଜଡ଼ତତ୍ତ୍ୱ, ଚେତନ ତତ୍ତ୍ୱ, ଆତ୍ମବୋଧ, ସମ୍ପର୍କରେ ବ୍ୟାଖ୍ୟା କରି ଭାରତବର୍ଷରେ ସମସ୍ତ ପତ୍ରକାର ତଥା ସାମ୍ବାଦିକମାନେ ଆଧ୍ୟାତ୍ମିକ ପ୍ରେମୀ ଅଟନ୍ତି ବୋଲି ମୁଖ୍ୟବକ୍ତା ସୁଶାନ୍ତ ଭାଇ ଦୃଷ୍ଟାନ୍ତ ଦେଇଥିଲେ । ସମ୍ମାନୀତ ଅତିଥୀଭାବେ ଦୈନିକ ଆଶାର ସମ୍ପାଦକ ପ୍ରମୋଦ କୁମାର ପଣ୍ଡା, ବ୍ରହ୍ମପୁର ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ, ନବୀନର ସମ୍ପାଦକ ରବିରଥ ପ୍ରମୁଖ ଯୋଗଦେଇ ବର୍ତ୍ତମାନର ସମସ୍ୟାକୁ ଦୃଷ୍ଟିରେ ରଖି ସାମ୍ବାଦିକମାନଙ୍କର ଭୂମିକା ସମାଜପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ସେମାନେ ସତ୍ୟର ଅନୁସନ୍ଧାନ କରି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରିପାରିଲେ ସମାଜ ବିଶେଷ ଶୃଙ୍ଖଳିତ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ରାଜଯୋଗିନୀ ବ୍ରହ୍ମାକୁମାରୀ ମଞ୍ଜୁ ଏହି କାର୍ଯ୍ୟକ୍ରମର ପରିଚାଳନା କରିଥିବାବେଳେ ବ୍ରହ୍ମପୁର ଜୋନମୁଖ୍ୟ ରାଜଯୋଗିନୀ ବ୍ରହ୍ମାକୁମାରୀ ମାଳା ଅଧ୍ୟକ୍ଷତା କରିଥିଲେ । ଏହି ଅବସରରେ ମଞ୍ଚାସୀନ ଅତିଥୀଙ୍କୁ ଉପଢୌକନ ସହ ଈଶ୍ୱରୀୟ ଉପହାର ପ୍ରଦାନ କରି ସମ୍ମାନୀତ କରାଯାଇଥିଲା । ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ଗୋଟିଏ ଲେଖାଏଁ ବ୍ୟବହାରିକ ଉପହାର ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.