ବଙ୍ଗୋମୁଣ୍ଡା ଧନୁଯାତ୍ରା ମହୋତ୍ସବ ପାଇଁ ସାମ୍ବାଦିକ ସମ୍ମିଳନୀ : ଦୁଲକି ଉଠିବ ରଙ୍ଗମଂଚ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦର ସର୍ବସାଧାରଣ ଖେଳପଡିଆଠାରେ ୩୭ତମ ଧନୁଯାତ୍ରା ମହୋତ୍ସବ ପାଇଁ ଆଜି ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୨୨ ତାରିଖ ଠାରୁ ୨୮ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଧନୁଯାତ୍ରା ମହୋତ୍ସବରେ ବଙ୍ଗୋମୁଣ୍ଡା ମଥୁରାନଗରୀ ଏବଂ ଗୋହିରାପଦର ଗୋପପୁର ପାଲଟିବ । ଗୋପପୁରରେ ଶ୍ରୀକୃଷ୍ଣ ବଳରାମଙ୍କ ବିଭିନ୍ନ ନାଟକ ହେବା ସହିତ ବଙ୍ଗୋମୁଣ୍ଡାରେ କଂସ ଦରବାର ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ପୌରାଣିକ କଥା ବସ୍ତୁକୁ ନେଇ ନାଟ୍ୟାଭିନୟ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ । ୨୨ ତାରିଖ ସକାଲେ ଆରାଧ୍ୟା ଦେବୀ ମା’ ଦ୍ୱାରସେନୀଙ୍କ ପୀଠରୁ ମଶାଲ ବାହାରି ଧନୁଯାତ୍ରା ପଡିଆରେ ସ୍ଥାପନ କରାଯିବ । ଧନୁଯାତ୍ରା ପଡିଆରେ ବ୍ୟବସାୟିକ ଷ୍ଟଲ, ମୀନାବଜାର ସହ ସରକାରୀ କାର୍ଯ୍ୟକ୍ରମର ଷ୍ଟଲ ଆଦି ଲାଗିବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି । ଧନୁଯାତ୍ରା ମହୋତ୍ସବ ଉପଲକ୍ଷେ ଅଘୋରୀ ଆଗମନ, କିଆବନ୍ଧରେ କାଳିଆ ଦଳନ ତଥା ନାବକେଳି, କୃଷ୍ଣ ଜନ୍ମ ଏବଂ ନନ୍ଦ ଉତ୍ସବ ବିଶେଷ ଆକର୍ଷଣ ନେଇ ଜଣାପଡିଛି । ନୃତ୍ୟ ପ୍ରତିଯୋଗିତା, ରଙ୍ଗୋଲି ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହେବ । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କମିଟିର ଅଧ୍ୟକ୍ଷ ତୁଲସୀରାମ ହଂସ, ଉପାଧ୍ୟକ୍ଷ ଆନନ୍ଦ ଅଗ୍ରୱାଲ, ସଭାପତି ସୁଦାମ ସିନ୍ଦୁର, କାର୍ଯ୍ୟକାରୀ ସଭାପତି ସନ୍ତୋଷ ତ୍ରିପାଠୀ, ସମ୍ପାଦକ ଅମିତ ଥନାପତି ପ୍ରମୁଖ ଉପସ୍ଥିତ ଥିଲେ । ଅଂଚଳରେ ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ପାଇଁ ପ୍ରୟାସ କରାଯାଇଛି । ଜିଲ୍ଲା ତଥା ଜିଲ୍ଲା ବାହାର କଳାକାରମାନେ ଯୋଗଦେଇ ନିଜର ନିଖୁଣ ଅଭିନୟରେ ଦର୍ଶକମାନଙ୍କୁ ଦେଖାଇବେ । ସେଥିପାଇଁ ଦର୍ଶକମାନେ ଏହି ଧନୁଯାତ୍ରାକୁ ଚାତକ ପକ୍ଷୀ ପରି ଅପେକ୍ଷା କରି ରହିଥାନ୍ତି ।

Leave A Reply

Your email address will not be published.