କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିଙ୍କୁ ପୋଲିସର ଅମାନୁଷିକ ଆକ୍ରମଣକୁ ସାରା ଓଡ଼ିଶାର ସାମ୍ବାଦିକ ମହଲରେ ନିନ୍ଦା

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ନୀଳଗିରିରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ଲୋକନାଥ ଦଳେଇଙ୍କ ପ୍ରତି ପୋଲିସର ଅମାନୁଷିକ କାର୍ଯ୍ୟାନୁଷ୍ଠାନ ସହିତ ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଗୋଡ଼ରେ ବେଡ଼ି ପକାଇବା ଘଟଣା ସାରା ରାଜ୍ୟରେ ଚହଳ ସୃଷ୍ଟି କରିଛି । ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଆଇଆଇସି ନିଜ ପଦ ଓ କ୍ଷମତାର ଦୁରୂପଯୋଗ କରି ସମସ୍ତ ନୀତି ନିୟମକୁ ଉଲଂଘନ କରିଥିବା ଯୋଗୁଁ ସାରା ଓଡ଼ିଶାର ସାଂବାଦିକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଗଣତନ୍ତ୍ରର ଚତୁର୍ଥ ସ୍ତମ୍ବର କର୍ମୀ ତଥା ଜଣେ ସାମ୍ୱାଦିକଙ୍କୁ ପେଶାଦାର ଅପରାଧୀ ପରି ବ୍ୟବହାର ପ୍ରଦର୍ଶନ ଅତ୍ୟନ୍ତ ଦୁଃଖଦ ଓ ନିନ୍ଦନୀୟ ବୋଲି ସାମ୍ବାଦିକ ମହଲରେ ମତପ୍ରକାଶ ପାଇଛି । ବିଗତ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରେ ବାରମ୍ବାର ସାମ୍ବାଦିକଙ୍କ ଉପରକୁ ଆକ୍ରମଣ ଓ ଦୁର୍ବ୍ୟବହାର ରାଜ୍ୟ ପୋଲିସର ବର୍ବରତା ମୁଖା ଖୋଲି ଦେଇଥିବା କୁହାଯାଇଛି । ସଂପୃକ୍ତ ଥାନା ଆଇଆଇସିଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ପାଇଁ ସାରା ରାଜ୍ୟର ସାମ୍ବାଦିକମାନଙ୍କ ପକ୍ଷରୁ ଦୃଢ଼ ଦାବୀ କରାଯାଉଛି ।

Leave A Reply

Your email address will not be published.