oom

କାର୍ଯ୍ୟରତ ସାମ୍ବାଦିକଙ୍କୁ ବିଦ୍ୟୁତ ବିଭାଗ ଅଧିକାରୀଙ୍କ ଅତର୍କିତ ଆକ୍ରମଣ : ଏସ୍‌ୟୁଜେ ବଲାଙ୍ଗିର ଶାଖା ତରଫରୁ ଘଟଣାର ତୀବ୍ର ନିନ୍ଦା

jsmm
  • ବଲାଙ୍ଗିର ଜିଲ୍ଲାପାଳ ଓ ଏସ୍. ପିଙ୍କୁ ଦାବିପତ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଟିଟିଲାଗଡ଼ର ୩ ଜଣ କାର୍ଯ୍ୟରତ ସାମ୍ବାଦିକଙ୍କୁ ବିଦ୍ୟୁତ ବିଭାଗର ଅଧିକାରୀ ଅତର୍କିତ ଆକ୍ରମଣ କରିବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଛନ୍ତି । ଗଣମାଧ୍ୟମର କଣ୍ଠରୋଧ କରିବାର ଏହି ହୀନ ପ୍ରୟାସକୁ ଷ୍ଟେଟ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ(ଏସ୍‌ୟୁଜେ) ବଲାଙ୍ଗିର ଶାଖା ଦୃଢ଼ ନିନ୍ଦା କରିଛି । ଆଜି ଏସ୍‌ୟୁଜେର ସଭ୍ୟମାନେ ବଲାଙ୍ଗିର ଜିଲ୍ଲାପାଳ ଓ ବଲାଙ୍ଗିର ଏସ୍‌ପିଙ୍କୁ ସାକ୍ଷାତ କରି ସଂଘ ତରଫରୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଦୋଷୀ ଅଧିକାରୀଙ୍କୁ ତୁରନ୍ତ ଗିରଫ୍ କରିବା ସହ ତାଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି । ସାମ୍ବାଦିକ ସୁରକ୍ଷା ଆଇନକୁ ସରକାର ତୁରନ୍ତ ପ୍ରଣୟନ କରିବା ପାଇଁ ଦାବିପତ୍ରରେ ଉଲ୍ଲେଖ କରାଯାଇଛି । ଏସ୍‌ୟୁଜେର ସଭାପତି ଶରତ ମହାକୁଡଙ୍କ ନେତୃତ୍ଵରେ ସଂଘର ସାଧାରଣ ସଂପାଦକ ରଘୁନନ୍ଦନ ସିଂହ, ରାଜ୍ୟ ଉପସଭାପତି ମହେନ୍ଦ୍ର ଦର୍ଜି, ବରିଷ୍ଠ ସାମ୍ବାଦିକ ଗୋପବନ୍ଧୁ ସତପଥୀ, ଶ୍ରୀମନ୍ତ ପଣ୍ଡା, ଚନ୍ଦ୍ରଭାନୁ ମୌଲାନା, ବଳରାମ ମିଶ୍ର, ପବନ ବଂଶାଲ, ରାଧାକୃଷ୍ଣ ମିଶ୍ର ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏହି ଦାବିପତ୍ର ପ୍ରଦାନ କରିଛନ୍ତି । ଠିକ୍ ସେହିପରି ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ମଧ୍ୟ ଏହି ଘଟଣାକୁ ନିନ୍ଦା କରିବା ସହିତ ବଲାଙ୍ଗିର ଜିଲ୍ଲାପାଳ ଓ ଏସ୍.ପିଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।

jittmm
Leave A Reply

Your email address will not be published.