- ସୋହେଲାରେ ମୁଖ୍ୟମନ୍ତ୍ରୀ ସମାବେଶରେ ମିଲର୍ସଙ୍କ ଠୁଁ ଚାନ୍ଦା ଆଦାୟର ତଦନ୍ତ ନିର୍ଦ୍ଦେଶ
ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲାର ବିଭିନ୍ନ ମଣ୍ତିରେ ଓ ମାର୍କେଟ ୟାର୍ଡରେ ପର୍ଯ୍ୟାପ୍ତ ପରିମାଣରେ ଧାନ ପଡିରହିଛି । ବିଜୁ ଜନତା ଦଳ ସରକାର ସମୟରେ ଯେପରି ମିଲର୍ସ ମାନେ ମନ ମର୍ଜି ଧାନ ଉଠାଉଥିଲେ, ଚଳିତ ବର୍ଷ ମଧ୍ୟ ମିଲର୍ସଙ୍କ ଉପରେ ଧାନ କିଣା ବ୍ୟବସ୍ଥା ନିର୍ଭର କରୁଛି । ପ୍ରତି ଧାନ କ୍ୱିଣ୍ଟାଲରେ ୨ କେଜିରୁ ୫ କେଜି ଧାନ କଟନି ଛଟନି ବାଧ୍ୟତା ମୂଳକ କରାଯାଇଛି । ଅନେକ ଚାଷୀଙ୍କ ଟୋକନ ଲେପ୍ସ ହେବାରେ ଲାଗିଛି । ଧାନ ଉଠାଇବା ପାଇଁ ବିଭିନ୍ନ ମଣ୍ତିରେ ମିଲର୍ସଙ୍କ ଟେକ୍ ଥିବା ସତ୍ୱେ ମିଲର୍ସ ମଣ୍ତି ମାନଙ୍କୁ ଗାଡି ପଠାଉ ନାହାଁନ୍ତି । ପ୍ରତି କ୍ୱିଣ୍ଟାଲରେ ଓଡିଶା ସରକାର ୮ଶହ ଟଙ୍କା ଚାଷୀଙ୍କୁ ଇନ୍ପୁଟ୍ ସବ୍ସିଡି ଦେଉଥିବା କାରଣରୁ ଚାଷୀ ମାନେ ଏ ବର୍ଷ ବେଶୀ ପ୍ରତିକ୍ରିୟାଶୀଳ କିମ୍ବା ଆନ୍ଦୋଳନ ଆଡକୁ ମୁହାଉ ନାହାନ୍ତି । ବିଭିନ୍ନ ମାର୍କେଟ ୟାର୍ଡ ଓ ମଣ୍ତିରେ ଧାନ ଜଗିବା ପାଇଁ ଚାଷୀଙ୍କୁ କ୍ୱିଣ୍ଟାଲ ପିଛା ୨ଟଙ୍କା ଲେଖାଁଏ ଦେବାକୁ ପଡୁଛି । ଏଭଳି ଏକ ଅଭିଯୋଗ ଝାରବନ୍ଧ ବ୍ଲକ ଲଉଡିଧରା ସେବା ସମବାୟ ସୋସାଇଟି ଲଉଡିଧରା ମଣ୍ତିରେ ଚାଷୀ ମାନେ ଅଭିଯୋଗ କରିଥିଲେ । ଧାନ ଜଗିବା ପାଇଁ ୨ ଲକ୍ଷ ଟଙ୍କା ଚାଷୀଙ୍କ ଠାରୁ ଲଉଡିଧରା ମଣ୍ତିରୁ ଅସୁଲ ହୋଇଥିବାର ଅଭିଯୋଗ ପରେ ପଦ୍ମପୁର ଆର୍ଏମ୍ସି ସେକେଟ୍ରାରୀ ଏହାର ତଦନ୍ତ କରି ତୁରନ୍ତ ଚାଷୀଙ୍କ ଟଙ୍କା ଫେରସ୍ତ କରିବା ପାଇଁ ପେକ୍ସ ଅଧିକାରୀଙ୍କୁ ନିଦ୍ଦେର୍ଶ ଦେଇଥିବା ଜଣାପଡିଛି । ଗତ ଡିସେମ୍ବର ୮ ତାରିଖ ଦିନ ସୋହେଲା ସ୍ଥିତ ଇଛାପାଲି ଚାଷୀ ସମାବେଶରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଚାଷୀଙ୍କୁ ରାଜ୍ୟ ସରକାର ଘୋଷଣା କରିଥିବା କ୍ୱିଣ୍ଟାଲ ପ୍ରତି ୮ ଶହ ଟଙ୍କା ଇନ୍ପୁଟ୍ ସବ୍ସିଡ ଡିଜିଟାଲ ମାଧ୍ୟମରେ ଚାଷୀଙ୍କ ଏକାଉଣ୍ଟରେ ପ୍ରଦାନ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମ ସରକାରୀ କାର୍ଯ୍ୟକ୍ରମ ଥିବା ସତ୍ୱେ ଓ ଏଥିପାଇଁ ରାଜ୍ୟ ସରକାର ସମସ୍ତ ଖର୍ଚ୍ଚ ବହନ କରିଥିବା ବେଳେ ଏହି କାର୍ଯ୍ୟକ୍ରମରେ ମିଲର୍ସ ମାନଙ୍କ ଠାରୁ ପ୍ରତି ମିଲର୍ସ ପିଛା ୫ ଲକ୍ଷ ଟଙ୍କା ପ୍ରାୟ ୧ କୋଟି ଟଙ୍କା ଚାନ୍ଦ ସଂଗ୍ରହର ଅଭିଯୋଗ ହୋଇଥିଲା । ଏହା ବିଭିନ୍ନ ସମ୍ବାଦପତ୍ର ମାନଙ୍କରେ ପ୍ରକାଶିତ ହୋଇଥିଲା । ଏ ବିଷୟରେ ରାଜ୍ୟ ସରକାର ଅବଗତ ହେବାପରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିବା ସମର୍ଥିତ ସୂତ୍ରରୁ ଖବର ମିଳିଥିବା ଜଣାଯାଇଛି ।