
ରାଉରକେଲା, (ସସ୍ମିତା ପ୍ରଧାନ) : ରଘୁନାଥପାଲ୍ଲୀ ନବନିର୍ବାଚିତ ବିଜେପି ବିଧାୟକ ଦୁର୍ଗାଚରଣ ତନ୍ତୀ ହମିରପୁର ଗସ୍ତରେ ଯାଇ ସେଠାକାର ସମସ୍ୟା ସମ୍ପର୍କରେ ଅବଗତ ହେବା ସହ ସମସ୍ୟା ଗୁଡିକ କିପରି ସମାଧାନ କରାଯାଇପାରିବ, ସେ ସମ୍ପର୍କରେ ଉଦ୍ୟମ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ହମିରପୁର ଉନ୍ନୟନ ପରିଷଦର ସଭାପତି ଡ. ସୁମନ ଦତ୍ତ ଓ କାର୍ଯ୍ୟକାରୀ ସଭାପତି ଉପେନ୍ଦ୍ର କୁମାର ନାୟକଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ବାସିନ୍ଦା ମାନେ ହମିରପୁରର ବିପର୍ଯ୍ୟସ୍ତ ଗମନାଗମନ, ଷ୍ଟ୍ରିଟ୍ ଲାଇଟ୍, ସ୍ୱାସ୍ଥ୍ୟ, ଡ୍ରେନେଜ୍ ଆଦି ମୌଳିକ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଏହା ସହ ହମିରପୁରରେ ଥିବା ଅର୍ବାନ ପ୍ରାଇମେରୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଏଠାରେ ପୁନଃ ସ୍ଥାପନ ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ବିଧାୟକଙ୍କ ମାଧ୍ୟମରେ ପ୍ରଦାନ କରାଯାଇଥିଲା । ସୂଚନାଯୋଗ୍ୟ ଯେ, ଏଠାରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ରଟି ସେକ୍ଟର-୧୬ ଅଞ୍ଚଳକୁ ଚାଲିଯିବାରୁ ଏଠାରେ ପ୍ରାୟ ୨୦ ହଜାରରୁ ଅଧିକ ବାସିନ୍ଦା ଏହି ସେବାରୁ ବଞ୍ଚିତ ହେଉଛନ୍ତି । ଏହି ଅଞ୍ଚଳଟି ଆଦିବାସୀ ବହୁଳ ହୋଇଥିବା ସତ୍ତ୍ଵେ ଏହାକୁ ଅଣଦେଖା କରାଯିବା ସ୍ଥାନୀୟ ଅଞ୍ଚଳବାସୀଙ୍କ ପାଇଁ ଉଦ୍ବେଗର ବିଷୟ ପାଲଟିଛି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ନିରଞ୍ଜନ ଦାସ, ମହେଶ୍ୱର ସାହୁ, ସୁରଥ ବାଗ, ମହେଶ୍ୱର ପଣ୍ଡା, ହରମୋନ ଲାକ୍ରା, ଅଗସ୍ତି ଦାସ, ନିରଞ୍ଜନ ନାୟକ, ମହେନ୍ଦ୍ର ପଣ୍ଡିତ, ଅନିଲ କୁମାର ବାଲଚାନ୍ଦନୀ, ଦିଲ୍ଲୀପ ଦେ, ସନ୍ତୋଷ କୁମାର ରାୟଗୁରୁ, ପ୍ରଶାନ୍ତ ଦାସ, ମହେଶ କୁମ୍ଭାରଙ୍କ ସମେତ ଶତାଧିକ ଜନସାଧାରଣ ଉପସ୍ଥିତ ଥିଲେ ।