କଣ୍ଟାପାଲି ୟୁପି ସ୍କୁଲ୍ ବନ୍ଦ ହେବାର ୨ ବର୍ଷ ହେଲା : ହାଇସ୍କୁଲ୍‌ରେ ମିଶିଲା,୨ ଜଣ ଶିକ୍ଷକ ଓ ପାଚିକା ବସିରହୁଛନ୍ତି, ୨୮ ଜଣ ଛାତ୍ରଛାତ୍ରୀ ସମସ୍ୟା ଭୋଗୁଛନ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର (ଡୁଡୁକା) ବ୍ଲକ କୁଟାସିଂହା ପଂଚାୟତ କଣ୍ଟାପାଲି ଗାଁର ୟୁପି ସ୍କୁଲ ବନ୍ଦ ହୋଇଯାଇଥିବାରୁ ଗାଁର ଛୋଟଛୋଟ ଛୁଆ ବହୁ ଅସୁବିଧାରେ ଦେଢ଼ କିଲୋମିଟର ଦୂର କୁଟାସିଂହା ୟୁପି ସ୍କୁଲକୁ ପଢିବାକୁ ଯାଉଥିବା ଦେଖାଯାଉଛି । ସୂଚନା ଅନୁସାରେ କଣ୍ଟାପାଲିରେ ୧୯୭୧ ମସିହାରେ ଏକ ୟୁପି ସ୍କୁଲ ସ୍ଥାପିତ ହୋଇଥିଲା । ୧ମରୁ ୩ୟ ପର୍ଯ୍ୟନ୍ତ ଆରମ୍ଭ ହୋଇଥିବା ଏହି ସ୍କୁଲରେ ଜଣେ ଶିକ୍ଷକ ନିଯୁକ୍ତ ହୋଇଥିଲେ । ଏହାର କିଛି ବର୍ଷ ପରେ ଏଠାରେ ୫ମ ପର୍ଯ୍ୟନ୍ତ ପଢା ଲାଗି ଆଉ ଜଣେ ଶିକ୍ଷକ ନିଯୁକ୍ତି ହେଲେ । ସବୁ ଠିକ୍‌ଠାକ୍‌ ଥିଲା ହେଲେ ୨୦୨୨ମସିହାରେ ସରକାରଙ୍କ ନୁଆଁ ସ୍କୁଲ ସଂସ୍କାର ଗାଇଡ୍‌ଲାଇନ୍‌ ଆସିଲା ୩୦ ଜଣରୁ କମ୍‌ ଛାତ୍ରଛାତ୍ରୀ ଥିବା ସ୍କୁଲ ଉଠିଯିବ । ସେହି ସମୟରେ ଏହି ସ୍କୁଲରେ ୨୮ ଜଣ ଛାତ୍ରଛାତ୍ରୀ ଥିବାରୁ ଏହାକୁ ଉଠାଇ ଦେଇ କୁଟାସିଂହା ହାଇସ୍କୁଲରେ ସାମିଲ କରାଗଲା । ଏଠାରେ କାର୍ଯ୍ୟରତ ୨ ଜଣ ଶିକ୍ଷକ ମଧ୍ୟ ସେଠାରେ ନିଯୁକ୍ତି ହେଲେ କିନ୍ତୁ ଛୁଆ ହାଇସ୍କୁଲକୁ ପଢିବାକୁ ଗଲେନାହିଁ । ଗାଁ ଠାରୁ ଟିକେ ଦୂର ତଥା ମୁଖ୍ୟ ରାସ୍ତା ପାର୍ଶ୍ୱରେ ଥିବାରୁ ଦୈନିକ ସହ ସହ ଯାନବାହନ ଜାତାୟାତ କରୁଥିବା ଯୋଗୁଁ ଛୋଟ ଛୋଟ ଛୁଆଙ୍କୁ ଏଠାକୁ ଛାଡିବାକୁ ଅଭିଭାବକ ସୁରକ୍ଷିତ ମନେକଲେ ନାହିଁ । ପୁଣି ହାଇସ୍କୁଲ ଓ +୨ କଲେଜର ବଡ଼ ବଡ଼ ଛାତ୍ରଛାତ୍ରୀଙ୍କ ସାଙ୍ଗରେ ମିଶିବାକୁ ଛୁଆ ଭୟ କଲେ ସେଇଥି ପାଇଁ ନିଜ ଛୁଆଙ୍କୁ କୁଟାସିଂହା ୟୁପି ସ୍କୁଲରେ ପଢ଼େଇବାକୁ ବାଧ୍ୟ ହେଲେ । ନିଜ କାମ ଧନ୍ଦା ଛାଡି ଛୁଆଙ୍କୁ ନେବା ଆଣିବା କରୁଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଗ୍ରାମବାସୀ । ଏପଟେ ଛୁଆ ପଢିବାକୁ ଆସୁନଥିବାରୁ ୨ ଜଣ ଶିକ୍ଷକ ଓ ଦୁଇ ଜଣ ପାଚିକା ବସି ରହୁଛନ୍ତି । ଏ ସମ୍ପର୍କରେ ସିଆର୍‌ସିସି ଠାରୁ ଆରମ୍ଭ କରି ଜିଲ୍ଲା ଶିକ୍ଷାଧୀଶଙ୍କ ପର୍ଯ୍ୟନ୍ତ ସ୍ଥାନୀୟ ଜନ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ଶିକ୍ଷାମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଜଣେଇଥିଲେ ସୁଦ୍ଧା କିଛି ସୁଫଳ ମିଳିନଥିବା ଗ୍ରାମବାସୀ ଠାରୁ ପ୍ରକାଶ । ଆହୁରି ମଧ୍ୟ୍ୟ ଗ୍ରାମବାସୀ କହିଛନ୍ତି ସ୍କୁଲ ନଉଠିବାକୁ କେସ୍‌ କରାଯାଇଛି । ଯାହା ଏବେ ହାଇକୋର୍ଟରେ ବିଚାରଧୀନ ରହିଛି । ତେଣୁକରି ଏ ସମସ୍ୟାର ସମାଧାନ କରି ତୁରନ୍ତ ପଦକ୍ଷେପ ନେବାକୁ ଶାସନ ଓ ପ୍ରଶାସନକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.