
ବଲାଙ୍ଗିର ଜିଲ୍ଲାର ପ୍ରମୁଖ ସମସ୍ୟା ଗୁଡିକୁ ନେଇ ମହାମହିମ ରାଜ୍ୟପାଳଙ୍କୁ ବିଚ୍ ରାସ୍ତାରେ ଅଟକାଇ ଅବଗତ କରାଇଲା ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ

ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲାବାସୀଙ୍କ ବୃହତ୍ତର ଆବଶ୍ୟକତା ଦୃଷ୍ଟିରୁ କେତେକ ପ୍ରମୁଖ ସମସ୍ୟାର ସମାଧାନ ହେତୁ ମହାମହିମ ରାଜ୍ୟପାଳ ରଘୁବର ଦାସଙ୍କ ହସ୍ତକ୍ଷେପ ପାଇଁ ନିବେଦନ ସକାଶେ ବିଚ୍ ରାସ୍ତାରେ ଅଟକାଇ ଲିଖିତ ଭାବରେ ଅବଗତ କରାଇଲା ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ।
ଉପସ୍ଥାପନ କରାଯାଇଥିବା ଦାବି :-
୧:- ବଲାଙ୍ଗିର ସହରକୁ ନିତାନ୍ତ ଆବଶ୍ୟକ ଥିବା ଏକ ବାଇପାସ ରାସ୍ତା ଯାହାକି ୨୦୦୯ ମସିହାରେ ଶୁଭ ଦିଆଯାଇ ୨୦୧୪ ମସିହାରେ ଅର୍ଥ ମଞ୍ଜୁରୀ ପାଇଥିଲା । ହେଲେ ଆଜି ପର୍ଯ୍ୟନ୍ତ ଜାତୀୟ ରାଜପଥ ଏବଂ ପୂର୍ତ୍ତ ବିଭାଗ ଅଧୀନରେ ନିର୍ମାଣାଧୀନ ମାତ୍ର ୨୪ କିଲୋମିଟରର ଏହି ବାଇପାସ ରାସ୍ତାଟି ସମ୍ପୂର୍ଣ୍ଣ କରାଯାଇ ପାରୁନାହିଁ । ଯଦ୍ୱାରା ବଲାଙ୍ଗିର ସହର ମଧ୍ୟ ଦେଇ ହଜାର ହଜାର ଭାରୀଯାନ ଯାତାୟତ ଯୋଗୁଁ ଦୈନନ୍ଦିନ ଲୋକେ ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁମୁଖରେ ପଡୁଛନ୍ତି ।
୨:- ବଲାଙ୍ଗିର ଜିଲ୍ଲାର ବହୁ ପୁରାତନ ଶିକ୍ଷାନୁଷ୍ଠାନ ରାଜେନ୍ଦ୍ର କଲେଜ ଗତ ୨୦୧୯ ମସିହାରେ ବିଶ୍ଵବିଦ୍ୟାଳୟ ମାନ୍ୟତା ପାଇଥିଲା । ବଲାଙ୍ଗିର ଜିଲ୍ଲାର ଏକମାତ୍ର ବିଶ୍ଵବିଦ୍ୟାଳୟ ଏହି ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟ ଉପରେ ବଲାଙ୍ଗିର ଜିଲ୍ଲା ତଥା ଆଖପାଖ ପଡୋଶୀ ଜିଲ୍ଲାର ଛାତ୍ରଛାତ୍ରୀମାନେ ମଧ୍ୟ ନିର୍ଭରଶୀଳ । ହେଲେ ଆଜି ପର୍ଯ୍ୟନ୍ତ ଏହି ବିଶ୍ଵବିଦ୍ୟାଳୟରେ ୧୦୦ରୁ ଅଧିକ ଅଧ୍ୟାପକ ପଦବୀ ଖାଲି ପଡି ରହିଛି । ଯଦ୍ୱାରା ଛାତ୍ରଛାତ୍ରୀଙ୍କ ନିୟମିତ ପାଠପଢାରେ ବହୁ ବାଧା ଉପୁଜୁଛି ।
୩:- ବଲାଙ୍ଗିର ଜିଲ୍ଲାରେ ଦାଦନ ସମସ୍ୟା ଏକ ମୁଖ୍ୟ ସମସ୍ୟା । ଏହା ସହ ବଲାଙ୍ଗିର ଜିଲ୍ଲା ଜଳସେଚନ ଅଭାବ ଯୋଗୁଁ ଏକ ମରୁଡି ପ୍ରବଣ ଜିଲ୍ଲା ଭାବରେ ମଧ୍ୟ ପରିଚିତ ରହିଥିଲା । ହେଲେ ଚଳିତ ବର୍ଷ ବଲାଙ୍ଗିରର ଜୀବନରେଖା ଲୋୟର ସୁକତେଲ ଡ୍ୟାମ ଓ ଜଳସେଚନ ପ୍ରକଳ୍ପ ଉଦ୍ଘାଟିତ ହେଲା ପରେ ଜିଲ୍ଲାର ଚାଷୀ ମହଲରେ ଏକ ନୂତନ ଆଶାର କିରଣ ସୃଷ୍ଟି ହୋଇଛି । ବଲାଙ୍ଗିର ଜିଲ୍ଲା ଭୌଗଳିକ ଦୃଷ୍ଟିକୋଣରୁ ପଶ୍ଚିମ ଓଡିଶାର ଅନେକ ଜିଲ୍ଲାର କେନ୍ଦ୍ରସ୍ଥଳ । ତେଣୁ କରି ବଲାଙ୍ଗିରରେ ରାଜ୍ୟର ଦ୍ୱିତୀୟ କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଗଲେ ଜିଲ୍ଲାରେ କୃଷିରୁ ମୁହଁ ଫେରାଇ ନେଇଥିବା ଅନେକ ଚାଷୀ ପୁଣି କୃଷି ପ୍ରତି ଆକୃଷ୍ଟ ହେବାସହ ଜିଲ୍ଲାବାସୀ କୃଷି ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଆଗକୁ ବଢିପାରିବେ । ଯଦ୍ୱାରା ଅନେକାଂଶରେ ଦାଦନ ସମସ୍ୟାର ମଧ୍ୟ ସମାଧାନ ହୋଇପାରିବ ।
ଏହିସବୁ ପ୍ରମୁଖ ଦାବି ଗୁଡିକୁ ନେଇ ଆଜି ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନର ସୁମିତ ମିଶ୍ର, ଗୋବିନ୍ଦ ଚନ୍ଦ୍ର ଶତପଥୀ, ସନ୍ତୋଷ ପଟ୍ଟନାୟକ ଏବଂ ଏମ୍.ଡି. ବବଲୁ ପ୍ରମୁଖ ମହାମହିମ ରାଜ୍ୟପାଳ ରଘୁବର ଦାସଙ୍କୁ ବିଚ୍ ରାସ୍ତାରେ ଅଟକାଇ ଆଲୋଚନା କରିଥିଲେ । ପ୍ରତିକ୍ରିୟାରେ ରାଜ୍ୟପାଳ ଏହି ସବୁ ଲିଖିତ ଦାବି ଗୁଡିକ ଉପରେ ନିଶ୍ଚିତ ଭାବରେ ବିଶେଷ ଦୃଷ୍ଟି ଦେଇ ଏହାର ସମାଧାନ ନିମନ୍ତେ ପଦକ୍ଷେପ ଗ୍ରହଣ କରିବି ବୋଲି ଜଣାଇଥିଲେ ।