ମୁରିବାହାଲରେ ମିଶନ ଶକ୍ତି ମା’ମାନଙ୍କ ପାଇଁ ବିନା ସୁଧରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରେ ଓଡିଶାର ୭୦ ଲକ୍ଷ ସ୍ଵୟଂ ସହାୟକ ଗୋଷ୍ଠି ମା’ମାନଙ୍କ ପାଇଁ ବିନା ସୁଧରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଶନ ଶକ୍ତି ଋଣ ବ୍ୟବସ୍ଥା, ମିଶନ ଶକ୍ତି ମା’ମାନଙ୍କ ପାଇଁ ୟୁନିଫର୍ମ ଓ ବ୍ଲେଜର ସହାୟତା ଏବଂ ୧୪୫ କୋଟି ଟଙ୍କାର ସୁଧ ଫେରସ୍ତ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି । ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଭଳି ମୁରିବାହାଲ ବ୍ଲକସ୍ତରୀୟ ଏଭଳି ବିରାଟ କାର୍ଯ୍ୟକ୍ରମ ବ୍ଲକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା । ଓଡ଼ିଶା ଜୀବିକା ମିଶନର ବିପିଏମ୍ ଡ. ଗୋପାଳକୃଷ୍ଣ ଦୀପଙ୍କ ପ୍ରତ୍ୟେକ୍ଷ ତତ୍ଵାବଧାନରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ମିଥିଳା ମାଝୀ ମୁଖ୍ୟ ଅତିଥି, ବ୍ଲକ ଉପାଧ୍ୟକ୍ଷା ଯାଜ୍ଞସେନୀ ହାତୀ, ବ୍ଲକ ସରପଞ୍ଚ ସଂଘ ସଭାପତି ତଥା ସଦର ସରପଞ୍ଚ ବିଶ୍ୱବିହାରୀ ଯୋଶୀ, ସିଡିପିଓ ସୁପ୍ରଭା ମହାପାତ୍ର, ବ୍ଲକ ମହିଳା ମହାସଂଘ ସଭାନେତ୍ରୀ ସାବିତ୍ରୀ ମହାନନ୍ଦ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଆଲୋଚନା କରିଥିଲେ । ଏହି ସମାରୋହରେ ମୁରିବାହାଲ ବ୍ଲକ କାର୍ଯ୍ୟାଳୟ ତରଫରୁ ଭିଡିଓ କନଫରେନ୍ସର ବାର୍ତ୍ତାଳାପର ବିବରଣୀକୁ ବ୍ଲକର ୬୦୦ରୁ ଅଧିକ ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ସିଧାସଳଖ ଦେଖିପାରିଥିଲେ । ଏହା ସହିତ ମିଶନ ଶକ୍ତି ସୁଧ ଛାଡ଼ ବ୍ୟବସ୍ଥା, ଅଧିକ ଟଙ୍କା (ଦଶଲକ୍ଷ ଟଙ୍କା) ଋଣ ଉପରେ ସୁଧ ଛାଡ଼, ସ୍ଵୟଂ ସହାୟକ ଗୋଷ୍ଠୀ ଗୁଡ଼ିକର ସଦସ୍ୟାମାନଙ୍କୁ ୟୁନିଫର୍ମ, ବ୍ଲେଜର ବ୍ୟବସ୍ଥା, ଗମନାଗମନ ବ୍ୟବସ୍ଥା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସମସ୍ତ ପଞ୍ଚାୟତିରାଜ ସଦସ୍ୟ, ସମସ୍ତ ୨୨ଟି ଗ୍ରାମ ପଞ୍ଚାୟତସ୍ତରୀୟ ସଂଘର ସଦସ୍ୟା, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ସିଆର୍ପି, ସିଏମ, ଏମ୍ବିକେ, ବ୍ୟାଙ୍କ୍ ମିତ୍ର, ପ୍ରାଣୀ ମିତ୍ର ଓ କୃଷି ମିତ୍ର ଯୋଗଦାନ କରିଥିଲେ । ସ୍ଵୟଂ ସହାୟକ ଗୋଷ୍ଠୀ ଗୁଡ଼ିକୁ ପ୍ରୋତ୍ସହିତ କରିବା ପାଇଁ ବ୍ଲକର ଅଧିକ ସୁଧ ପାଇଥିବା ଗୋଷ୍ଠୀ ଗୁଡ଼ିକୁ ଅତିଥିଙ୍କ ଦ୍ଵାରା ଡମି ଚେକ୍ ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ଏହି ସୁଧ ଛାଡ଼ ବାବଦକୁ ମୁରିବାହାଲ ବ୍ଲକର ୪୮୭ଟି ସ୍ଵୟଂ ସହାୟକ ଗୋଷ୍ଠୀର ଜମା ଖାତାକୁ ୧୧ ଲକ୍ଷରୁ ଅଧିକ ଟଙ୍କା ମିଳିଥିବା ସୂଚନା ମିଳିଛି । ବିଏଲ୍ସି ବ୍ରଜମୋହନ ସ୍ଵାଇଁ, ବିପିଏ ବଳରାମ ଭୋଇ ସମସ୍ତ କାର୍ଯ୍ୟ ତୁଲାଇବା ସହିତ ସଫଳତାର ସହିତ ସଭାଶେଷ ହୋଇଥିଲା । ଏହି ଅବସରରେ ମିଶନ ଶକ୍ତିରେ କାର୍ଯ୍ୟରତ ଷ୍ଟାଫମାନଙ୍କ ଦ୍ଵାରା ସଚେତନତାମୂଳକ ନୃତ୍ୟ ନାଟିକା, କ୍ଷୁଦ୍ର ନାଟକ ଆଦିର ଆୟୋଜନ କରାଯାଇଥିଲା । ଶେଷରେ ବ୍ଲକ ସଂଯୋଜକ ଉଜ୍ୱଳ ପଟେଲ ଧନ୍ୟବାଦ ଦେଇଥିଲେ ।