jayashree

ଗଞ୍ଜାମ ଜିଲ୍ଲାସ୍ତରୀୟ ୮୮ତମ ଉତ୍କଳ ଦିବସ ସମାରୋହ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁରଠାରେ ୮୮ତମ ଉତ୍କଳ ଦିବସ ମହୋତ୍ସବ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ଆନୁକୂଲ୍ୟରେ ମହାସମାରୋହରେ ବିଧିବଦ୍ଧ ଭାବେ ପାଳିତ ହୋଇଯାଇଛି । ଗତକାଲି ପ୍ରାତଃ ୫ ଘଣ୍ଟା ସମୟରେ ଡାକବାଜି ଯନ୍ତ୍ର ଯୋଗେ ଓଡ଼ିଆ ଦେଶ ଭକ୍ତିଗୀତ ପ୍ରଚାର ପ୍ରସାର ମାଧ୍ୟମରେ ପରିବେଷଣ କରାଯାଇ ସହର ସାରା ପରିକ୍ରମଣ କରାଯାଇଥିଲା । ପୂର୍ବାହ୍ନରେ ସହରରେ ଥିବା ପ୍ରମୁଖ ଓ ଉତ୍କଳର ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ଦ୍ୱାରା ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଗଭୀର ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା । ଦିବା ୧୦ଘଣ୍ଟା ସମୟରେ ଜିଲ୍ଲା ସଂସ୍କୃତି ଭବନଠାରେ ଆୟୋଜିତ ଏକ ବର୍ଣ୍ଣାଢ଼୍ୟ ସମାରୋହରେ ଆଲୋଚନା ସଭା, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରଯାଇଥିଲା ।

ବହୁ ବଳିଷ୍ଠ ନେତ୍ତୃବର୍ଗଙ୍କ ଅକ୍ଲାନ୍ତ ପରିଶ୍ରମ ଓ ଉଦ୍ୟମରେ ୧୯୩୬ ମସିହା ଅପ୍ରେଲ ୧ ତାରିଖ ଦିନ ବ୍ରିଟିଶ ଶାସନ ସମୟରେ ସ୍ୱତନ୍ତ୍ର ଓଡିଶା ପ୍ରଦେଶର ଗଠନ ସମ୍ଭବପର ହୋଇପାରିଲା ବୋଲି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅଞ୍ଜଳି ସ୍ୱାଇଁ ମତବ୍ୟକ୍ତ କରିଥିଲେ । ଭାଷାଭିତ୍ତିକ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନରେ ଉତ୍କଳ ସମ୍ମିଳନୀର ବିଶେଷ ଅବଦାନ ରହିଛି ଏବଂ ଏହାର ମୂଳଦୁଆ ଗଞ୍ଜାମ ଜିଲ୍ଲାରେ ପଡିଛି ବୋଲି ମୁଖ୍ୟବକ୍ତା ଭାବେ ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ ମତବ୍ୟକ୍ତ କରିଥିଲେ । ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନରେ ଗଞ୍ଜାମବାସୀଙ୍କ ଅବଦାନ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଥିଲା ବୋଲି ଏହି ସ୍ମରଣୀୟ ଦିବସରେ ସମ୍ମାନିତ ଅତିଥି ଭାବେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଯୋଗଦେଇ ଆଲୋକପାତ କରିଥିଲେ । ଯେଉଁ ବରପୁତ୍ରମାନେ ଖଣ୍ଡ ବିଖଣ୍ଡିତ ଓଡିଶାକୁ ଏକତ୍ରୀକରଣ କରିଥିଲେ ସେମାନଙ୍କୁ ଆଜିର ଦିନରେ ଭକ୍ତିଭରା ପ୍ରଣତି ଜଣାଇ ସେମାନଙ୍କୁ ସ୍ମରଣ କରିବା ଏବଂ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ଉଚିତ ବୋଲି ବିଶିଷ୍ଟ ଅତିଥି ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ଆଲୋକପାତ କରିଥିଲେ । ସ୍ୱତନ୍ତ୍ର ଭାଷା ଭିତ୍ତିରେ ଓଡ଼ିଶା ପ୍ରଦେଶ ଗଠନ କରିବା ଉଦ୍ଦେଶ୍ୟରେ ବିପ୍ଳବର ପନ୍ଥାରେ ଅଗ୍ରସର ହୋଇ ପ୍ରଥମେ ମଧୁବାବୁ ହିଁ ସ୍ୱର ଉଠାଇଥିଲେ ବୋଲି ବିଭିନ୍ନ ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀମତୀ ମଞ୍ଜୁଲତା ବେହେରା, ଛତ୍ରପୁର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ କିରଣ କୁମାରୀ ଦାସ ପ୍ରମୁଖ ମଞ୍ଚାସୀନ ଥିଲେ ।

ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ଏ ସମସ୍ତ କାର୍ଯ୍ୟକ୍ରମର ପରିଚାଳନା କରିଥିବା ବେଳେ ଅରୁଣ କୁମାର ଶତପଥୀ ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ଜିଲ୍ଲା ସଂସ୍କୃତି ବିଭାଗ ସୌଜନ୍ୟରୁ ଆୟୋଜିତ ଛତ୍ରପୁର କଳାବିକାଶ କେନ୍ଦ୍ରର କଳାକାରମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଗାନ୍ଧର୍ବ କଳା ନିକେତନର ଗୁରୁ ଗଣେଶ ପଟ୍ଟନାୟକଙ୍କ ନିର୍ଦ୍ଦେଶନାରେ ପରିବେଷିତ ଗୋଷ୍ଠୀ ସଙ୍ଗୀତ କାର୍ଯ୍ୟକ୍ରମ ଖୁବ୍‌ ଲୋକ ପ୍ରଶଂସିତ ହୋଇଥିଲା ।

Leave A Reply

Your email address will not be published.