om academy

ଭୁବନେଶ୍ୱରଠାରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ସମାବର୍ତ୍ତନ ସମାରୋହରେ ଯୋଗଦେଲେ ରାଷ୍ଟ୍ରପତି

jsm

ଭୁବନେଶ୍ୱର, (ପିଆଇବି) : ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଗତକାଲି ଭୁବନେଶ୍ୱର ଠାରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ସମାବର୍ତ୍ତନ ସମାରୋହରେ ଯୋଗ ଦେବା ସହିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି । ସମାରୋହକୁ ସମ୍ବୋଧିତ କରି ରାଷ୍ଟ୍ରପତି ଏହି ଶିକ୍ଷାନୁଷ୍ଠାନରେ ତାଙ୍କର ପାଠପଢ଼ା ଦିନ ବିଷୟରେ ମନେ ପକାଇଥିଲେ । ଏହି ବିଶ୍ୱବିଦ୍ୟାଳୟ ପୂର୍ବରୁ ଏକ ମହାବିଦ୍ୟାଳୟ ଥିବା ସମୟରେ ରାଷ୍ଟ୍ରପତି ଏଠାରେ ତାଙ୍କର ବିଦ୍ୟାର୍ଥୀ ଜୀବନ କଟାଇଥିଲେ । ସେ କହିଥିଲେ ଯେ, ଭୁବନେଶ୍ୱର ସ୍ଥିତ ୟୁନିଟ-୨ ବାଳିକା ସ୍କୁଲରେ ନିଜର ପାଠପଢ଼ା ଶେଷ କରିବା ପରେ ସେ ଏହି ଶିକ୍ଷାନୁଷ୍ଠାନରେ ୪ ବର୍ଷ ଧରି ପାଠ ପଢ଼ିଥିଲେ । ସେ ସମୟରେ ତାଙ୍କୁ ମିଳିଥିବା ସ୍ନେହ ଓ ଭଲ ପାଇବାକୁ କେବେ ଭୁଲି ହେବ ନାହିଁ ବୋଲି ରାଷ୍ଟ୍ରପତି କହିଥିଲେ । ସେ କହିଥିଲେ ଯେ, ସେତେବେଳେ ତାଙ୍କର ସହପାଠୀ ଥିବା ଅନେକଙ୍କ ସହିତ ଏବେ ସୁଦ୍ଧା ସେ ସମ୍ପର୍କ ରଖିଛନ୍ତି । ଏହି ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ସବୁବେଳେ ତାଙ୍କ ଜୀବନରେ ଏକ ପ୍ରେରଣାର ଉତ୍ସ ହୋଇ ରହିଛି ।

ବିଶ୍ୱବିଦ୍ୟାଳୟର ଛାତ୍ରୀମାନଙ୍କୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଥିଲେ ଯେ, ସେମାନେ ଛାତ୍ରୀ ରୂପରେ, ଅର୍ଥାତ୍‌ ମହିଳାମାନଙ୍କ ପ୍ରତିନିଧି ଭାବେ ନିଜ ଉପରେ ଗର୍ବ କରିବା ଉଚିତ୍ । ଯୁଗ ଯୁଗ ଧରି ଭାରତରେ ମହିଳାମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରି ଆସିଛନ୍ତି । ପରିବାର ଚଳାଇବାଠାରୁ ଆରମ୍ଭ କରି ଦେଶର ଶାସନ ପରିଚାଳନା କରିବା, ସାହିତ୍ୟ ଠାରୁ ଆରମ୍ଭ କରି ସଙ୍ଗୀତ ଏବଂ ନୃତ୍ୟ ଠାରୁ ଆରମ୍ଭ କରି ନେତୃତ୍ୱ ପର୍ଯ୍ୟନ୍ତ, ମହିଳାମାନେ ପ୍ରତ୍ୟେକ କ୍ଷେତ୍ରରେ ନିଜର ସାମର୍ଥ୍ୟ ପ୍ରତିପାଦିତ କରିଛନ୍ତି । ମହିଳା ସଶକ୍ତିକରଣ ଏବେ ଆଉ କେବଳ ଏକ ସ୍ଲୋଗାନ ହୋଇ ରହି ନାହିଁ, ଏହା ଅନେକ ପରିମାଣରେ ଏକ ବାସ୍ତବତାରେ ପରିଣତ ହେଲାଣି । ଝିଅମାନେ ଏବେ ପୁଅଙ୍କ ସହିତ ସମାନ ନୁହଁନ୍ତି, ବରଂ କେତେକ କ୍ଷେତ୍ରରେ ପୁଅଙ୍କ ଠାରୁ ଆଗକୁ ମଧ୍ୟ ବଢ଼ିଗଲେଣି ।

ରାଷ୍ଟ୍ରପତି କହିଥିଲେ ଯେ, ଭାରତ ବିଶ୍ୱର ସର୍ବବୃହତ ଗଣତନ୍ତ୍ର । ପଞ୍ଚାୟତ ଠାରୁ ଆରମ୍ଭ କରି ସଂସଦ ପର୍ଯ୍ୟନ୍ତ ସବୁ ଗଣତାନ୍ତ୍ରିକ ପ୍ରତିଷ୍ଠାନରେ ମହିଳାମାନଙ୍କର ପ୍ରତିନିଧିତ୍ୱ ବୃଦ୍ଧି ପାଇବାକୁ ଦେଖିବାକୁ ମିଳିବା ଖୁସିର ବିଷୟ । ପ୍ରଥମ ଥର ପାଇଁ ମହିଳା ସାଂସଦଙ୍କ ସଂଖ୍ୟା ୧୦୦ ଅତିକ୍ରମ କରିବା ଆମ ଗଣତନ୍ତ୍ର ପାଇଁ ଏକ ମହାନ ଉପଲବ୍ଧି । ଆମ ଗଣତନ୍ତ୍ରର ଭବିଷ୍ୟତ ପାଇଁ ଏହା ଏକ ଉତ୍ତମ ସଙ୍କେତ ।

ନିଜର ସାମର୍ଥ୍ୟ ଉପରେ ଭରସା ରଖିବା ଲାଗି ରାଷ୍ଟ୍ରପତି ଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ସେ କହିଥିଲେ ଯେ, ବିଶ୍ୱବିଦ୍ୟାଳୟ ପରିସର ଛାଡ଼ିବା ପରେ, ସେମାନେ ଆଉ ଏକ ବିଶ୍ୱବିଦ୍ୟାଳୟରେ ପ୍ରବେଶ କରିବେ – ତାହା ହେଉଛି ଜୀବନର ବିଶ୍ୱବିଦ୍ୟାଳୟ । ଜୀବନ ବିଶ୍ୱବିଦ୍ୟାଳୟରେ ସଫଳ ହେବାକୁ ହେଲେ, ସେମାନେ ନିଜର କ୍ଷମତା ଓ ସାମର୍ଥ୍ୟ ସମ୍ପର୍କରେ ଅବଗତ ହେବା ଉଚିତ୍ ।

ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଥିଲେ ଯେ, ଆସନ୍ତା ୨୫ ବର୍ଷ ମଧ୍ୟରେ ଭାରତ ବିକଶିତ ରାଷ୍ଟ୍ର ହେବା ଲାଗି ଲକ୍ଷ୍ୟ ରଖିଛି । ଆମ ସମସ୍ତଙ୍କର ବିଶ୍ୱାସ ରହିଛି ଯେ ୨୦୪୭ରେ ଆମେ ଯେତେବେଳେ ସ୍ୱାଧୀନତାର ଶତବାର୍ଷିକୀ ପୂରଣ କରିବା, ଭାରତ ବିଶ୍ୱର ସମୃଦ୍ଧ ରାଷ୍ଟ୍ର ମଧ୍ୟରୁ ଅନ୍ୟତମ ହୋଇଥିବ । ଆସନ୍ତା ୨୫ ବର୍ଷ ମଧ୍ୟରେ, ଭାରତକୁ ବିକାଶର ଶିଖରକୁ ନେଇଯିବାର ଦାୟିତ୍ୱ ଯୁବପିଢ଼ି ନିର୍ବାହ କରିବା ଉଚିତ ବୋଲି ସେ କହିଥିଲେ ।

Leave A Reply

Your email address will not be published.