ବଲାଙ୍ଗିର, (କେପିଏନ୍ଏସ୍) : ସ୍ୱାଧୀନତା ସଂଗ୍ରାମର ଆପୋଷହୀନ ଧାରାର ବଳିଷ୍ଠତମ ଅଭିବ୍ୟକ୍ତି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୯ ତମ ଜୟନ୍ତୀ ଉପଲକ୍ଷେ ଏଆଇଡ଼ିଏସଓ ବଲାଙ୍ଗିର ଜିଲ୍ଲା କମିଟି ଉଦ୍ୟୋଗରେ ନେତାଜୀ ଜୟନ୍ତୀ ସମାରୋହ ନେତାଜୀଙ୍କ ପ୍ରତିମୂର୍ତ୍ତି ପାଦ ଦେଶରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସଂଗଠନର ସଙ୍ଗୀତ ଗୋଷ୍ଠୀ ବିପ୍ଲବୀ ସଙ୍ଗୀତ ଗାନ କରିଥିଲେ । ତାପରେ ଆଜିର ସମାରୋହର ସଭା ସଂଗଠନର ଜିଲ୍ଲା ସଭାପତି ମଧୁସୂଦନ ବାଗଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ମୁଖ୍ୟ ଅତିଥି ଭାବେ ନେତାଜୀ ସଂଗ୍ରାମୀ ପରିଷଦର ସଭାପତି ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ, ମୁଖ୍ୟବକ୍ତା ଭାବେ ଏଆଇଡ଼ିଏସଓର ପୂର୍ବତନ ସାଧାରଣ ସମ୍ପାଦକ କମ୍ରେଡ଼ ଅଶୋକ ମିଶ୍ର, ରାଜ୍ୟ ଉପସଭାପତି ସୁନୀଲ କୁମାର ଭୋଇ, ଜିଲ୍ଲା ସମ୍ପାଦିକା ଗୌରୀ ରାଉତ ମଞ୍ଚାସୀନ ଥିଲେ । ମୁଖ୍ୟବକ୍ତା ତାଙ୍କ ବକ୍ତବ୍ୟରେ କହିଥିଲେ ନେତାଜୀଙ୍କ ସ୍ୱପ୍ନର ଶୋଷଣମୁକ୍ତ ଭାରତ ପ୍ରତିଷ୍ଠା ହୋଇପାରି ନାହିଁ ତେଣୁ ଜାତି ଧର୍ମ ଅଞ୍ଚଳ ନିର୍ବିଶେଷରେ ସମସ୍ତ ଛାତ୍ର ଯୁବକ ତାଙ୍କ ସଂଗ୍ରାମୀ ଚରିତ୍ରରୁ ଶିକ୍ଷା ନେଇ ସମସ୍ତ ପ୍ରକାର ଶୋଷଣରୁ ମୁକ୍ତି ପାଇଁ ଲଢ଼େଇ କରିବା ପାଇଁ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ । ତା ସହ ଏକ ଅଭାବନୀୟ ଘଟଣା କ୍ରମେ ନେତାଜୀଙ୍କ ଜନ୍ମସ୍ଥାନ କଟକ ଓଡ଼ିଆ ବଜାର ସ୍ଥିତ ରାଜ୍ୟ ସଂଗ୍ରହାଳୟକୁ ହାଇ ପ୍ରୋଫାଇଲ ଅତିଥିଙ୍କ ଆଗମନ କାରଣରୁ ସର୍ବସାଧାରଣଙ୍କୁ ଜନ୍ମସ୍ଥାନ ପରିଦର୍ଶନକୁ କଟକଣା ଜାରିକୁ ତୀବ୍ର ନିନ୍ଦା କରିଥିଲେ । ଶେଷରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ଓ ଅଂଶଗ୍ରହଣକାରୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯିବା ସହ ଜିଲ୍ଲା ସମ୍ପାଦିକା ଗୌରୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ଆଜିର ସମାବେଶରେ ଜିଲ୍ଲା କମିଟି ସଭ୍ୟମାନଙ୍କ ସହ ଶତାଧିକ ଅଭିଭାବକ ଓ ଛାତ୍ର ଛାତ୍ରୀ ସମାବେଶରେ ଉପସ୍ଥିତ ଥିଲେ ।