ଆର୍ଯ୍ୟ ସମାଜର ରୌପ୍ୟ ଜୟନ୍ତୀ ସମାରୋହ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଖପ୍ରାଖୋଲ ବ୍ଲକ ଫୁଲକିମୁଣ୍ଡା ଆର୍ଯ୍ୟ ସମାଜର ରୌପ୍ୟ ଜୟନ୍ତୀ ସମାରୋହ ପାଳିତ ହୋଇଯାଇଛି । ପ୍ରଥମେ କଳସ ଶୋଭାଯାତ୍ରା ହୋଇଥିଲା । ପରେ ବିଶ୍ଵ ଶାନ୍ତି ମହାଯଜ୍ଞ ପାଇଁ ୨୧ କୁଣ୍ଡୀୟ ମହାଯଜ୍ଞ ଅନୁଷ୍ଠିତ ହୋଇଛି । ଆୟୋଜକ ଡଃ. ହରିଭାଇ ଆର୍ଯ୍ୟନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାବେଶରେ ପ୍ରବଚକ ବିରେନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି, ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର, ଆମସେନା ଗୁରୁକୁଳ ଆଶ୍ରମର ଆଚାର୍ୟ୍ୟ ଡଃ. ବ୍ରତାନନ୍ଦ ସରସ୍ଵତୀ, ଡଃ. କୁଞ୍ଜଦେବ ମନିନୀ, ନୂଆପାଲି ପ୍ରଭାତ ଆଶ୍ରମର ଆଚାର୍ୟ୍ୟ ବୃହସ୍ପତି ଜୀ, ଉତ୍କଳ ଆର୍ଯ୍ୟ ପ୍ରତିନିଧି ସଭା ମହାମନ୍ତ୍ରୀ ଆନନ୍ଦ ସାହୁ, ଓୟୁଏଟି ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ବିକାଶ ପଣ୍ଡା, ରାମଚନ୍ଦ୍ର ବେହେରା, ଉପଦେଷ୍ଟା ମୋହନ ମେହେର, ପ୍ରତିମା ଠାକୁର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଆଧ୍ୟାତ୍ମିକ ଚେତନା ଦ୍ବାରା ହିଁ ସୁସ୍ଥ ସମାଜ ଗଠନ ସମ୍ଭବ ବୋଲି କହିଥିଲେ । କୁସଂସ୍କାର, ଅନ୍ଧବିଶ୍ୱାସ, ଛୁଆଁ ଅଛୁଆଁ ଭେଦଭାବ ଦୂର ସହ ନାରୀ ଶିକ୍ଷା ପ୍ରତି ଗୁରୁତ୍ବ ଦେବାକୁ ଉପସ୍ଥିତ ଅତିଥିମାନେ ଆହ୍ବାନ ଦେଇଥିଲେ । ପରେ ପ୍ରବଚନ, ଭଜନ, ସଂକୀର୍ତ୍ତନ, ଯୋଗ ଏବଂ ଆତ୍ମରକ୍ଷା କଳା ପ୍ରଦର୍ଶିତ ହୋଇଥିଲା । କାର୍ୟ୍ୟକ୍ରମକୁ ଡଃ.ହରିଭାଇ ଆର୍ଯ୍ୟନ ଏବଂ ଡଃ. ମୁରଲୀଧର ମେହେର ପରିଚାଳନା କରିଥିଲେ । ଏହି କାର୍ୟ୍ୟକ୍ରମରେ ବହୁ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା ।

Leave A Reply

Your email address will not be published.