
ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ମହାନଗରର ବିଶ୍ୱ ସମ୍ବାଦ କେନ୍ଦ୍ର, ଓଡ଼ିଶା ପଶ୍ଚିମ ତରଫରୁ ଆଦର୍ଶ ସାହିତ୍ୟ ଘର ଠାରେ ନାରଦ ଜୟନ୍ତୀ ଓ ଅଷ୍ଟମ ସମ୍ମାନ ସମାରୋହ ମହାସମାରୋହରେ ପାଳିତ ହୋଇଯାଇଛି । ବିଶ୍ୱ ସମ୍ବାଦ କେନ୍ଦ୍ରର ଆବାହକ ରାଜକୁମାର ନାଥଙ୍କ ସଭାପତିତ୍ୱ ଓ ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ଦାଶ ଓ ମୁଖ୍ୟବକ୍ତା ଭାବେ ଡ. ସନାତନ ପ୍ରଧାନ ଯୋଗଦେଇ ଦେବର୍ଷି ନାରଦଙ୍କ ଜୟନ୍ତୀ ପାଳନର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ମୁଖ୍ୟଅତିଥି ଶ୍ରୀ ଦାଶ ତାଙ୍କ ବକ୍ତବ୍ୟରେ ସମର୍ପଣ ଓ ସାମାଜିକ ପ୍ରତିବଦ୍ଧତାକୁ ଗୁରୁତ୍ୱାରୋପ କରିଥିଲା ବେଳେ ପ୍ରକୃତ ତଥ୍ୟ ପାଇବାକୁ ହେଲେ କୌଣସି ସ୍ତରକୁ ଯିବାକୁ ପ୍ରସ୍ତୁତ ହେବ ବୋଲି ମତ ରଖିଥିଲେ । ସମାଜ ପ୍ରତି ଦାୟିତ୍ଵବୋଧ ଓ ପ୍ରତିବଦ୍ଧତା ପାଇଁ ଆଜିର ଦିବସ ସଂକଳ୍ପ ଦିବସ ପାଳନ କରିବାକୁ ଆହ୍ୱାନ ଦେଇଥିଲେ । ମୁଖ୍ୟବକ୍ତା ଡ. ପ୍ରଧାନ ରାଷ୍ଟ୍ର ଓ ବିଶ୍ୱର କଲ୍ୟାଣ ପାଇଁ ସାମ୍ବାଦିକଙ୍କ ଲକ୍ଷ୍ୟ ହେବା ସହ ପ୍ରଜ୍ଞା, ଜ୍ଞାନ, ବିଦ୍ୟା, ନିରପେକ୍ଷତା, ସ୍ପଷ୍ଟବାଦୀ ଉପରେ ଗୁରୁତ୍ୱାରୋପ କରିଥିଲେ । ରାଜନୀତି ଓ ରାଷ୍ଟ୍ରନୀତି ଶ୍ରେଷ୍ଠ ନୀତି ବୋଲି ମତ ରଖିବା ସହ ଆଚରଣ ଓ ଉଚ୍ଚାରଣରେ ସମନ୍ୱୟ ରଖିବା ପାଇଁ ମତ ରଖି ନାରଦଙ୍କ ପରି କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ । ସଂଯୋଜକ ଶ୍ରୀ ରାଉତ ତାଙ୍କ ବକ୍ତବ୍ୟରେ କହିଲେ ଯେ ନାରଦ ଥିଲେ ନିର୍ଭିକ, ସତ୍ୟନିଷ୍ଠ ଓ ଆଦ୍ୟ ସାମ୍ବାଦିକ । ସେଥିଲେ ସତ୍ୟ ଓ ସାମ୍ବାଦିକଙ୍କ ପ୍ରତୀକ । ନାରଦର ବାଖ୍ୟା କରି କହିଲେ ନାର ଅର୍ଥ ଜଳ ଅନ୍ୟଅର୍ଥ ଅଜ୍ଞାନତା, ଦ ଅର୍ଥ ଦେବା ଅନ୍ୟଅର୍ଥ ବିନାଶକ । ଅଜ୍ଞାନ ରୂପକ ଅନ୍ଧାରକୁ ବିନାଶ କରି ଯିଏ ଜ୍ଞାନ ବାଣ୍ଟନ୍ତି ସେ ହେଲେ ନାରଦ । ସଭାପତି ଶ୍ରୀ ନାଥ ସ୍ୱାଗତ ଭାଷଣ, ଅତିଥି ପରିଚୟ ଓ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ବରିଷ୍ଠ ସାମ୍ବାଦିକ ଜଟାଧାରୀ ମାଝୀ ବକ୍ତବ୍ୟ ରଖିଥିଲା ବେଳେ ଗଗନ କୁମାର ସ୍ୱାଇଁ ଦେଶାତ୍ମବୋଧକ ସଙ୍ଗୀତ ଗାନ କରିଥିଲେ । ଏହି ଅବସରରେ ଉପସ୍ଥିତ ସମସ୍ତ ସାମ୍ବାଦିକଙ୍କୁ ଉତ୍ତରୀୟ ଓ ଶ୍ରୀଫଳ ଦେଇ ସମ୍ମାନିତ କରାଯାଇଥିଲା । ଶେଷରେ ମନୋଜ କୁମାର ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସୁଶ୍ରୀ ଅଲିସା ନାଥ, ଦିଶା ଜୟସ୍ୱାଲ, ବିଭୂତି ଭୂଷଣ ପଲେଇ, ଦେବଦତ୍ତ ସ୍ୱାଇଁ, କରୁଣାକର ପାଟ୍ଟଶାଣୀ, ଶେଷଦେବ ସ୍ୱାଇଁ, ପୱନ ଶର୍ମା, ମହେଶ ନାଗ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।