centurian jitm

ଅନ୍ତର୍ଜାତୀୟ ଯୋଗ ଦିବସ ସମାରୋହ ପୂର୍ବରୁ ୭୫ ଦିନିଆ ଅବଗଣନା କାର୍ଯ୍ୟକ୍ରମ

  • ଆସନ୍ତାକାଲି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବ ବିଶାଳ ଯୋଗ ମହୋତ୍ସବ

ଭୁବନେଶ୍ୱର, (ପିଆଇବି) : ଆସନ୍ତାକାଲି ଅର୍ଥାତ୍ ୭ ଏପ୍ରିଲ, ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଉପଲକ୍ଷେ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଏକ ବିଶାଳ ‘ଯୋଗ ମହୋତ୍ସବ’ ଆୟୋଜନ କରାଯିବ । ଏହି ସମାରୋହ ସହିତ ଦଶମ ଅନ୍ତର୍ଜାତୀୟ ଯୋଗ ଦିବସର ୭୫ ଦିନିଆ ଅବଗଣନା ଆରମ୍ଭ ହେବାକୁ ଯାଉଛି । କେନ୍ଦ୍ର ଆୟୁଷ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ପ୍ରତାପ ରାଓ ଯାଦବ ଏହି ଯୋଗ ମହୋତ୍ସବକୁ ଉଦ୍‌ଘାଟନ କରିବେ । ଆସନ୍ତାକାଲି ସକାଳ ସାଢ଼େ ୬ଟାରୁ ୮ଟା ପର୍ଯ୍ୟନ୍ତ ବିଶାଳ ସାଧାରଣ ଯୋଗ ଅଭ୍ୟାସ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ପୁରୀ ସାଂସଦ ସମ୍ବିତ ପାତ୍ର, ବିଧାୟକ ଅନନ୍ତ ନାରାୟଣ ଜେନା, ଆୟୁଷ ମନ୍ତ୍ରଣାଳୟ ସଚିବ ବୈଦ୍ୟ ରାଜେଶ କୋଟେଚା, ଯୁଗ୍ମ ସଚିବ ମୋନାଲିସା ଦାଶ ପ୍ରମୁଖ ଯୋଗ ଦେବେ । ଯୁଗ୍ମ ସଚିବ ମୋନାଲିସା ଦାଶ କହିଛନ୍ତି, ଅନ୍ତର୍ଜାତୀୟ ଯୋଗଦିବସର ୭୫ ଦିନିଆ ଅବଗଣନା ଉପଲକ୍ଷେ ସାଧାରଣ ଯୋଗ ଅଭ୍ୟାସ ଏକ ପ୍ରମୁଖ କାର୍ଯ୍ୟକ୍ରମ । ଏହା ଯୋଗ ଦିବସ ପାଳନର ଆଧାର ଏବଂ ୨୨ଟି ଭିନ୍ନ ଭିନ୍ନ ଭାଷାରେ ଉପଲବ୍ଧ । ଗତବର୍ଷ ବ୍ରେଲି ସଂସ୍କରଣରେ ସାଧାରଣ ଯୋଗ ଅଭ୍ୟାସର ଶୁଭାରମ୍ଭ କରାଯାଇ ସମାବେଶୀତାକୁ ପ୍ରୋତ୍ସାହିତ କରାଯାଇଥିଲା । ଏବେ ସୁଦ୍ଧା ଯୋଗ ଦିବସ ପାଳନରେ ୨୪ କୋଟି ଲୋକ ଅଂଶଗ୍ରହଣ କରିସାରିଛନ୍ତି । ଏହି ସଂଖ୍ୟା ବଢ଼ୁଛି ଏବଂ ନୂଆ ରେକର୍ଡ ପ୍ରତିଷ୍ଠା ହେଉଛି । ଆୟୁଷ ରାଷ୍ଟ୍ର ମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରୟାସକ୍ରମେ ୨୦୧୪ଠାରୁ ମିଳିତ ଜାତିସଂଘ ଦ୍ୱାରା ୨୧ ଜୁନକୁ ଅନ୍ତର୍ଜାତୀୟ ଯୋଗ ଦିବସ ସମାରୋହ ଆୟୋଜନ କରାଯାଇ ଆସୁଛି । ଯୋଗକୁ ବିଶ୍ୱସ୍ତରରେ ମାନ୍ୟତା ମିଳିବା ଆମ ଦେଶ ପାଇଁ ଗୌରବର ବିଷୟ । ଯୋଗ ଆମ ଐତିହ୍ୟର ଏକ ଅଭିନ୍ନ ଅଙ୍ଗ ବୋଲି ସେ କହିଛନ୍ତି । ଯୋଗ ଦିବସକୁ ସ୍ୱାସ୍ଥ୍ୟ ଓ କଲ୍ୟାଣ ପାଇଁ ଏକ ଗଣଆନ୍ଦୋଳନରେ ପରିଣତ କରିବା ଲାଗି ୭୫ ଦିନିଆ ଅବଗଣନା କାର୍ଯ୍ୟକ୍ରମ ବେଶ ଗୁରୁତ୍ୱପୂର୍ଣ୍ଣ । ସେହିପରି ୫୦ ଦିନିଆ ଏବଂ ୨୫ ଦିନିଆ ଅବଗଣନା କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯିବ ।

Leave A Reply

Your email address will not be published.