ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁରର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ମହାନଦୀ ସାହିତ୍ୟ ସଂସଦ, ଓଡିଶା ସାହିତ୍ୟ ଏକାଡେମୀ ଓ ସଂଗମ ଆଳତି କମିଟିର ମିଳିତ ସହଯୋଗରେ ସାହିତ୍ୟ, ସଂସ୍କୃତିର ନିଆରା କାର୍ଯ୍ୟକ୍ରମ “ସାହିତ୍ୟ ସଂଗମ” ଆସନ୍ତା ମେ ୧୫ ତାରିଖ (ରବିବାର)ରେ ସୁବର୍ଣ୍ଣପୁରଠାରେ ଆୟୋଜିତ ହେବାକୁ ସ୍ଥିରୀକୃତ ହୋଇଛି । ସଂସଦର ସଭାପତି ନାଟ୍ୟଶ୍ରୀ ଗଦାଧର ବାରିକଙ୍କ ପରିଚାଳନାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଜିଲ୍ଲାସ୍ତରୀୟ ଏକ ଦିବସୀୟ ସାହିତ୍ୟ ଉତ୍ସବରେ କବିତା ପାଠ ସହ “ସନ୍ଥ ସାହିତ୍ୟକୁ ସୁବର୍ଣ୍ଣପୁରର ଦାନ” ଶୀର୍ଷକରେ ଏକ କଥାଚକ୍ର ଏବଂ ସଂଧ୍ୟାରେ ସଂଗମ ଆଳତୀ ଓ ମହାନଦୀ ଉତ୍ସବ – ୨୦୨୨ ଭବ୍ୟ ସମାରୋହରେ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହେବ । ଚଳିତ ବର୍ଷ ମହାନଦୀ ସାହିତ୍ୟ ସମ୍ମାନ ଗୀତିକାର ଓ କବି ଯୁଧିଷ୍ଠିର ବାରିକ, କଳା ଓ ସଂଗୀତ ସମ୍ମାନ କବି ଓ କଣ୍ଠଶିଳ୍ପୀ କୈବଲ୍ୟ କୁମାର ମିଶ୍ର, ନାଟ୍ୟ ସମ୍ମାନ ବରିଷ୍ଠ ଅଭିନେତା ତଥା ନିର୍ଦ୍ଦେଶକ ସୁରୁ ସାହୁଙ୍କୁ ଦେବାକୁ ନିଷ୍ପତ୍ତି ହୋଇଥିବା ବେଳେ ମହାନଦୀ ଯୁବ ସମ୍ମାନରେ ଯୁବ ପ୍ରତିଭା ଚୌଧୁରୀ ବିଭାରଙ୍କୁ ସମ୍ବର୍ଦ୍ଧିତ କରାଯିବ । ମହାନଦୀ – ତେଲ – କର୍ପୁର ନଦୀର ସଂଗମସ୍ଥଳି ସ୍ବର୍ଣ୍ଣ ପ୍ରୟାଗ ଘାଟ ରାମେଶ୍ବରଠାରେ ସକାଳ ୯ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ମହାନଦୀ ଉତ୍ସବ ପାଳିତ ହେବ ବୋଲି ସଭାପତି ନାଟ୍ୟଶ୍ରୀ ଗଦାଧର ବାରିକ ସୂଚନା ଦେଇଛନ୍ତି । ସଂଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଡିଶା ସଂଗୀତ ନାଟକ ଏକାଡେମୀ ସୌଜନ୍ୟରୁ ଶାସ୍ତ୍ରୀୟ ଓଡିଶୀ ନୃତ୍ୟ ସହ କଳାକାରଙ୍କ ଦ୍ବାରା ଗୀତ ଓ ବାଦ୍ୟର କ୍ଲାସିକାଲ କାର୍ଯ୍ୟକ୍ରମ ପରିବେଷିତ ହେବ ବୋଲି ସଂସଦର ସଂପାଦକ ଡ.ସୌରଭ ରଂଜନ ଖମାରୀ ପ୍ରକାଶ କରିଛନ୍ତି ।