ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର କ୍ରୀଡାଙ୍ଗନ ଠାରେ ସଂକୁଳ ସ୍ତରୀୟ (ଗୋପାଳପୁର, ରମ୍ଭା, ଛତ୍ରପୁର, ଗଞ୍ଜାମ, ନରେନ୍ଦ୍ରପୁର ଓ ଭଞ୍ଜବିହାର) ବାର୍ଷିକ କ୍ରୀଡ଼ା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ମୁଖ୍ୟଅତିଥି ଅଷ୍ଟମ ବାଟାଲିୟନ କମାଣ୍ଡେଣ୍ଟ ଶାରଦା ପ୍ରସାଦ ଦାଶ ଦୀପ ପ୍ରଜ୍ୱଳନ କରି ଶୁଭାରମ୍ଭ କରିଥିଲେ । ସେ ଶିଶୁମାନଙ୍କୁ ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶରେ ଏକ ସୁସ୍ଥ ଯୁବ ସମାଜ ଗଠନ ଉପରେ ଗୁରୁତ୍ୱପ୍ରଦାନ କରିଥିଲେ । ଗଞ୍ଜାମ ଜିଲ୍ଲା ପ୍ରମୁଖ ବିପିନ ଚନ୍ଦ୍ର ପଟ୍ଟନାୟକ ଉପସ୍ଥିତ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସମାରୋପ କାର୍ଯ୍ୟକ୍ରମରେ ସ୍ଥାନୀୟ ଏନ୍ଏସି ଚେୟାରମ୍ୟାନ ଶ୍ରୀମତୀ ଶର୍ମିଷ୍ଠା ପ୍ରଧାନ ଏବଂ ସମ୍ମାନିତ ଅତିଥି ରୂପେ ଛତ୍ରପୁର ସହରର ଯୁବ ସମାଜସେବୀ କେ. ଚନ୍ଦ୍ରଶେଖର ରେଡ୍ଡୀ (ଶେଖ ଭାଇ) ଯୋଗଦେଇ ଦୀପ ପ୍ରଜ୍ୱଳନ କରିବା ସହ ସମସ୍ତ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ । ସେହିପରି ସମ୍ମାନିତ ଅତିଥି ରୂପେ ଅବସରପ୍ରାପ୍ତ କ୍ରୀଡା ଶିକ୍ଷୟିତ୍ରୀ ଶ୍ରୀମତୀ ସୁଜାତା ପାତ୍ର ଯୋଗଦେଇ ଜଣେ ଆଦର୍ଶ ଛାତ୍ର କେବଳ ଶାରୀରିକ ଶିକ୍ଷା ଦ୍ୱାରା ହିଁ ଶୃଙ୍ଖଳିତ ହୋଇ ପାରିବେ ବୋଲି କହିଥିଲେ । ଉକ୍ତ କ୍ରୀଡାରେ ଛତ୍ରପୁର ସଂକୁଳର ୬ଟି ବିଦ୍ୟାଳୟ ଯଥା ଛତ୍ରପୁର, ଗଞ୍ଜାମ, ରମ୍ଭା, ନରେନ୍ଦ୍ରପୁର, ଭଞ୍ଜବିହାର, ଗୋପାଳପୁରର ପ୍ରାୟ ୨୩୬ ଜଣ ଶିଶୁ ଭାଗ ନେଇଥିବା ବେଳେ ବିଭିନ୍ନ ବିଦ୍ୟାଳୟର ୨୨ଜଣ ଆଚାର୍ଯ୍ୟ ଆଚାର୍ଯ୍ୟା କ୍ରୀଡା ପରିଚାଳନାରେ ସହଯୋଗ କରିଥିଲେ । ଉକ୍ତ କ୍ରୀଡା ଛତ୍ରପୁର ସଂକୁଳର ସଂଯୋଜନ ତଥା ପ୍ରଧାନାଚାର୍ଯ୍ୟ ରବୀନ୍ଦ୍ର ନାଥ ଦାଶ ଉପସ୍ଥିତ ଅତିଥିମାନଙ୍କ ପରିଚୟ ପ୍ରଦାନ ସହିତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି କ୍ରୀଡାରେ ସ୍ଥାନୀୟ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ତଥା ବରିଷ୍ଠ ହାଇକୋର୍ଟ ଓକିଲ ପଦ୍ମଚରଣ ସାହୁ ଅଧ୍ୟକ୍ଷତା କରିଥିଲେ ।ସହ ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ, କୋଷାଧ୍ୟକ୍ଷ ସିମାଞ୍ଚଳ ପାତ୍ର, ଉପସଭାପତି ଗୀତା ପାଢୀ ମଞ୍ଚାସୀନ ଥିଲେ । ଗଞ୍ଜାମର ପ୍ରଧାନାଚାର୍ଯ୍ୟ ଆଦିତ୍ୟ ମହାପାତ୍ର, ରମ୍ଭାର ପ୍ରଧାନାଚାର୍ଯ୍ୟ ଶ୍ରୀଧର ପ୍ରଧାନ, ନରେନ୍ଦ୍ରପୁରର ପ୍ରଧାନାଚାର୍ଯ୍ୟ ତ୍ରିନାଥ ନାୟକ, ଭଞ୍ଜବିହାର ପ୍ରଧାନାଚାର୍ଯ୍ୟ ଦଣ୍ଡପାଣି ସାହୁ, ଗୋପାଳପୁରର ପ୍ରଧାନାଚାର୍ଯ୍ୟା ଅନୀତା ପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ସଂକୁୁଳ ଶାରିରୀକ ଆଚାର୍ଯ୍ୟ ଚତୁର୍ଭୁଜ ତ୍ରିପାଠୀ ସଂକୁଳ କ୍ରୀଡାର ବୃତ୍ତ ପଠନ କରିଥିଲେ । ଶେଷରେ ବିଦ୍ୟାଳୟର ସମ୍ପାଦକ ସନ୍ତୋଷ କୁମାର ସାହୁ ଧନ୍ୟବାଦ ଅର୍ପଣ କରିବା ସହ କ୍ରିଡ଼ାରେ ବିଜୟୀ ହେଇଥିବା ଶ୍ରେଷ୍ଠ ଖେଳାଳୀ ମାନଙ୍କୁ କୃତଜ୍ଞତା ଜଣାଇଥିଲେ । ଏହି କ୍ରୀଡାରେ ୧୦୦ମି, ୨୦୦ମି, ୪୦୦ମି, ୮୦୦ମି, ୧୫୦୦ମି, ୩୦୦୦ମି, ଉଚ୍ଚଡିଆଁ, ଲମ୍ବ ଡିଆଁ, ଗୋଳା ଫିଙ୍ଗା, ଥାଳିଆ ଫିଙ୍ଗା, ବର୍ଚ୍ଛାଫିଙ୍ଗା, ହଡଲ୍ସ, ରିଲେ ଦୌଡ ଆଦି ଅନୁଷ୍ଠିତ ହୋଇଥିଲା । ଏହି କ୍ରୀଡାର ଶ୍ରେଷ୍ଠ ପ୍ରତିଭାଗୀ ହିଞ୍ଜିଳିକାଟୁ ଠାରେ ଅନୁଷ୍ଠିତ ହେବାକୁ ଥିବା ସଂଭାଗ କ୍ରୀଡାରେ ଭାଗନେବେ ବୋଲି ଅନୁଷ୍ଠାନର ଉଦ୍ୟକ୍ତା କହିଛନ୍ତି ।